ଦ୍ବିତୀୟ ଅଧ୍ୟାୟ – ସାଂଖ୍ୟ ଯୋଗ

ସଞ୍ଜୟ ଉଵାଚ

ଶୋକରେ ପୀଡିତ ଅର୍ଜୁନ | ବିଷାଦଗ୍ରସ୍ତ ଅଶ୍ରୁପୂର୍ଣ୍ଣ || ଦେଖିଣ ଆକୁଳ ନୟନ | କୃପେ କହିଲେ ଭଗବାନ || ୧ ||

ଶ୍ରୀଭଗବାନ ଉଵାଚ

ବିଷମ ସମୟେ ଅର୍ଜୁନ | କେଉଁଠୁ ମୋହ ଆଗମନ || ଅନାର୍ଯ୍ୟ କୀର୍ତ୍ତିରାଜୀ ନଷ୍ଟ | ସ୍ୱର୍ଗଲାଭୁ କରେ ବଞ୍ଚିତ || ୨ ||

ନପୁଂସକତା ତ୍ୟାଗ କର | ଏ ନୁହଁ ଉଚିତ ବିଚାର || ସଂକୀର୍ଣ୍ଣ ଦୁର୍ଵଳ ହୃଦୟ | ଛାଡ଼ି ଉଠ ହେ ଧନଞ୍ଜୟ || ୩ ||

ଅର୍ଜୁନ ଉଵାଚ

ଭୀଷ୍ମ ଦ୍ରୋଣାଦି ପୂଜ୍ୟଜନ | କିଆଁ ଯୁଦ୍ଧ ମଧୁସୂଦନ || କିପରି ଶର ସଂଚାଳନ | କରିବି ମୁଁ ଅରିସୁଦନ || ୪ ||

ହତ୍ୟା ନକରି ଗୁରୁଜନ | ଖାଇବି ଭିକ୍ଷାର ଭୋଜନ || ଭିକ୍ଷା ଅନ୍ନ କଲେ ଆହାର | ହତ୍ୟାଠୁ ବରଂ ଶ୍ରେୟଷ୍କର || ଭୋଗାର୍ଥେ ହତ୍ୟା ଗୁରୁଜନ | ରକ୍ତ ଅନ୍ନ ସହ ସମାନ || ୫ ||

ହୁଅନ୍ତୁ ସେମାନେ ବିଜୟ | ଅଥବା ହୋଉ ଆମ୍ଭ ଜୟ || କୋଉଟା ହେବ ଶ୍ରେୟଷ୍କର | ଜାଣି ପାରୁନି ଚକ୍ରଧର || ସେମାନଙ୍କୁ ଯଦି ମାରିବି | କିଆଁ ଅବା ମୁହିଁ ବଞ୍ଚିବି || ଧୃତରାଷ୍ଟ୍ର ପୁତ୍ର ସ୍ଵଜନ | ଆଶା ଛାଡ଼ି ଧନ ଜୀଵନ || ଅଛନ୍ତି ମୋର ସମ୍ମୁଖରେ | ଜାଣେନା ମନ କି ବିଚାରେ || ୬ ||

କୃପଣ ଦୋଷେ ଅଶ୍ରୁମୋର | ବହୁଛି କିଆଁ ଧାର ଧାର || ହୋଇଛି ମୁଁ ହତବିବେକ | ବିମୁଢ କିଂକର୍ତ୍ତବ୍ୟ ମୂର୍ଖ || ଅଜ୍ଞାନୀ ହତଭାଗା ମୁହିଁ | ଶରଣ ମୁଁ ତୁମ ପଶଇ || ଶରଣେ ମୁଁ ଶିଷ୍ୟ ତୁମର | ଦୟାକର ଦୟାସାଗର || ଦିଅ ମୋତେ କର୍ତ୍ତବ୍ୟ ଜ୍ଞାନ | ବାସୁଦେବ ମଧୁସୁଦନ || ୭ ||

ପଞ୍ଚ ଇନ୍ଦ୍ରିୟ ଶୋକେ ମୋର | ହୋଇଛି ଶୁଷ୍କ ଚକ୍ରଧର || ଏମନ୍ତ ଶୁଷ୍କଯେ ହୁଅଇ | ତିଳେ ହିଁ ଶାନ୍ତି ନ ଲଭଇ || ମୃତ୍ୟୁଲୋକ ରେ ରାଜଭୋଗ | ସ୍ୱର୍ଗଲୋକେ ଅବା ବୈଭବ || ଚିନ୍ତି ମୋ ସନ୍ତପ୍ତ ଇନ୍ଦ୍ରିୟ | ଶାନ୍ତି ପାଉନି ଦୟାମୟ ||  ମୁଁ ତୁମ ଚରଣ କିଙ୍କର | ଦୟାକର ହେ ଗୁରୁଵର || ୮ ||

ସଞ୍ଜୟ ଉଵାଚ ଏମନ୍ତ କହିଣ ଅର୍ଜୁନ | ନେଲେ ବାସୁଦେବ ଶରଣ || କହି ବାସୁଦେବ ମାଧବ | ହୋଇଲେ ଅର୍ଜୁନ ନୀରଵ || ୯ ||

ଦ୍ଵନ୍ଦ ଶୋକ ଗ୍ରସ୍ତ ଅର୍ଜୁନ | ବୁଝାଇଲେ ତାଙ୍କୁ ମୋହନ || ଏମନ୍ତ ଗୋଵିନ୍ଦଙ୍କ ବାଣୀ | ଯେମନ୍ତ ଶୁଦ୍ଧ ଚକ୍ରପାଣୀ || ୧୦ ||

ଶ୍ରୀଭଗବାନ ଉଵାଚ

କହୁଛ କଥା ଜ୍ଞାନୀପରି | ବୁଡିଛ ଶୋକେ ନ ବିଚାରି || କରୁଛ ଶୋକ ଯାହାପାଈଁ | ନିରର୍ଥକ ତାହା ଅଟଇ || ଜୀବିତ ମୃତ କାହା ପାଇଁ | ପଣ୍ଡିତ ଶୋକ ନ କରଇ || ୧୧ ||

ନଥିଲା ଏମିତି ସମୟ | ନଥିଲେ ତୁମେ ମୁଁ ଉଭୟ || ଥିଲେ ସବୁ ଏ ନୃପଗଣ | ରୂପ ଧାରିଣ ଭିନ୍ନଭିନ୍ନ || ନ ହେବ ଏମନ୍ତ ସମୟ | ନ ରହିଵା ଆମ୍ଭେ ଉଭୟ || ରହିବେ ମଧ୍ୟ ନୃପଗଣ | ସତ୍ୟ ଅଟେ ଏହା ଅର୍ଜୁନ || ୧୨ ||

ଯେମନ୍ତ ଦେହୀ ଦେହେ ଥାଏ | ନାନା ଅବସ୍ଥା ଦେଇଯାଏ || ବାଳ ଯୌବନ ଜରାମୟ | ମରଣେ ଲଭେ ନଵ ଦେହ || ଏହା ଧୀର ବ୍ୟକ୍ତି ଜାଣଇ | ମୃତ୍ୟୁରେ ଶୋକ ନ କରଇ || ୧୩ ||

ଇନ୍ଦ୍ରିୟ ଵିଷୟ ସଂଯୋଗ | ତହୁଁ ସୁଖଦୁଃଖ ଉଦ୍ଭବ || ଶୀତ ଉଷ୍ମ ଯେ ନୁହଁ ଭିନ୍ନ | ସୁଖ ଦୁଃଖ ଅଟେ ସମାନ || ଆଗମନ ପ୍ରତ୍ୟାଗମନ | ଲାଗି ରହିଥାଏ ଅର୍ଜୁନ || ଏ ସବୁ ଅସ୍ଥାୟୀ ବିଷୟ | ଏହାକୁ ସହ୍ୟ କରିଯାଅ || ୧୪ ||

ସୁଖେ ଦୁଃଖେ ନୁହଁ ବ୍ୟଥିତ | ସର୍ଵଦା ସମ ଭାବେ ସ୍ଥିତ || ଅମରତ୍ୱ ପାଇଁ ସମର୍ଥ | ଜାଣ ପୁରୁଷ ଶ୍ରେଷ୍ଠ ପାର୍ଥ || ୧୫ ||

ଅସତ୍ୟ ସର୍ବଦା ଅସ୍ଥାୟୀ | ଯେମନ୍ତ ଜଳେ ଫେଣ ଥାଇ || ସତ୍ୟ ସର୍ବଦା ଚିରନ୍ତନ | ଶ୍ବେତ କ୍ଷୀରଠୁଁ ନୁହେଁ ଭିନ୍ନ || ପଣ୍ଡିତ ତତ୍ତ୍ୱଦର୍ଶୀଗଣ | ଏମନ୍ତ କହନ୍ତି ଅର୍ଜୁନ || ୧୬ ||

ଜୀବତ୍ମା ଅଵିନାଶୀ ହୋଇ | ଶରୀରେ ବ୍ୟାପି ରହିଥାଇ || ସେହି ଅବିନାଶୀ ତତ୍ତ୍ୱର | କେ କରିବ ନାଶ ତାହାର || ୧୭ ||

ସ୍ଥୂଳ ଦୃଶ୍ୟମାନ ଶରୀର | ବିନାଶ ନିଶ୍ଚୟ ତାହାର || ଦେହ ମଧ୍ୟରେ ଦେହୀ ଥାଇ | ସର୍ବଦା ଶାଶ୍ୱତ ଅଟଇ || ୧୮ ||

ନା କେବେ ହତ୍ୟା କରିଥାଇ | ନା କେବେ ନିହତ ହୁଅଇ || ଯେ ଭାବେ ଏହା ହତ୍ୟାକାରୀ | ସେ ଅଟେ ମୁଢ ନିଜ ଅରି || ଅଜ୍ଞାନୀ ଜନ ନ ବୁଝଇ | ଏହା ମରଶୀଳ ଭାଵଇ || ୧୯ ||

ଏହାର ଜନ୍ମମୃତ୍ୟୁ ନାହିଁ | ନିତ୍ୟ ଶାଶ୍ୱତ ଏ ଅଟଇ || ହୋଇ ନାହିଁ କେବେ ଜନମ | ନାହିଁ କେବେ ହେବ ଜନମ || ଅଜନ୍ମା ଅବିନାଶୀ ତତ୍ତ୍ୱ | ଅଟଇ ପୁରାତନ ସତ୍ୟ || ୨୦ ||

ଅଜନ୍ମା ଅବ୍ୟୟ ଓ ନିତ୍ୟ | ଶାଶ୍ୱତ ଅବିନାଶୀ ସତ୍ୟ || ଏମନ୍ତ ଯେ ନର ଜାଣଇ | ସେ କେବେ ହତ୍ୟା ନ କରଇ || ଶାଶ୍ୱତ ସତ୍ୟ ଜାଣି ଥାଇ | ହତ୍ୟାର ହେତୁ ନ ହୁଅଇ || ୨୧ ||

ଯେମନ୍ତ ଦେହ ପୁରାତନ | ତ୍ୟାଗଇ ବସ୍ତ୍ର ଜୀର୍ଣ୍ଣଶୀର୍ଣ୍ଣ || ନିର୍ମଳ ବସ୍ତ୍ର ପରିଧାନ | କରଇ ସଦା ହେ ଅର୍ଜୁନ || ସେମନ୍ତ ଦେହୀ ଜୀର୍ଣ୍ଣଶୀର୍ଣ୍ଣ | ତ୍ୟାଗିଣ ଦେହ ପୁରାତନ || ନୂତନ ଶରୀର ଧାରଣ | କରଇ ସଦାକାଳେ ଜାଣ || ୨୨ ||

ଶସ୍ତ୍ର ଛେଦନ ଅସମ୍ଭବ | ନା ଅଗ୍ନିଦହନ ସମ୍ଭଵ || ନପାରେ ଜଳ କରି ଓଦା | ଯେହ୍ନେ କମଳ ଶୁଷ୍କ ସଦା ||  ପଵନ ନପାରେ ସୁଖାଇ | ଅଶୋଷ୍ୟ ଦିବ୍ୟ ତତ୍ତ୍ୱ ଏହି || ୨୩ ||

ଅଛେଦ୍ୟ ଅକ୍ଳେଦ୍ୟ ଅମର | ଅଦାହ୍ୟ ନିତ୍ୟ ସ୍ଥିତି ଯା'ର ||  ନିତ୍ୟ ସର୍ବତ୍ର ବିଦ୍ୟମାନ | ସ୍ଥିର ଅଚଳ ସନାତନ || ୨୪ ||

ଅବ୍ୟକ୍ତ ଅଚିନ୍ତ୍ୟ ଶାଶ୍ୱତ | ଦିବ୍ୟ ଏ ଅଵିନାଶୀ ତତ୍ତ୍ୱ || ଏହାକୁ ଏପରି ଜାଣିଣ | ନ କର ଶୋକ ହେ ଅର୍ଜୁନ || ୨୫ ||

ଦେହସହ ସୃଷ୍ଟି ଦେହୀର | ଦେହମଲେ ନାଶ ଏହାର ||  ଯଦିଓ ଏମନ୍ତ ବିଚାର | କରୁଚ ତୁମେ ଧନୁର୍ଦ୍ଧର || ତେବେ ଵି ଶୋକର କାରଣ | ଦେଖିନି ମୁଁ କୁନ୍ତିନନ୍ଦନ || ୨୬ ||

ଜନ୍ମପରେ ମୃତ୍ୟୁ ନିଶ୍ଚିତ | ମୃତ୍ୟୁପରେ ଜନ୍ମ ହିଁ ସତ୍ୟ || ଏହାହିଁ ବିଧିର ବିଧାନ | ନାହିଁ ହେବ ପରିବର୍ତ୍ତନ || ଏହାହିଁ ଧ୍ରୁବ ଜଗତର | ଏଣୁ ଶୋଚନା ତ୍ୟାଗକର || ୨୭ ||

ଦୃଶ୍ୟମାନ ଏ ଭୁତଗଣ | ପ୍ରକଟ ପୂର୍ଵରୁ ଅର୍ଜୁନ || ଅବ୍ୟକ୍ତ ରୂପେ ଥିଲେ ଜାଣ | ଯେହ୍ନେ କାଷ୍ଠେ ଅଗ୍ନି ଗୋପନ || ମୃତ୍ୟୁ ପରେ ହେବେ ଅବ୍ୟକ୍ତ | ଏହାହିଁ ଚିରନ୍ତନ ସତ୍ୟ ||  ଏ ଦିବ୍ୟ ସତ୍ୟକୁ ଜାଣିଣ | ଶୋକ ନ କର ଅକାରଣ || ୨୮ ||

ଆଶ୍ଚର୍ୟ ଭାବେ ଦେଖେକେହି | କେହି ଅଶ୍ଚର୍ୟେ କହିଥାଇ || ଅଶ୍ଚର୍ୟ ଭାବେ କେହି ଶୁଣି | କିଛିଵି ନ ପାରଇ ଜାଣି || ୨୯ ||

ଦେହ ମଧ୍ୟରେ ରହିଥାଇ | ଦେହ ମରିଲେ ନ ମରଇ || ରୁହଇ ଅଵଧ୍ୟ ଅମର | କଦାପି ମୃତ୍ୟୁ ନାହିଁ ଯା'ର || ଦେହର ମରଣ ଅର୍ଜୁନ | ନୁହଁଇ ଶୋକର କାରଣ || ୩୦ ||

କ୍ଷତ୍ରିୟ ଧର୍ମ ଯୁଦ୍ଧ ଜାଣ | କିଆଁ କୁଣ୍ଠାଵୋଧ ଅର୍ଜୁନ || ଯେଣୁ ତୁମେ ଏକ କ୍ଷତ୍ରିୟ | ଯୁଦ୍ଧ କର ହେ ଧନଞ୍ଜୟ || ଦ୍ବିଧାକୁ ତୁମେ ତ୍ୟାଗକର | ଏମନ୍ତ ମତଟି ମୋହର || ୩୧ ||

ଏମନ୍ତ ସୁଯୋଗ ବିରଳ | ସ୍ଵର୍ଗ ଲାଭ କରେ ସରଳ || ପାଇଛ ତୁମେ ଏ ସୁଯୋଗ | ନ କର ତୁମେ ପରିତ୍ୟାଗ || ୩୨ ||

ଯଦି ଧର୍ମଯୁଦ୍ଧ ନ କର | ସ୍ଵଧର୍ମ ତୁମେ ତ୍ୟାଗକର || ଯେତେ ଯଶ କୀର୍ତ୍ତି ତୁମର | ଅଚିରେ ନାଶ ହେବ ତା'ର || ହରାଇଵ ସବୁ ସମ୍ମାନ | ଜିଣିଵ ପାପ ହେ ଅର୍ଜୁନ || ୩୩ ||

ଜଗତେ ମାନବ ସକଳ | ନିନ୍ଦା କରିବେ ବହୁକାଳ || ସମ୍ମାନସ୍ପଦ ବ୍ୟକ୍ତି ପାଈଁ | ନିନ୍ଦା ମରଣୁ ବଳିଯାଇ || ୩୪ ||

ଯଦି ନ କର ତୁମେ ଯୁଦ୍ଧ | ଭୀରୁ ରୂପେ ହେବ ପ୍ରସିଦ୍ଧ || ଯେ ଜାଣଇ ତୁମ ସାମର୍ଥ୍ୟ | ଭାବଇ ତୁମେ ମହାରଥ || ଭାଵିବ ତୁମେ ଭୟକଲ | ଭୟରେ ଯୁଦ୍ଧ ତ୍ୟାଗକଲ || ୩୫ ||

କହିବେ ଅବାଚ୍ୟ ଵଚନ | ତୁମ ଶତୃଗଣ ଅର୍ଜୁନ || ତୁମ ସାମର୍ଥ୍ୟକୁ ନିନ୍ଦିବେ | ଯଶକୁ ତୁମର ନାଶିବେ || ଏହାଠୁଁ ବେଶି ଦୁଃଖତର | ନାହିଁ କିଛି ହେ ଧନୁର୍ଦ୍ଧର || ୩୬ ||

ଯୁଦ୍ଧରେ ଯଦି ହତ ହୁଅ | ସ୍ଵର୍ଗ ପ୍ରାପ୍ତି ତୁମ ନିଶ୍ଚୟ || ଯଦି ହେବ ତୁମ ଵିଜୟ | ଭୋଗିଵ ରାଜ୍ୟ ଧନଞ୍ଜୟ || ଏଣୁ କରି ଦୃଢ଼ ନିଶ୍ଚୟ | ସଂଗ୍ରାମ ପାଇଁ ଠିଆ ହୁଅ || ୩୭ ||

ସୁଖ ଦୁଃଖ ସବୁ ସମାନ | ଯଥା ଲାଭ କ୍ଷତି ଅର୍ଜୁନ || ନ ଭାଵି ଜୟ ପରାଜୟ | ଉଦ୍ୟତ ଯୁଦ୍ଧପାଇଁ ହୁଅ || ନହେଲେ ପାପର ଅର୍ଜନ | କରିଵ ତୁମେ ହେ ଅର୍ଜୁନ || ୩୮ ||

ସାଂଖ୍ୟ ଯୋଗର ଵର୍ଣ୍ଣନ | କରିଲି ତୁମକୁ ଅର୍ଜୁନ || ସମବୁଦ୍ଧି ରେ ଯୁକ୍ତ ହୋଇ | କର୍ମକଲେ ବନ୍ଧ ଫିଟଇ || ଏମନ୍ତ ଏହି ଯୋଗ ଜ୍ଞାନ | କହିବି ତୁମକୁ ଅର୍ଜୁନ || ୩୯ ||

ସମବୁଦ୍ଧିରେ ସ୍ଥିତ ରହି | ଯେ ନର କର୍ମ କରିଥାଇ || ଏହି ପଥେ ସ୍ୱଳ୍ପ ପ୍ରଗତି | ଟାଳି ଦିଏ ମହା ବିପତ୍ତି ||  ମହାଭୟରୁ ରକ୍ଷାକରେ | ନାନା ଦୁଃଖ ଶୋକୁ ଉଦ୍ଧାରେ || ୪୦ ||

ଵ୍ୟବସାୟୀଙ୍କ ବୁଦ୍ଧି ସଦା | ଏକ ଲକ୍ଷ୍ୟେ ଥାଏ ସର୍ଵଦା || ଅବ୍ୟବସାୟୀଙ୍କର ବୁଦ୍ଧି | ବିଭିନ୍ନ ଦିଗେ ଥାଏ ଛନ୍ଦି || ୪୧ ||

କହନ୍ତି ଅଳ୍ପ ବୁଦ୍ଧିଧାରୀ | ଅତିରଞ୍ଜିତ କଥାକରି || ଇନ୍ଦ୍ରିୟ ସୁଖ ଓ ସମ୍ପଦ | ଭୋଗ ଓ ଆମୋଦ ପ୍ରମୋଦ || ଅନ୍ତିମ ଲକ୍ଷ୍ୟ ସ୍ୱର୍ଗଲାଭ | ଯଶ କୀର୍ତ୍ତି ଓ ବୈଭବ || କର୍ମକାଣ୍ଡରେ ମାତିଥାନ୍ତି | ଆଡ଼ମ୍ଵରେ ପୂଜା କରନ୍ତି || ୪୨-୪୩ ||

ଐଶ୍ବର୍ୟ ଭୋଗରେ ଆସକ୍ତ | କର୍ମକାଣ୍ଡେ ହୋଇ ଵିଭ୍ରାନ୍ତ || ଵ୍ୟବସାୟୀଙ୍କ ବୁଦ୍ଧି ପରି | ନପାରି ସମବୁଦ୍ଧି କରି || ସମବୁଦ୍ଧିରେ ସଦା ସ୍ଥିତ | ହୋଇ ନଥାନ୍ତି କୁନ୍ତିସୁତ || ୪୪ ||

ସତ୍ତ୍ୱ ରଜ ତମ ତ୍ରିଗୁଣ | ବେଦରେ ତାହାର ଵର୍ଣ୍ଣନ || ତ୍ରିଗୁଣ ରହିତ ହୋଇଣ | ସମ ଭାବେ ରୁହ ଅର୍ଜୁନ || ସକଳ ଦ୍ଵନ୍ଦ ତ୍ୟାଗକରି | ସର୍ବଦା ସତ୍ତ୍ୱଭାଵ ଧରି || ଲାଭ କ୍ଷତିର ଛାଡ଼ି ଆଶ | ଆତ୍ମାରେ କର ସଦା ବାସ || ୪୫ ||

କ୍ଷୁଦ୍ର ଜଳାଶୟ ଯେମନ୍ତ | ବୃହତ ସ୍ରୋତରେ ପ୍ଲାବିତ || ଲଭିଲା ପରେ ବ୍ରହ୍ମଜ୍ଞାନ | ବେଦର ନାହିଁ ପ୍ରୟୋଜନ || ୪୬ ||

କର୍ମରେ ତୁମ ଅଧିକାର | ଫଳରେ ନାହିଁ ଧନୁର୍ଦ୍ଧର || ନରଖ କର୍ମ ଫଳେ ମନ | ନ ହୁଅ କେବେ କ୍ରିୟାହୀନ || ୪୭ ||

ସମଯୋଗେ ସ୍ଥିତ ହୋଇଣ | ଫଳାଫଳସଙ୍ଗ ତ୍ୟାଗିଣ || ଅସିଦ୍ଧ ସିଦ୍ଧ ସମଭାଵ | ରଖିବ ସର୍ବଦା ପାଣ୍ଡବ || ସମତା ହିଁ ଯୋଗ ଅର୍ଜୁନ | ଧନଞ୍ଜୟ କୁରୁ ନନ୍ଦନ || ୪୮ ||

ବୁଦ୍ଧିଯୋଗରେ ଧନଞ୍ଜୟ | ସଦା ସର୍ବଦା ସ୍ଥିତ ହୁଅ || ସକାମ କର୍ମ ତ୍ୟାଗ କର | ଶରଣ ନେଇଣ ବୁଦ୍ଧିର || ଫଳରେ ଆଶା ଥିବା ଵ୍ୟକ୍ତି | ସର୍ବଦା କୃପଣ ଵୋଲାନ୍ତି || ୪୯ ||

ସମବୁଦ୍ଧିରେ ଯିଏ ସ୍ଥିତ | ତ୍ୟାଗଇ ସୁକୃତ ଦୁସ୍କୃତ || ଯୁକ୍ତ ହୁଅ ତୁମେ ଅର୍ଜୁନ | ଭାରତ କୁରୁ କୂଳଧନ || ଯୋଗ ହିଁ କର୍ମର କୌଶଳ | ବୁଝିଲେ ଅତ୍ୟନ୍ତ ସରଳ || ୫୦ ||

ସମତା ସ୍ଥିତ କର୍ମଯୋଗୀ | ଅଶୁଭ ଶୁଭ ଫଳ ତ୍ୟାଗୀ || ଜନ୍ମ ମୃତ୍ୟୁ ରୁ ମୁକ୍ତ ହୋଇ | ପରମଧାମ କୁ ଲଭଇ || ୫୧ ||

ସମବୁଦ୍ଧିରେ ସ୍ଥିତ ହେବ | ମୋହମାୟା ପଙ୍କ ଲଂଘିବ || ହୋଇଵ ବୈରାଗ୍ୟ ପ୍ରାପତି | ପାଇଵ ନିର୍ବିକାର ସ୍ଥିତି || ୫୨ ||

ବେଦର ବିଭିନ୍ନ ବିଧାନ | କର୍ମକାଣ୍ଡର ପ୍ରଥାମାନ || ଶୁଣି ଵି ରହିବ ନିଶ୍ଚଳ | ପରମତ୍ମାଠାରେ କେବଳ || ଏମନ୍ତ ଅଭ୍ୟାସ କରିଣ | ସମତା ପାଇବ ଅର୍ଜୁନ || ୫୩ ||

ଅର୍ଜୁନ ଉଵାଚ

ସ୍ଥିତପ୍ରଜ୍ଞର ଭାଷା କ'ଣ | ସମାଧିସ୍ଥର କି' ଲକ୍ଷଣ || କିପରି କହନ୍ତି ବଚନ | ସଭାଂଷଣ ଓ ଵିଚରଣ || କେମନ୍ତ ଥା'ନ୍ତି ସ୍ଥିର ହୋଇ | କୃପେ କୁହହେ ଭାଵଗ୍ରାହୀ || ୫୪ ||

ଶ୍ରୀଭଗବାନ ଉଵାଚ ମନର ସକଳ କାମନା | ଛାଡ଼ି ଯେ ହୁଏ ସ୍ଥିର ମନା || ଥିଲେ ଵି ଯେତେ ଦୁଃଖକଷ୍ଟ | ରଖଇ ନିଜକୁ ସନ୍ତୁଷ୍ଟ || ଆତ୍ମାରେ ଯିଏ ଲଭେ ଶାନ୍ତି | ତାକୁ ସ୍ଥିତପ୍ରଜ୍ଞ କହନ୍ତି || ୫୫ ||

ଦୁଃଖରେ ନ ହୋଇ ଉଦ୍ବିଗ୍ନ | ନୁହଁ ଵି ସୁଖରେ ପ୍ରସନ୍ନ || ଆସକ୍ତି ଭୟ କ୍ରୋଧ ମୁକ୍ତ | ସର୍ବଦା ସମ ଭାଵ ଯୁକ୍ତ || ସେହି ମନନଶୀଳ ଜନ | ସ୍ଥିରବୁଦ୍ଧି ମୁନୀ ଅର୍ଜୁନ || ୫୬ ||

ସର୍ବତ୍ର ଅନାସକ୍ତ ରହି | ଶୁଭେ ଅଶୁଭେ ସ୍ଥିର ହୋଇ || ନିନ୍ଦା ପ୍ରଶଂସା ନ କରଇ | ସ୍ଥିତପ୍ରଜ୍ଞ ସେଇ ଵୋଲାଇ || ୫୭ ||

ଯେମନ୍ତ କଛପ ଅର୍ଜୁନ | କରଇ ଅଙ୍ଗ ସଂକୋଚନ || ସର୍ଵ ଇନ୍ଦ୍ରିୟ ଅପସରି | ସଦା ଆତ୍ମାରେ ବାସକରି || ସେମନ୍ତ ଯେ ନର ରୁହଇ | ସ୍ଥିତପ୍ରଜ୍ଞ ସେଇ ବୋଲାଇ || ୫୮ ||

ବିଷୟ ଭୋଗରୁ ନିବୃତ୍ତ | କରିଣ ମନକୁ ସଂଯତ || ଯେ'ନର ସାଧନା କରଇ | ନିଜ ଲକ୍ଷ୍ୟରେ ଦୃଢ ରହି || ଯଦି ବାସନା ବାକି ଥାଏ | ଆତ୍ମ ଦର୍ଶନେ ଦୂରହୁଏ || ୫୯ ||

ଇନ୍ଦ୍ରିୟ ଶକ୍ତିଯେ ପ୍ରବଳ | ମନକୁ କରଇ ଦୁର୍ବଳ || ସାଧକ ମନ ଟାଣି ନିଏ | ବିଷୟ ଭୋଗରେ ଲଗାଏ || ୬୦ ||

ଇନ୍ଦ୍ରିୟକୁ ବଶ କରଇ | ମୋ ଠାରେ ଚିତ୍ତ ନିବେଶଇ || ସଂଯମ ଯା'ର ବୁଦ୍ଧିମନ | ସ୍ଥିତପ୍ରଜ୍ଞ ସିଏ ଅର୍ଜୁନ || ୬୧ ||

ଇନ୍ଦ୍ରିୟ ବିଷୟ ସଂୟୋଗ | ସଂୟୋଗୁ ଆସକ୍ତି ଉଦ୍ଭଵ || ଆସକ୍ତି ପ୍ରବଳ ହୁଅଇ | ତୀବ୍ର କାମନା ରୁପ ନେଇ || କାମନା ପୁରଣ ନୋହୋଇ | କ୍ରୋଧର ଜନମ ହୁଅଇ || ୬୨ ||

କ୍ରୋଧ୍ରୁ ସମ୍ମୋହ ହୁଏ ଜାତ | ସମ୍ମୋହୁ ସ୍ମୃତି ହୁଏ ଭ୍ରାନ୍ତ || ଭ୍ରାନ୍ତୁ ବୁଦ୍ଧିନାଶ ଅର୍ଜୁନ |ବୁଦ୍ଧିନାଶୁ ହୁଏ ପତନ || ୬୩ ||

ରାଗଦ୍ବେଷରୁ ମୁକ୍ତ ରହି | ଇନ୍ଦ୍ରିୟ ସଂଯମେ ରୁହଇ || ଆତ୍ମ ସଂଯମ ବ୍ରତେ ସ୍ଥିତ | ପ୍ରସନ୍ନ ଚିତ୍ତ ତା'କୁ ପ୍ରାପ୍ତ || ୬୪ ||

ପ୍ରସନ୍ନ ଯେବେ ହୁଏ ମନ | ସର୍ଵ ଦୁଃଖ କରେ ନାଶନ || ପ୍ରସନ୍ନତା ପୁଣି ବ୍ୟକ୍ତିର | ପ୍ରଜ୍ଞାକୁ କରିଥାଏ ସ୍ଥିର || ୬୫ ||

ଯୁକ୍ତ ବୁଦ୍ଧି ନୁହଁ ଯାହାର | ନାହିଁ ଭାଵନା ଯୁକ୍ତ ତା'ର || ଭାଵନାରେ ଭରା ଅଶାନ୍ତି | ତହିଁ ସୁଖ କେବେ ନ ଥାନ୍ତି || ୬୬ ||

ଯେହ୍ନେ ଜଳରେ ନୌକା ଥାଇ | ପଵନ ପ୍ରକୋପେ କମ୍ପଇ || ବିଷୟାସକ୍ତ ଥିବା ମନ | ତା'ର ବୁଦ୍ଧି ହୁଏ ହରଣ || ୬୭ ||

ଇନ୍ଦ୍ରିୟ ବିଷୟୁ ବିୟୋଗ | କରିଛି ଯେ ନର ସମ୍ଭବ || ଵିଷୟ ଭୋଗେ ନାହିଁ ମନ | ସ୍ଥିତପ୍ରଜ୍ଞ ସିଏ ଅର୍ଜୁନ || ୬୮ ||

ସଭିଙ୍କ ପାଇଁ ଯାହା ଦିନ | ମୁନୀ ପାଇଁ ନିଶା ସମାନ || ରାତ୍ର ସମୟ ସଭିଁଙ୍କର | ଦିନ ଭାଵଇ ମୁନୀ ନର || ୬୯ ||

ଚତୁର୍ଦିଗୁ ଜଳ ପଶଇ | ସମୁଦ୍ର ସ୍ଥିର ରହିଥାଇ || ଅନାସକ୍ତ ବ୍ୟକ୍ତି ମନରେ | ପ୍ରବେଶ ଯେତେ କାମ କରେ || ଅଚଳ ଥାଏ ତା'ର ମନ | ସ୍ଥିତପ୍ରଜ୍ଞ ସିଏ ଅର୍ଜୁନ || ୭୦ ||

ସର୍ଵ କାମନା ତ୍ୟାଗକରି | ନିର୍ମମ ଓ ନିରହଙ୍କାରୀ || ନିସ୍ପୃହ ଭାବେ ରହିଥାନ୍ତି |ସଦା ଶାନ୍ତି ଲାଭ କରନ୍ତି || ୭୧ ||

କରିଲି ଯାହା ମୁଁ ଵର୍ଣ୍ଣନ | ତାହା ବ୍ରହ୍ମସ୍ଥିତି ଅର୍ଜୁନ || ଏହାକୁ ପ୍ରାପ୍ତ ଯେ କରଇ | ମୋହଗ୍ରସ୍ତ ସେ ନ ହୁଅଇ || ଜୀବନ ଅନ୍ତିମ ପର୍ଯ୍ୟନ୍ତ | ରହିଲେ ଏହିଭାବେ ସ୍ଥିତ || ସମ୍ପୂର୍ଣ୍ଣ ସ୍ଥିତ ଯେ ହୁଅଇ | ବ୍ରହ୍ମନିର୍ବାଣ ସେ ଲଭଇ || ୭୨ ||

ଏମନ୍ତ ସାଂଖ୍ୟଯୋଗ ଜ୍ଞାନ | କୃପେ କହିଲେ ଭଗବାନ || ଅଜ୍ଞାନ ମରଣ ଶରୀର | ଅଚିରେ ନାଶ ହେବ ମୋର || ପାଶେ ଥାଉ ଥାଉ ଶରୀର | ଯଦି ନଭଜିଵି ଈଶ୍ବର || ଦୁର୍ଲଭ ମାନଵ ଶରୀର | ବୃଥା ହୋଇଯିବ ମୋହର || ଅଚିନ୍ତ୍ୟ ଅଚଳ ଈଶ୍ବର | ସମଗ୍ର ସୃଷ୍ଟିର ଆଧାର || ସର୍ଵ ବ୍ୟାପକ ସତ୍ତା ଯାର | ଅନ୍ତରେ ଥାଇ ଲାଗେ ଦୂର || ମାୟା କରୁଛ ମାୟାଧର | ତୁମ କୃପା ହି ଏକ ସାର || ଏମନ୍ତ ଚିନ୍ତେ କୃଷ୍ଣଦାସ | ପ୍ରତ୍ୟକ ନିଶ୍ୱାସ ପ୍ରଶ୍ୱାସ || ଦ୍ଵିତିୟ ଖଣ୍ଡ କୃଷ୍ଣଗୀତ | ପଢିଣ ହୁଅ କୃତ୍ୟ କୃତ୍ୟ || ୭୩ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ସାଂଖ୍ୟ ୟୋଗୋ ନାମ ଦ୍ବିତୀୟ ଅଧ୍ୟାୟଃ || ୨ ||