ପଞ୍ଚମ ଅଧ୍ୟାୟ – କର୍ମସନ୍ୟାସ ଯୋଗ

ଅର୍ଜୁନ ଉଵାଚ

କର୍ମ ସନ୍ୟାସର ଶ୍ରେଷ୍ଠତା | କର୍ମଯୋଗର ମହାନତା || ଶୁଣିଣ ତୁମ୍ଭର ଵର୍ଣ୍ଣନ | ମୋ' ମନେ ଶଂସୟ ଉତ୍ପନ || ଦୁହିଁଙ୍କ ମଧ୍ୟେ ଶ୍ରେଷ୍ଠ କେହି | ହେ କୃଷ୍ଣ ଦୟାକର କହି || ୧ ||

ଶ୍ରୀଭଗବାନ ଉଵାଚ

ସନ୍ୟାସ କର୍ମଯୋଗ ଦ୍ୱୟ | ମୁକ୍ତି ପ୍ରଦାୟକ ଉଭୟ || ତୁଳନା କଲେ ଦୁହିଁଙ୍କର | କର୍ମଯୋଗଟି ଶ୍ରେୟଷ୍କର || ୨ ||

ଆକାଂକ୍ଷା ଦ୍ବେଷ ଯା'ର ନାହିଁ | ସେ ନିତ୍ୟ ସନ୍ୟାସି ଅଟଇ || ମନରେ ନିର୍ଦ୍ବନ୍ଦ୍ୱ ରୁହଇ | ସଂସାର ସାଗରୁ ତରଇ || ୩ ||

ଉଭୟ ଅଟଇ ଅଭିନ୍ନ | ପଣ୍ଡିତଙ୍କ ମତ ଅର୍ଜୁନ || ଯେକୌଣସିରେ ହେଲେ ସ୍ଥିତ | ପରମାତ୍ମା ପ୍ରାପ୍ତି ନିଶ୍ଚିତ ||୪||

ସାଂଖ୍ୟଯୋଗୀର ଲକ୍ଷ୍ୟ ସ୍ଥାନ | କର୍ମଯୋଗୀ ସହ ସମାନ || ସାଂଖ୍ୟ ଓ କର୍ମଯୋଗ ଦ୍ବୟ | ଅଭିନ୍ନ ଅଟନ୍ତି ଉଭୟ || ଏମନ୍ତ ଯେ' ନର ଦେଖଇ | ପ୍ରକୃତ ସତ୍ୟ ଦେଖିଥାଇ ||୫||

କର୍ମଯୋଗ ବିନା ଅର୍ଜୁନ | କେବଳ କର୍ମତ୍ୟାଗ ଜାଣ || ଦୁଃଖନାଶ କରି ନଥାଇ | ନା ଯୋଗ ସିଦ୍ଧି ଦେଇଥାଇ || କର୍ମଯୋଗରେ ଯୁକ୍ତ ନର | ଅଚିରେ ଵ୍ରହ୍ମ ପ୍ରାପ୍ତି ତା'ର || ୬ ||

ଯୋଗରେଯୁକ୍ତ ବିଶୁଦ୍ଧାତ୍ମା | ଇନ୍ଦ୍ରିୟଜୟୀ ବିଜିତାତ୍ମା || ସର୍ଵଭୂତଙ୍କ ଆତ୍ମା ଯିଏ | ସ୍ଵଆତ୍ମା ଚିନ୍ତା କରିଥାଏ || ସେ ଯୋଗୀ କର୍ମ କରିଥାଇ | କର୍ମରେ ଲିପ୍ତ ନ ରୁହଇ || ୭ ||

ଈଶ୍ବର ଚେତନାରେ ରହି | ସମସ୍ତ କର୍ମ କରୁଥାଇ || ଦର୍ଶନ ଶ୍ରବଣ ସ୍ପର୍ଶନ | ଆଘ୍ରାଣ ଖାନ ପାନ ସ୍ଵପ୍ନ || ମଳ ଓ ମୂତ୍ର ଵିସର୍ଜନ | ଗମନାଗମନ ଗ୍ରହଣ || ଶ୍ୱାସ ପ୍ରଶ୍ଵାସ ଓ ବଚନ | ଚକ୍ଷୁ ପଲକ ଉନ୍ମେଷଣ || ଏମନ୍ତ ସର୍ଵ କ୍ରିୟାମାନ | ଇନ୍ଦ୍ରିୟ ସ୍ୱୟଂ କ୍ରିୟା ଜାଣ || ମୁଁ କିଛି କର୍ମ କରୁନାହିଁ | ତତ୍ତ୍ୱଵିତ୍ ଏହା ଜାଣିଥାଇ || ୮-୯ ||

ଈଶ୍ବର ସମର୍ପଣ ହୋଇ | ନିଷ୍କାମ କର୍ମ ଯେ କରଇ || ପାପରେ ଲିପ୍ତ ନ ହୁଅଇ | ଯେମନ୍ତ ପଦ୍ମପତ୍ର ଥାଇ || ୧୦ ||

କାୟ ବାକ୍ୟ ଓ ବୁଦ୍ଧି ମନ | ଇନ୍ଦ୍ରିୟ ଦ୍ୱାରା ଯୋଗୀଜନ || ଅନାସକ୍ତ କର୍ମ କରଇ | କେବଳ ଆତ୍ମ ଶୁଦ୍ଧି ପାଈଁ || ୧୧ ||

ଯୁକ୍ତ କର୍ମ ଯେ କରୁଥାଇ | କର୍ମଫଳକୁ ଵି ତ୍ୟାଗଇ || ପରମ ଶାନ୍ତି ସେ ଲଭଇ | ସନ୍ଦେହ ତିଳେ ମାତ୍ର ନାହିଁ || ଅଯୁକ୍ତାସକ୍ତ କର୍ମମାନ | ଵନ୍ଧନ ଦିଅଇ ଅର୍ଜୁନ || ୧୨ ||

ମନରେ ସଂଯମ ଆଚରି | ସମସ୍ତ କର୍ମ ତ୍ୟାଗକରି || ନବଦ୍ୱାରପୁରେ ରୁହଇ | ପରମାନନ୍ଦ ଲଭୁଥାଇ || ନା କୌଣସି କର୍ମ କରଇ | ନାହିଁ କିଛି କରାଉଥାଇ || ୧୩ ||

କର୍ତ୍ତା କର୍ମ ଓ ଫଳମାନ | ନ କରନ୍ତି ସୃଷ୍ଟି ଭଗବାନ || କର୍ତ୍ତା ଓ କର୍ମର ସଂଯୋଗ | ବିଶ୍ବ ପ୍ରକୃତିରୁ ଉଦ୍ଭବ || ୧୪ ||

ନା କାହାର ପାପ ଗ୍ରହଣ | ନା ପୁଣ୍ୟ ଗ୍ରହଣ ଅର୍ଜୁନ || କରନ୍ତି ବିଶ୍ବର ଈଶ୍ବର | ସକଳ ସୃଷ୍ଟିର ଆଧାର || ମନୁଷ୍ୟ ଅଜ୍ଞାନରେ ଥାଇ | ମୋହଗ୍ରସ୍ତ ସେ ହୋଇଥାଇ || ୧୫ ||

ଉଦୟ ହେଲେ ଆତ୍ମଜ୍ଞାନ | ଅଜ୍ଞାନ ନାଶ ହୁଏ ଜାଣ || ଯେମନ୍ତ ସୂର୍ଯ୍ୟ ପ୍ରକାଶଇ | ସୃଷ୍ଟି ଆଲୋକିତ କରଇ || ଆତ୍ମଜ୍ଞାନର ସେ ପ୍ରକାଶ | ଅନ୍ଧକାରକୁ କରେ ନାଶ || ୧୬ ||

ଯା' ବୁଦ୍ଧି ଆତ୍ମା ନିଷ୍ଠା ମନ | ପରମାତ୍ମାଠେଁ ଥାଏ ଲୀନ || ତା' ପାପ ସଂସ୍କାର ସମୂହ | ଜ୍ଞାନ ବଳରେ ହୁଏ ଦାହ || ପରମ ଧାମ ସେ ଲଭଇ | ଯେ' ଧାମୁ କେହି ନ ଫେରଇ ||୧୭||

ବିଦ୍ୟା ଓ ବିନୟ ସମ୍ପନ | କରଇ ସେ ସମଦର୍ଶନ || ବ୍ରାହ୍ମଣ ଗୋରୁ ହସ୍ତି ଶ୍ଵାନ | ସର୍ଵ ଜୀବ ଜନ୍ତୁ ସମାନ || ତତ୍ତ୍ୱଦର୍ଶୀ ସିଏ ପଣ୍ଡିତ | ଏହା ଅର୍ଜୁନ ମୋର ମତ || ୧୮ ||

ଯା' ମନ ସମତାରେ ସ୍ଥିତ | ସେ ମୋକ୍ଷ ଲଭଇ ଜୀଵିତ || ବ୍ରହ୍ମରେ ନିତ୍ୟ ପ୍ରତିଷ୍ଠାନ | ବ୍ରହ୍ମ ଅଟଇ ତୃଟିଶୁନ୍ୟ || ୧୯ ||

ପ୍ରିୟ ଵସ୍ତୁ ପ୍ରାପ୍ତିରେ ଯେହି | ଅତି ହର୍ଷିତ ନ ହୁଅଇ || ଅପ୍ରିୟ ପ୍ରାପ୍ତିରେ ଅର୍ଜୁନ | ଯେ' ହୁଏ ନାହିଁ ଉଦ୍ବିଗ୍ନ || ସେମନ୍ତ ସ୍ଥିର ବୁଦ୍ଧି ଜନ | ସଦା ବ୍ରହ୍ମରେ ରୁହେ ମଗ୍ନ || ୨୦ ||

ବାହ୍ୟ ଭୋଗରେ ଅନାସକ୍ତ | ଅନ୍ତରେ ଆନନ୍ଦ ଅତ୍ୟନ୍ତ || ବ୍ରହ୍ମରେ ହେଲେ ନିତ୍ୟ ସ୍ଥିତ | ସଦାନନ୍ଦ ସ୍ଥିତି ନିଶ୍ଚିତ || ୨୧ ||

ଇନ୍ଦ୍ରିୟ ସ୍ପର୍ଶୁ ଯେତେ ସୁଖ | ପଶ୍ଚାତେ ଦେଇଥା'ନ୍ତି ଦୁଃଖ || ଦୁଃଖର କାରଣ ଅର୍ଜୁନ | ତାହାର ଆଦି ଅନ୍ତ ଜାଣ || ପଣ୍ଡିତ ଜ୍ଞାନୀ ବ୍ୟକ୍ତି କେହି | ସେ ସୁଖେ ଲିପ୍ତ ନ ହୁଅଇ || ୨୨ ||

କାମ ଓ କ୍ରୋଧର ଆବେଗ | ଯେ ନର ସହେ ସେହି ବେଗ || ଶରୀର ମଧ୍ୟେ ରହିଥାଇ | ସେ ଯୁକ୍ତ ସେ ସୁଖୀ ଅଟଇ || ୨୩ ||

ଅନ୍ତରେ ଯେ ସୁଖ ଲଭଇ | ଅନ୍ତରାତ୍ମାରେ ଲୀନ ରହି || ଅନ୍ତର୍ଜ୍ୟୋତି କରେ ଦାର୍ଶନ | ସେ ଲଭଇ ବ୍ରହ୍ମ ନିର୍ବାଣ || ୨୪ ||

ଯେ' ନର ସଂଶୟରୁ ମୁକ୍ତ | ମନ ଇନ୍ଦ୍ରିୟ ବଶିଭୂତ || ଯେ' ସର୍ଵ ଭୂତ ହିତେ ରତ | ଯା'ର ସର୍ଵ ପାପ ବିନଷ୍ଟ || ବ୍ରହ୍ମ ନିର୍ବାଣ ସେ ଲଭଇ | ମୋର ନିଶ୍ଚିତ ମତ ଏହି || ୨୫ ||

କାମ କ୍ରୋଧରୁ ହୋଇ ମୁକ୍ତ | ନିଜ ଚେତନା ବଶୀଭୂତ || ଆତ୍ମ ସଂଯମକାରୀ ଜନ | ଲଭି ଥାଏ ବ୍ରହ୍ମ ନିର୍ବାଣ || ୨୬ ||

ଇନ୍ଦ୍ରିୟ କରି ପ୍ରତ୍ୟାହାର | ବାହ୍ୟ ସଂସ୍ପର୍ଶ କରି ଦୂର || ଭୃଲତା ମଧ୍ୟେ ରଖି ପ୍ରାଣ | ଶ୍ୱାସର କରି ସଞ୍ଚାରଣ || ପ୍ରାଣ ଅପାନ ସନ୍ତୁଳନ | ଶ୍ୱାସ ନାସା ଅଭ୍ୟନ୍ତରିଣ || ୨୭ ||

ଇନ୍ଦ୍ରିୟ ବୁଦ୍ଧି ତଥା ମନ | ସଂଯତ କରି ମୁନି ଜନ || ଇଛା ଭୟ କ୍ରୋଧ ବିହୀନ | ମୋକ୍ଷ ଅଟେ ଲକ୍ଷ୍ୟ ଅର୍ଜୁନ || ଏମନ୍ତ ଯେ ମୁନି ଚିନ୍ତଇ | ପରମ ମୋକ୍ଷ ସେ ଲଭଇ || ୨୮ ||

ବନ୍ଧୁ ସକଳ ପ୍ରାଣୀଙ୍କର | ସମସ୍ତ ଲୋକଙ୍କ ଈଶ୍ବର || ଭୋକ୍ତା ସର୍ଵ ଯଜ୍ଞ ତପର | କୃଷ୍ଣ ମୁକୁନ୍ଦ ଚକ୍ରଧର || ଏମନ୍ତ ମୋତେ ଯେ ଭାଵଇ | ପରମ ଶାନ୍ତି ସେ ଲଭଇ || ୨୯ ||

ପ୍ରଭୁଙ୍କ ଏମନ୍ତ ବଚନ | ଜ୍ଞାନର କରଇ ଉତ୍ଥାନ || ପ୍ରଭାତ ସଂଧ୍ୟା ଦିବା ରାତି | ମନରେ ସଦା ପ୍ରଭୁ ଚିନ୍ତି || ଯେ ନର ସର୍ଵ କର୍ମକରେ | ସେ କର୍ମ ବନ୍ଧନ ଉର୍ଦ୍ଧ୍ବରେ || ମଦନ ମୋହନ ଅମୃତ | ଲେଖି ମୁଁ ହେଲି କୃତ୍ୟ କୃତ୍ୟ || ଏମନ୍ତ ଚିନ୍ତି କୃଷ୍ଣଦାସ | ଧନ୍ୟ ମନେକରେ ଅଶେଷ || ପଞ୍ଚମ ଖଣ୍ଡ କୃଷ୍ଣଗୀତ | ସତ୍ୟ ନୁହଁ ଏ ମହାସତ୍ୟ || ୩୦ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ କର୍ମସନ୍ୟାସ ୟୋଗୋ ନାମ ପଞ୍ଚମ ଅଧ୍ୟାୟଃ || ୫ ||