ଅଷ୍ଟମ ଅଧ୍ୟାୟ – ଅକ୍ଷର ବ୍ରହ୍ମ ଯୋଗ
ଅର୍ଜୁନ ଉଵାଚ
ବ୍ରହ୍ମ କ'ଣ ଆଧ୍ୟାତ୍ମ କ'ଣ | କର୍ମ କ'ଣ ମଧୁସୁଦନ || ଅଧିଭୂତ ଓ ଅଧିଦେଵ | କାହାକୁ କହନ୍ତି ମାଧବ || ୧ ||
ଅଧିଯଜ୍ଞ କିଏ କହ୍ନେଇ | କିପରି ଦେହରେ ରୁହଇ || ମୃତ୍ୟୁ କାଳେ ସଂଯମୀ ଜୀବ | ତୁମ୍ଭକୁ କିପରି ଜାଣିଵ || ୨ ||
ଶ୍ରୀଭଗବାନ ଉଵାଚ
ଜୀଵ ଅକ୍ଷର ଚିରନ୍ତନ | ବ୍ରହ୍ମ ଅଟଇ ହେ ଅର୍ଜୁନ || ଜୀବର ଶାଶ୍ୱତ ସ୍ଵଭାଵ | ଆଧ୍ୟାତ୍ମ କହନ୍ତି ଜାଣିବ || ନିଶ୍ଚଳ ଚିରନ୍ତନ ସତ୍ତା | ତ୍ୟାଗ କରେ ତା ନିଶ୍ଚଳତା || ନିଶ୍ଚଳତା ତ୍ୟାଗ କରିଣ | ଉଦ୍ଭବ କରେ ଜୀବଗଣ || ଜୀବଶରୀରର ପାଳନ | ନିମନ୍ତେ ହେବା କ୍ରିୟାମାନ || କର୍ମ କହନ୍ତି ହେ ଅର୍ଜୁନ | କୁରୁ ଶ୍ରେଷ୍ଠ କୁନ୍ତିନନ୍ଦନ || ୩ ||
କ୍ଷୟଶୀଳ ଜଡ ପ୍ରକୃତି | ଅଧିଭୂତ ତାକୁ କହନ୍ତି || ବିରାଟ ପୁରୁଷ ଅଚ୍ୟୁତ | ସେ ଅଧିଦେବ କୁନ୍ତିସୁତ || ଜୀବଦେହରେ ରହିଥାଇ | ଯଜ୍ଞର ଭୋକ୍ତା ମୁଁ ବୋଲାଇ || ମୁଁ ହିଁ ଅଧିଯଜ୍ଞ ଅର୍ଜୁନ | ସର୍ଵ କାରଣର କାରଣ || ୪ ||
ମରଣ କାଳେ ଯେଉଁ ପ୍ରାଣୀ | ତ୍ୟାଗେ ଦେହ ମୋତେ ସ୍ମରଣି || ମୋ'ର ଭାଵକୁ ପ୍ରାପ୍ତ ତା'ର | ନାହିଁ ସନ୍ଦେହ କୁରୁଵର || ୫ ||
ଜୀଵନକାଳେ ଯାହା ଭାଵ | ମରଣକାଳେ ସେଇ ଭାଵ || ଯେଉଁ ଭାବେ ଜୀବ ଭାଵଇ | ଭାଵିଣ ଶରୀର ତ୍ୟାଗଇ || ନୂତନ ଯୋନି ସେ ଲଭଇ | ଅନ୍ତିମ ଚିନ୍ତା ଅନୁଯାୟୀ || ୬ ||
ମନ ଓ ବୁଦ୍ଧି ସମର୍ପଣ | ସର୍ବଦା ମୋତେ ହିଁ ସ୍ମରଣ || କରି ଯୁଦ୍ଧ କର ଅର୍ଜୁନ | ନିଶ୍ଚୟ ମୋତେ ପ୍ରାପ୍ତ ଜାଣ || ୭ ||
ଅଭ୍ୟାସଯୋଗେ ହୋଇ ଯୁକ୍ତ | ଅନ୍ୟ ଚିନ୍ତନ ରୁ ରହିତ || ପରମ ପୁରୁଷ ଅଚ୍ୟୁତ | ଗିରିଧାରୀ ଦିବ୍ୟ ଅନନ୍ତ || ତାଙ୍କୁ ଚିନ୍ତି ଦେହ ତ୍ୟାଗଇ | ନିଶ୍ଚୟ ତାଙ୍କୁ ପ୍ରାପ୍ତ ହୋଇ || ୮ ||
ସର୍ବଜ୍ଞ ପୁରାଣ ଈଶ୍ବର | ସୂକ୍ଷ୍ମାତିସୂକ୍ଷ୍ମ ରୂପ ଯା'ର || ଆଦିତ୍ୟ ପରି ଜ୍ୟୋତିର୍ମୟ | ସୃଷ୍ଟି ପାଳନ ଓ ପ୍ରଳୟ || ସକଳ ବ୍ରହ୍ମାଣ୍ଡ ଗୋସାଇଁ | ଅଜ୍ଞାନ ସ୍ପର୍ଶ ନ କରଇ || ୯ ||
ମୃତ୍ୟୁକାଳେ ଏକାଗ୍ର ଚିତ୍ତ | ମନରେ ଭକ୍ତିର ସହିତ || ଭ୍ରୁବ ମଧ୍ୟେ ପ୍ରାଣ ସ୍ଥାପନ | କରିଣ ମୋ ନାମ ସ୍ମରଣ || ଏମନ୍ତ ଚିନ୍ତା ଯେ କରଇ | ନିଶ୍ଚୟ ମୋତେ ପ୍ରାପ୍ତ ହୋଇ ||୧୦ ||
ବେଦଜ୍ଞ ଶାସ୍ତ୍ରଜ୍ଞାନୀ ଗଣ | ଅକ୍ଷର କହନ୍ତି ଅର୍ଜୁନ || ଯା' ପ୍ରାପ୍ତି ପାଈଁ ସାଧୁଗଣ | ସନ୍ୟାସ ଜୀବନ ଯାପନ || ସାଧକ ତା'ପ୍ରାପ୍ତି ଆଶାରେ | ବ୍ରହ୍ମଚର୍ୟ ବ୍ରତ ଆଚରେ || ସେ ପ୍ରାପ୍ତପଦ ବିଷୟରେ | କହିବି ମୁହିଁ ସଂକ୍ଷେପରେ || ୧୧ ||
ସର୍ଵଦ୍ୱାର ରୁଦ୍ଧ କରିଣ | ମନକୁ ହୃଦୟେ ରଖିଣ || ପ୍ରାଣକୁ ମୁର୍ଧ୍ନିରେ ସ୍ଥାପନ | ଓଁବୀଜ ମନ୍ତ୍ରକୁ ସ୍ମରଣ || ମନରେ ମୋହର ଚିନ୍ତନ | ଯୋଗରେ ସଂସ୍ଥିତ ଅର୍ଜୁନ || ଯେ ଏମନ୍ତ ପ୍ରାଣ ତ୍ୟାଗଇ | ନିଶ୍ଚୟ ମୋତେ ପ୍ରାପ୍ତ ହୋଇ || ୧୨-୧୩||
ଯେ ଅନ୍ୟ ଚିନ୍ତା ନକରଇ | ସର୍ବଦା ମୋତେ ଚିନ୍ତୁଥାଇ || ସେ ନିତ୍ୟଯୁକ୍ତ ଯୋଗୀ ପାଈଁ | ସହଜ ଲବ୍ଧ ମୁଁ ହୁଅଇ || ୧୪ ||
ଯେଉଁ ଯୋଗୀ ମୋତେ ଲଭଇ | ପରମମୋକ୍ଷ ପାଇଥାଇ || ପୁନର୍ଜନ୍ମ ତା'ର ନ ହୋଇ | ଦୁଃଖାଳୟକୁ ନ ଫେରଇ || ୧୫ ||
ବ୍ରହ୍ମଲୋକ ଯାଏଁ ସମସ୍ତ | ଜନ୍ମ ମୃତ୍ୟୁ ଚକ୍ରେ ବନ୍ଧିତ || ମୋତେ ପ୍ରାପ୍ତଇ ଯେଉଁ ଜନ | ତା ପୁନର୍ଜନ୍ମ ନାହିଁ ଜାଣ ||୧୬ ||
ସହସ୍ର ଚତୁର୍ଯୁଗ ନେଇ | ଵ୍ରହ୍ମାଙ୍କ ଏକ ଦିବା ହୋଇ || ସହସ୍ର ଚତୁର୍ଯୁଗେ ପୁଣି | ଵ୍ରହ୍ମାଙ୍କ ରାତ୍ରି ଜାଣେ ଜ୍ଞାନୀ || ଏମନ୍ତ ଯେ ଜନ ଜାଣନ୍ତି | ଅହୋରାତ୍ର ତତ୍ତ୍ୱ ଜାଣନ୍ତି || ୧୭ ||
ଵ୍ରହ୍ମାଙ୍କ ଦିବା ଯେବେ ହୁଏ | ଅବ୍ୟକ୍ତୁ ଜୀବ ସୃଷ୍ଟି ହୁଏ || ଵ୍ରହ୍ମାଙ୍କ ରାତ୍ର ହେଲେ ଜାଣ | ସଭିଁଏ ହୋଇଥାନ୍ତି ଳୀନ || ୧୮ ||
ଜନ୍ମ ମୃତ୍ୟୁର ଏ ବନ୍ଧନ | ସଦା ଲାଗିରହେ ଅର୍ଜୁନ || ଦିବାରେ ଜୀଵ ସୃଷ୍ଟି ଜାଣ | ରାତ୍ରିରେ ହୁଅନ୍ତି ବିଲୀନ || ୧୯ ||
ଏହି ଅବ୍ୟକ୍ତ ଅତିରିକ୍ତ | ଅନ୍ୟ ଅବ୍ୟକ୍ତ ଥାଏ ଶ୍ରେଷ୍ଠ || ସକଳ ଜୀଵ ନାଶ ଯାଇ | ଏହାର ବିନାଶ ନ ହୋଇ || ୨୦ ||
ଜାଣିବ ଅବ୍ୟକ୍ତ ଅକ୍ଷର | ପରମଗତି ଧନୁର୍ଦ୍ଧର || ଥରେ ଯେ ସେଠାକୁ ଯାଅଇ | ମୃତ୍ୟୁ ସଂସାରେ ନ ଫେରଇ || ସେ ଧାମ ମୋହର ଅଟଇ | ଏମନ୍ତ ସତ୍ୟ ଜାଣ ତୁହି || ୨୧ ||
ଶ୍ରେଷ୍ଠ ସେ ପରମ ପୁରୁଷ | ଜୀଵ ଅନ୍ତରେ ଯା'ର ବାସ || ସର୍ଵବ୍ୟାପକ ସତ୍ତା ଯା'ର | ଅଚିଂତ୍ୟ ଅଚଳ ଈଶ୍ବର || ବିଶ୍ବ ଵ୍ରହ୍ମଣ୍ଡେ ଯିଏ ବ୍ୟାପ୍ତ | ଅନନ୍ୟ ଭକ୍ତିରେ ସେ ପ୍ରାପ୍ତ || ୨୨||
କେଉଁ କାଳେ ଦେହ ତ୍ୟାଗିଣ | ପୁନର୍ଜନ୍ମ ହୁଏ ଅର୍ଜୁନ || ଦେହ ତ୍ୟାଗ ପୁଣି କେ' କାଳେ | ନ ହୁଏ ପୁନର୍ଜନ୍ମ ଭଲେ || ସେ ତତ୍ତ୍ୱ ଵିଷୟେ ଅର୍ଜୁନ | କହୁଛି ମନ ଦେଇ ଶୁଣ || ୨୩ ||
ଅଗ୍ନି ଜ୍ୟୋତିର ଅଧିପତି | ଦିବସେ ଯେଉଁ ମାର୍ଗେ ଥା'ନ୍ତି || ଶୁକ୍ଳପକ୍ଷର ଅଧିପତି | ଉତ୍ତରାୟଣ ଅଧିପତି || ସେ କାଳେ ଦେହ ତ୍ୟାଗ କଲେ | ସଂସାର ନ ଫେରନ୍ତି ଭଲେ ||୨୪||
ଯେ ମାର୍ଗେ ଧୁମ ଅଧିପତି | ରାତ୍ରି ଅଧିପତି ରୁହନ୍ତି || କୃଷ୍ଣ ପକ୍ଷର ଅଧିପତି | ଦକ୍ଷିଣାୟନ ଅଧିପତି || ସେ କାଳେ କଲେ ଦେହତ୍ୟାଗ | ଚନ୍ଦ୍ରଜ୍ୟୋତିକୁ ପ୍ରାପ୍ତହେବ || ଚନ୍ଦ୍ରଜ୍ୟୋତି ପ୍ରାପ୍ତ ହୋଇଣ | ସଂସାରେ ଫେରିବ ଅର୍ଜୁନ || ୨୫ ||
ଶୁକ୍ଳ କୃଷ୍ଣ ମାର୍ଗ ଉଭୟ | ଶାଶ୍ୱତ ମାର୍ଗ ଅଟେ ଦ୍ୱୟ || ଗୋଟିଏ ମୁକ୍ତି ପ୍ରଦାୟକ | ଅନ୍ୟଟି ବନ୍ଧନ କାରକ || ୨୬ ||
ଦ୍ବି ମାର୍ଗ ବିଷୟେ ଜାଣି ଥାନ୍ତି | ଯୋଗୀ ମୋହିତ ନ ହୁଅନ୍ତି || ନ ହୋଇ ତୁମେ ବିଚଳିତ | ସର୍ବଦା ରୁହ ଯୋଗନିଷ୍ଠ || ୨୭ ||
ବେଦରେ ତଥା ତପସ୍ୟାରେ | ଯଜ୍ଞ ତଥା ଦାନ କର୍ମରେ || ଯେଉଁ ପୁଣ୍ୟ ଫଳ ମିଳଇ | ଅକ୍ଷର ବ୍ରହ୍ମ ତତ୍ତ୍ୱ ପାଇ || ସେ ଫଳ ଯୋଗୀ ପାଇଥାଇ | ମୋ ଧାମ କୁ ପ୍ରାପ୍ତ ହୁଅଇ || ୨୮||
ପ୍ରଭୁଙ୍କର ସଦା ଚିନ୍ତନ | ପ୍ରଭୁ ଚରଣେ ଦେଇ ମନ || ପ୍ରତ୍ୟେକ ଶ୍ୱାସରେ ଶ୍ରୀକୃଷ୍ଣ | ଧ୍ୟାନରେ ଶ୍ରୀପାଦ ଦର୍ଶନ || ସମଗ୍ର ବିଶ୍ବ ଅଧିପତି | ତୁମଠେ ଥାଉ ମୋର ମତି || ଏମନ୍ତ ମନେ ଚିନ୍ତାକରି | କୃଷ୍ଣଦାସ ନିଜ ଵଇରି || ଅକ୍ଷର ବ୍ରହ୍ମ ଯୋଗ ତତ୍ତ୍ୱ | ପଢ଼ି ସବୁ ହୁଅ ସୁକୃତ || ୨୯ ||
ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଅକ୍ଷରବ୍ରହ୍ମ ୟୋଗୋ ନାମ ଅଷ୍ଟମ ଅଧ୍ୟାୟଃ || ୮ ||