ଚତୁର୍ଥ ଅଧ୍ୟାୟ – ଜ୍ଞାନ ବିଭାଗ ଯୋଗ

ଶ୍ରୀଭଗବାନ ଉଵାଚ

କର୍ମଯୋଗର ତତ୍ତ୍ୱ ଜ୍ଞାନ | ସୂର୍ଯ୍ୟଙ୍କୁ କହିଥିଲି ଜାଣ || ସୂର୍ଯ୍ୟଙ୍କ ଠାରୁ ଏହି ଜ୍ଞାନ | କଲେ ପୁତ୍ର ମନୁ ଗ୍ରହଣ || କହିଲେ ମନୁ ଏହି ଜ୍ଞାନ | ରାଜା ଇକ୍ଷାକୁଙ୍କୁ ଅର୍ଜୁନ || ୧ ||

ପରମ୍ପରା କ୍ରମେ ଏ ଜ୍ଞାନ | ପୃଷ୍ଠେ ହସ୍ତାନ୍ତର ହୋଇଣ || ରାଜର୍ଷିମାନେ ଅବଗତ | ହୋଇଣ କର୍ମଯୋଗେ ରତ || ବହୁକାଳ ଅତିବାହିତ | ହେଲାପରେ ହେ ପରନ୍ତପ || କାଳର ପ୍ରଭାବେ ଗ୍ରାସିତ | ଏ ଯୋଗ ଜ୍ଞାନ ହେଲା ଲୁପ୍ତ || ୨ ||

ତୁମେ ଯେ ସଖା ଭକ୍ତ ମୋ'ର | ତେଣୁ କହୁଛି ଧନୁର୍ଦ୍ଧର || ଉତ୍ତମ ଏହି ଯୋଗ ଜ୍ଞାନ | ମନ ଦେଇ ଶୁଣ ଅର୍ଜୁନ || ୩ ||

ଅର୍ଜୁନ ଉଵାଚ

ଆଦିକାଳରୁ ବିବସ୍ୱନ | ସୂର୍ଯ୍ୟ ରୂପରେ ବିଦ୍ୟମାନ || ଆପଣଙ୍କ ଜନ୍ମ କେଶବ | ହୋଇଛି ଏବେ ହିଁ ସମ୍ଭବ || ସୂର୍ଯ୍ୟଙ୍କୁ କେମନ୍ତ ଆପଣ | ଦେଇଥିଲେ ଏ ଦିବ୍ୟଜ୍ଞାନ || ବିଶ୍ୱାସ ହୋଉନାହିଁ ମୋ'ର | ସନ୍ଦେହ ମୋ'ର କର ଦୂର || ୪ ||

ଶ୍ରୀଭଗବାନ ଉଵାଚ

ବହୁତ ଜନମ ମୋହର | ବହୁତ ଜନମ ତୁମ୍ଭର || ହୋଇଅଛି ଅତିବାହିତ | କୁରୁନନ୍ଦନ କୁନ୍ତିସୁତ || ସେ ସବୁକୁ ମୁହିଁ ଜାଣଇ | ତୁମର କିଛି ମନେ ନାହିଁ || ୫ ||

ମୁଁ ଅଟେ ଅଜନ୍ମା ଅମର | ସର୍ଵ ଜୀଵଙ୍କ ମହେଶ୍ୱର || ପ୍ରକୃତିକୁ କରି ଅଧୀନ | ନିଜ ମାୟା ଦ୍ୱାରା ଅର୍ଜୁନ || ପ୍ରକଟ ମୁହିଁ ହୋଇଥାଇ | ଅତ୍ୟନ୍ତ ଗୁଢ ତତ୍ତ୍ୱ ଏହି || ୬ ||

ଯେବେ ଯେବେ କୁନ୍ତିନନ୍ଦନ | ଧର୍ମର ହୁଅଇ ପତନ || ଅଧର୍ମର ହୁଏ ଉତ୍ଥାନ | ମୋହର ହୁଏ ଆଗମନ || ୭ ||

ସାଧୁଙ୍କ ରକ୍ଷା ମୁଁ କରଇ | ପାପୀଙ୍କ ନାଶ କରେ ମୁହିଁ || କରେ ଧର୍ମର ସଂସ୍ଥାପନ | ଯୁଗେ ଯୁଗେ ଆସି ଅର୍ଜୁନ || ୮ ||

ଜନ୍ମ ଓ କର୍ମ ଦିବ୍ୟ ମୋ'ର | ଏମନ୍ତ ଜାଣେ ଯେଉଁ ନର || ଦେହ ତ୍ୟାଗ ପରେ ଅର୍ଜୁନ | ତା' ପୁନର୍ଜନ୍ମ ନାହିଁ ଜାଣ || ମୋ'ର ଧାମକୁ ପ୍ରାପ୍ତି ତା'ର | ନିସନ୍ଦେହ ହେ ଧନୁର୍ଦ୍ଧର || ୯ ||

ଆସକ୍ତି ଭୟ ଵିଵର୍ଜିତ | ମୋ'ଠାରେ ହୋଇଣ ଆଶ୍ରିତ || ମୋ'ଠାରେ ଲୀନ ଚିତ୍ତ ହୋଇ | ଜ୍ଞାନ ପ୍ରଦୀପକୁ ଜଳାଇ || ଚିତ୍ତ ଶୁଦ୍ଧି କରି ଅର୍ଜୁନ | ନିଶ୍ଚୟ ମୋତେ ପ୍ରାପ୍ତ ଜାଣ || ୧୦ ||

ଯେ ନର ଯେପରି ଭାଵରେ | ମୋ'ର ଚରଣେ ଆଶ୍ରା କରେ || ମୁଁ ତାକୁ ସେପରି ଭାବରେ | ସର୍ବଦା ଅନୁଗ୍ରହ କରେ || ବିଭିନ୍ନ ଭାବେ ଭକ୍ତଗଣ | କରନ୍ତି ମୋ ଅନୁସରଣ || ୧୧ ||

କର୍ମଜନିତ ସିଦ୍ଧି ପାଈଁ | ମନୁଷ୍ୟ ଦେବତା ପୂଜଇ || ମନୁଷ୍ୟ ଲୋକରେ ଅର୍ଜୁନ | ମିଳଇ ସିଦ୍ଧି ଶୀଘ୍ର ଜାଣ || ୧୨ ||

ଗୁଣ ଓ କର୍ମ ଅନୁସାରେ | ଚତୁର୍ବର୍ଣ୍ଣ ଏ ଜଗତରେ || ସୃଷ୍ଟି ମୁଁ କରିଛି ଅର୍ଜୁନ | ସଖା ମୋ କୁନ୍ତିମା ନନ୍ଦନ || କର୍ତ୍ତା ମୁଁ ଅଟେ ଧନଞ୍ଜୟ | ତଥାପି ଅକର୍ତ୍ତା ଅବ୍ୟୟ || ୧୩ ||

ଲିପ୍ତ ରୁହେନା ମୁଁ କର୍ମରେ | ନା କର୍ମ ଫଳେ ସ୍ପୃହା କରେ || ଏମନ୍ତ ମୋତେ ଯେ ଜାଣଇ | କର୍ମ ବନ୍ଧନେ ନ ପଡ଼ଇ || ୧୪ ||

ଏମନ୍ତ ଜାଣି ହେ ଅର୍ଜୁନ | ପୂର୍ଵରୁ ମୋକ୍ଷକାମୀ ଜନ || କର୍ତ୍ତବ୍ୟ କର୍ମ କରିଛନ୍ତି | କର୍ମ କର ତୁମେ ନଚିନ୍ତି || ୧୫ ||

କର୍ମ କ'ଣ ଅକର୍ମ କ'ଣ | ଏହା ଜାଣିବାରେ ଅର୍ଜୁନ || ସଂସାରେ ବହୁ ଜ୍ଞାନୀ ବ୍ୟକ୍ତି | ସଦା ମୋହିତ ହୋଇଥା'ନ୍ତି || ଏହି ତତ୍ତ୍ୱର ହେଲେ ଜ୍ଞାନ | ଅଶୁଭୁ ମୁକ୍ତ ହେବ ଜାଣ || ୧୬ ||

କର୍ମକୁ ଜାଣିବା ଉଚିତ | ତା' ସହ ଅକର୍ମର ତତ୍ତ୍ୱ || ବିକର୍ମ ତତ୍ତ୍ୱର ଵିଜ୍ଞାନ | ତଥା କର୍ମ ଫଳାଦି ଜ୍ଞାନ || କର୍ମ ଗତି ଅତି ଗହନ | ଜାଣିବା ଦୁଷ୍କର ଅର୍ଜୁନ || ୧୭ ||

କର୍ମରେ ଅକର୍ମ ଦେଖଇ | ଅକର୍ମେ କର୍ମ ଦେଖିଥାଇ || ସକଳ କର୍ମ କରୁଥାଇ | ଅଚଳ ସ୍ଥିତିରେ ରୁହଇ || ମନୁଷ୍ୟ ମଧ୍ୟେ ବୁଦ୍ଧିମାନ | ସେ ନର ଅଟଇ ଅର୍ଜୁନ || ୧୮ ||

ଆରମ୍ଭ ସକଳ କର୍ମର | ସଂକଳ୍ପ ରହିତ ଯାହାର || ଜ୍ଞାନାଗ୍ନି ଦ୍ୱାରା କର୍ମ ଯା'ର | ଦଗ୍ଧିଭୁତ ହେ ଧନୁର୍ଦ୍ଧର || ସେ ଅଟେ ପଣ୍ଡିତ ଅର୍ଜୁନ | ଏହା କହନ୍ତି ଜ୍ଞାନୀଜନ || ୧୯ ||

ଫଳରେ ଆସକ୍ତି ତ୍ୟାଗଇ | ନିତ୍ୟତୃପ୍ତ ଯେ ରହିଥାଇ || ନିରାଶ୍ରୟ ପୁଣି ସେ ଥାଇ | ସର୍ଵଦା ଯୁକ୍ତ ଚିତ୍ତ ହୋଇ || କର୍ମରେ ପ୍ରବୃତ୍ତ ହୁଅଇ | ତଥାପି ଅକ୍ରିୟ ରୁହଇ || ୨୦ ||

ଇନ୍ଦ୍ରିୟ ଚିତ୍ତ ବଶୀଭୂତ | ସଂଗ୍ରହ ବୃତ୍ତି କରି ତ୍ୟକ୍ତ || ଶରୀର କର୍ମ କରୁଥାଇ | ପାପର ଭୋଗୀ ନ ହୁଅଇ || ୨୧ ||

ଯାହାଵି ମିଳଇ ଅର୍ଜୁନ | ତହିଁରେ ସନ୍ତୁଷ୍ଟ ଯେ' ଜନ || ଦ୍ଵନ୍ଦରୁ ଵିମୁକ୍ତ ରୁହଇ | ରାଗ ଦ୍ବେଷରୁ ମୁକ୍ତ ରହି || ସଫଳାସଫଳ ଆଦିରେ | ରହିଥାଏ ସମ ଭାଵରେ || ଯଦି ବା କର୍ମ କରୁଥାଇ | କର୍ମ ବନ୍ଧନ ନ ଲାଗଇ || ୨୨ ||

ସଙ୍ଗରୁ ମୁକ୍ତ ଯେଉଁ ଜନ | ଚିତ୍ତ ଜ୍ଞାନରେ ଅବସ୍ଥାନ || ଯଜ୍ଞ ନିମିତ୍ତ କର୍ମ ତା'ର | ବନ୍ଧନୁ ମୁକ୍ତ ସେଇ ନର || ୨୩ ||

ବ୍ରହ୍ମରୂପକ କର୍ତ୍ତା ଜାଣ | ବ୍ରହ୍ମକୁ କରଇ ଅର୍ପଣ || ବ୍ରହ୍ମରୂପକ ଅଗ୍ନି ଯହିଁ | ବ୍ରହ୍ମର ଆହୁତି ନିଅଇ || ଗନ୍ତବ୍ୟ ବ୍ରହ୍ମ ହିଁ ଅଟଇ | ଏ କର୍ମ ବ୍ରହ୍ମ ହୋଇଥାଇ || ୨୪ ||

ଯଜ୍ଞର ବିଵିଧ ପ୍ରକାର | କହୁଛି ଶୁଣ ଧନୁର୍ଦ୍ଧର || କେତେକ ଦେଵ ଉଦ୍ଧେସ୍ୟରେ | ଯଜ୍ଞ କରନ୍ତି ଦ୍ରଵ୍ୟାଦିରେ || କେତେକ ଶରୀର ମଧ୍ୟରେ | ଯଜ୍ଞ କରନ୍ତି ଵ୍ରହ୍ମାଗ୍ନିରେ ||  ପ୍ରାଣରୂପକ ଵ୍ରହ୍ମାହୁତି | ଵ୍ରହ୍ମାଗ୍ନିରେ ସେ କରିଥା'ନ୍ତି || ୨୫ ||

ଶ୍ରବଣ ଇତ୍ୟାଦି ଇନ୍ଦ୍ରିୟ | ଘୃତ ଭାଵିଣ ଧନଞ୍ଜୟ || ସଂଯମ ରୂପକ ଅଗ୍ନିରେ | ଦିଅନ୍ତି ଆହୁତି ଅଚିରେ || ଶବ୍ଦାଦି ଇନ୍ଦ୍ରିୟ ବିଷୟ | ଘୃତ ଭାଵିଣ ଧନଞ୍ଜୟ || ଇନ୍ଦ୍ରିୟସଂଯମ ଅଗ୍ନିରେ | ଆହୁତି କରନ୍ତି ମନରେ || ୨୬ ||

ଆତ୍ମଜ୍ଞାନରେ ଦୀପ୍ତିମାନ | କିଛି ଯୋଗୀଗଣ ଅର୍ଜୁନ || ସର୍ଵ ଇନ୍ଦ୍ରିୟ କର୍ମମାନ | ପ୍ରାଣକର୍ମ କରି ଅର୍ଜୁନ || ଆତ୍ମ ସଂଯମ ଵ୍ରହ୍ମାଗ୍ନିରେ | ସକଳ କର୍ମାହୁତି କରେ || ୨୭ ||

ଦ୍ରବ୍ୟଯଜ୍ଞ ଓ ତପଯଜ୍ଞ | ଯୋଗଯଜ୍ଞ ଓ ଜ୍ଞାନଯଜ୍ଞ || ସଂଯମ ଆଦି ଯଜ୍ଞମାନ | ଯୋଗୀ କରିଥାନ୍ତି ଅର୍ଜୁନ || ୨୮ ||

ପ୍ରାଣରେ ଆପାନ ହବନ | ହବନ ଆପାନରେ ପ୍ରାଣ || ପ୍ରାଣାପାନର ଗତିରୋଧ | ହୋଇ ପ୍ରାଣାୟମେ ଆଵଦ୍ଧ || ସଂଯମ କରିଣ ଆହାର | କେତେକ ଯୋଗୀ ଧନୁର୍ଦ୍ଧର ||  ପ୍ରାଣରେ ପ୍ରାଣକୁ ଆହୁତି | ଦିଅନ୍ତି କରି ସ୍ଥିରମତୀ ||  ଏମନ୍ତ କର୍ମମାନ କରି | ନିଷ୍ପାପ ହୁଏ ଯୋଗାଚାରୀ || ୨୯ – ୩୦ ||

ଯଜ୍ଞର ଅଵଶିଷ୍ଟ ଅନ୍ନ | ଅମୃତତୁଲ୍ୟ କରି ମନ || ଯେଉଁ ଯୋଗୀ କରେ ଭୋଜନ | ମିଳଇ ବ୍ରହ୍ମ ସନାତନ || ଯେ ବ୍ୟକ୍ତି ଯଜ୍ଞ ନକରଇ | ତା'ର ଏ ଲୋକେ ସ୍ଥାନ ନାହିଁ || ଅନ୍ୟଲୋକରେ ନାହିଁ ସ୍ଥାନ | ଏମନ୍ତ ମତ ମୋ ଅର୍ଜୁନ || ୩୧ ||

ଯଜ୍ଞ କର୍ମ ବିଧି ବହୁତ | ବେଦରେ ହୋଇଛି ବର୍ଣ୍ଣିତ || ଯଜ୍ଞ କର୍ମରୁ ହୁଏ ଜାତ | ଜାଣି ବିମୁକ୍ତ ହୁଅ ପାର୍ଥ || ୩୨ ||

ଦ୍ରବ୍ୟଯଜ୍ଞ ଠାରୁ ଅର୍ଜୁନ | ଜ୍ଞାନ ଯଜ୍ଞ ହିଁ ଶ୍ରେଷ୍ଠ ଜାଣ || ସମସ୍ତ କର୍ମର ସମାପ୍ତି | ହୁଅଇ ଯେବେ ଜ୍ଞାନ ପ୍ରାପ୍ତି || ୩୩ ||

ତତ୍ତ୍ଵଦର୍ଶୀଙ୍କ ଚରଣରେ | ନତମସ୍ତକ ସହକାରେ || ସେମାନଙ୍କ ସେବା କରିଣ | ପଚାର ପ୍ରଶ୍ନ ହେ ଅର୍ଜୁନ || ସେ ତତ୍ତ୍ୱଦର୍ଶୀ ଜ୍ଞାନୀଜନ | ଜ୍ଞାନୋପଦେଶ ଦେବେ ଜାଣ || ୩୪ ||

ସେ ଜ୍ଞାନ କଲେ ଅନୁଭଵ | ନାଶ ହେବ ମୋହ ପାଣ୍ଡବ || ସକଳ ଯେତେ ଜୀଵଗଣ | ମୋ'ମଧ୍ୟେ ଦେଖିବ ଅର୍ଜୁନ || ୩୫ ||

ସମସ୍ତ ପାପୀ ଜଗତର | ତା' ଠୁଁ ବେଶୀ ଵି ଧନୁର୍ଦ୍ଧର || ଯଦି ଵି ତୁମେ ହୋଇଥାଅ | ତଥାପି ଚିନ୍ତା ମୁକ୍ତ ରୁହ || ଜ୍ଞାନ ଭେଳାରେ ବୀରଵର | ବସି ଲଂଘିବ ଏ ସଂସାର || ୩୬ ||

କାଷ୍ଠକୁ ଅଗ୍ନି ପ୍ରଜ୍ବଳିତ | କରଇ ଭଷ୍ମୀଭୂତ ପାର୍ଥ || ସକଳ କର୍ମକୁ ଅର୍ଜୁନ | ଜ୍ଞାନାଗ୍ନି ଭସ୍ମକରେ ଜାଣ || ୩୭ ||

ଆତ୍ମଜ୍ଞାନ ତୁଲ୍ୟ ସମାନ | ପବିତ୍ର କିଛି ନାହିଁ ଜାଣ || ସ୍ୱୟଂ ଯୋଗସିଦ୍ଧ ପାଣ୍ଡବ | ଅନ୍ତରେ କରେ ଅନୁଭବ || ୩୮ ||

ଶ୍ରଦ୍ଧାବାନ ଅଟେ ଯେଉଁ ଜନ | ହୋଇ ସାଧନା ପରାୟଣ || ଇନ୍ଦ୍ରିୟକୁ କରି ସଂଯତ | ଏକାଗ୍ର କଲେ ମନ ଚିତ୍ତ || ଜ୍ଞାନ ଲାଭ ହୁଏ ଅର୍ଜୁନ | ପରମ ଶାନ୍ତି ମିଳେ ଜାଣ || ୩୯ ||

ଅଶ୍ରଦ୍ଧାବାନ ଅଜ୍ଞ ଜନ | ସଂଶୟୀ ମୁଢ ଆତ୍ମା ଜାଣ || ମିଳି ନଥାଏ ସୁଖ ଶାନ୍ତି | ଅଚିରେ ନାଶ ହୋଇଥା'ନ୍ତି ||  ଇହ ଲୋକ ପର ଲୋକରେ | ସଦା ରହିଥାଏ ଦୁଃଖରେ || ୪୦ ||

ଯୋଗରେ କର୍ମରୁ ସନ୍ୟାସ | ଜ୍ଞାନେ ସଂଶୟ କରି ନାଶ || ଆତ୍ମ ପରାୟଣ ସେ ଜନ | ନ ବାନ୍ଧଇ କର୍ମ ବନ୍ଧନ || ୪୧ ||

ଅଜ୍ଞାନରୁ ଜାତ ସଂଶୟ | ଦୂରକର ହେ ଧନଞ୍ଜୟ || ଯୋଗରେ ଆଶ୍ରିତ ହୋଇଣ | ଜ୍ଞାନ ଖଡ୍ଗେ କରି ଛେଦନ || ୪୨ ||

ଜ୍ଞାନର ଅର୍ଥ ଭଗବାନ | ତା'ଛଡ଼ା ସବୁ ତୁଚ୍ଛ ଜାଣ || ମନରେ ଶ୍ରୀକୃଷ୍ଣ ସୁମରି | ସର୍ଵଦା କହି ହରି ହରି || ପ୍ରଭୁଙ୍କ ନାମ ସୁମରିବା | ପରମ ଧାମ ପ୍ରାପ୍ତ ହେବା || ଅମୂଲ୍ୟ ଆତ୍ମ ତତ୍ତ୍ୱ ଜ୍ଞାନ | ପ୍ରଭୁଙ୍କ ମୁଖରୁ ଶୁଣିଣ || ଏ କୃଷ୍ଣଦାସ ଦୀନ ହୀନ | ନିଜକୁ ମନେକରେ ଧନ୍ୟ || ଏହି ଜ୍ଞାନକୁ ନିତ୍ୟ ପାଠ | କରି ସବୁ ହୁଅ ସୁକୃତ || ଚତୁର୍ଥ ଖଣ୍ଡ କୃଷ୍ଣଗୀତ | ଅଟଇ ଅବ୍ୟୟ ଅନନ୍ତ || ୪୩ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଜ୍ଞାନ ବିଭାଗ ୟୋଗୋ ନାମ ଚତୁର୍ଥ ଅଧ୍ୟାୟଃ || ୪ ||