ସପ୍ତମ ଅଧ୍ୟାୟ – ଜ୍ଞାନବିଜ୍ଞାନ ଯୋଗ

ଶ୍ରୀଭଗବାନ ଉଵାଚ

ମୋ'ଠାରେ ଆସକ୍ତ ହୋଇଣ | ମୋ'ର ଶରଣରେ ରହିଣ || ମୋ'ଠାରେ ଯଦି ରଖି ମନ | ଯୋଗାଭ୍ୟାସ କର ଅର୍ଜୁନ || ସଂଶୟ ତୁମ୍ଭ ହେବ ଦୂର | ସମ୍ପୁର୍ଣ୍ଣ ସ୍ବରୁପ ମୋହର || କେମନ୍ତ ଜାଣିବ ଅର୍ଜୁନ | କହୁଛି ଶୁଣ ଦେଇ ମନ || ୧ ||

ଜ୍ଞାନ ଓ ବିଜ୍ଞାନ ଦର୍ଶନ | କହିବି ତୁମ୍ଭକୁ ଅର୍ଜୁନ || ଯାହାକୁ ଥରେ ଜାଣିଗଲେ | ବାକି ନରହେ କିଛି ଭଲେ || ଅନ୍ୟ ଜ୍ଞାନର ଆଵଶ୍ୟକ | ହୋଇ ନଥାଏ ପରନ୍ତପ || ୨ ||

ସହସ୍ର ମଧ୍ୟେ ଜଣେ କେହି | ପ୍ରୟତ୍ନ କରେ ସିଦ୍ଧି ପାଈଁ || ସିଦ୍ଧଙ୍କ ମଧ୍ୟେ ଜଣେ କେହି | ମୋତେ ତତ୍ତ୍ଵରେ ସେ ଜାଣଇ ||୩||

ଭୂମି ଆକାଶ ବାୟୁ ଜଳ | ମନ ବୁଦ୍ଧି ତଥା ଅନଳ || ଅହଂକାରାଷ୍ଠ ଉପାଦାନ | ମୋ ଭିନ୍ନ ପ୍ରକୃତି ଅର୍ଜୁନ || ଏ ଜୀଵ ଜଗତ ଧାରଣ | ମୋ' ପରା ପ୍ରକୃତି କରେ ଜାଣ ||୪-୫||

ମୋ' ଦୁଇ ପ୍ରକୃତି ସଂଯୋଗ | ଜୀଵ ଜଗତର ଉଦ୍ଭବ || ସୃଷ୍ଟି ଓ ପ୍ରଳୟ କାରଣ | ମୁଁ ଏକା ଅଟଇ ଅର୍ଜୁନ || ୬ ||

ମୋ'ବିନା ଜଗତେ ଅର୍ଜୁନ | ଅନ୍ୟ କିଛି ଵି ନାହିଁ ଜାଣ || ସୁତ୍ରେ ଗୁନ୍ଥା ମଣି ଯେମନ୍ତ | ମୋ'ଦେହେ ଗୁନ୍ଥା ଏ ଜଗତ || ୭ ||

ଜଳେ ମୁଁ ରସ ହୋଇଥାଇ | ସୂର୍ଯ୍ୟ ଚନ୍ଦ୍ରଙ୍କ ଜ୍ୟୋତି ମୁହିଁ || ସର୍ଵ ବେଦେ ମୁହିଁ ଓଁ କାର | ଶବ୍ଦ ଅଟେ ମୁଁ ଆକାଶର || ମନୁଷ୍ୟ ମଧ୍ୟେ ମୁଁ ପୁରୁଷ | ମୋହର ମହିମା ଅଶେଷ || ୮ ||

ପବିତ୍ର ଗନ୍ଧ ପୃଥିବୀର | ମୁଁ ଅଟେ ତେଜ ଅନଳର || ଜୀବଙ୍କର ମୁହିଁ ଜୀବନ | ମୁଁ ତପ ତପସ୍ୱିଙ୍କ ଜାଣ || ୯ ||

ମୁଁ ବୀଜ ଜୀବଙ୍କ ଅର୍ଜୁନ | ମୁଁ ଅଟେ ନିତ୍ୟ ସନାତନ || ବୁଦ୍ଧିମାନଙ୍କ ବୁଦ୍ଧି ମୁହିଁ | ତେଜସ୍ୱିଙ୍କ ତେଜ ଅଟଇ || ୧୦ ||

ବଳବାନଙ୍କ ବଳ ମୁହିଁ | କାମ ରାଗ ମୁଁ ଵିଵର୍ଜଇ || ଧର୍ମ ସଂମ୍ମତ କାମ ଜାଣ | ମୁହିଁ ଅଟଇ ହେ ଅର୍ଜୁନ || ୧୧ ||

ସତ୍ତ୍ୱ ରଜ ତମ ତ୍ରିଗୁଣ | ମୋ ଠାରୁ ହୋଇଛି ଉତ୍ପନ || ଗୁଣରେ ନାହିଁ ମୋର ବାସ | ନାହିଁ ମୋ ମଧ୍ୟେ ଗୁଣ ବାସ ||୧୨||

ତ୍ରିଗୁଣରେ ବନ୍ଧା ଜଗତ | ହୋଇ ରହିଛି ବିମୋହିତ || ତ୍ରିଗୁଣାତୀତ ମୁଁ ଅଟଇ | ମୁଢ଼ ଏ ଜାଣି ନ ପାରଇ ||୧୩||

ତ୍ରିଗୁଣ ଏହି ଦେବୀ ମାୟା | ଅଟେ ଅତ୍ୟନ୍ତ ଦୂରତୟା || ଯେ ମୋର ଶରଣ ନିଅଇ | ମାୟା ସଂସାରରୁ ତରଇ || ୧୪ ||

ମୁଢ଼ ଅଧମ ପାପୀ ଜନ | ଦୁସ୍କୃତ କର୍ମେ ଦିଏ ମନ || ମାୟାରେ ଜ୍ଞାନ ଅପହୃତ | ଆଶୁରୀ ଭାଵରେ ଆଶ୍ରିତ || ୧୫ ||

ପୁଣ୍ୟକର୍ମା ଏ ଜଗତର | ରହିଥାନ୍ତି ଚାରି ପ୍ରକାର || ଆର୍ତ୍ତ ଜିଜ୍ଞାସୁ ଜ୍ଞାନୀ ଜନ | ଅର୍ଥାର୍ଥୀ ମାନବ ଅର୍ଜୁନ || ୧୬ ||

ତନ୍ମଧ୍ୟେ ଜ୍ଞାନୀ ଏକନିଷ୍ଠ | ସେ ଅଟେ ନିତ୍ୟଯୁକ୍ତ ଶ୍ରେଷ୍ଠ || ଜ୍ଞାନୀଙ୍କ ପ୍ରିୟ ମୁଁ ଅଟଇ | ଜ୍ଞାନୀ ମୋ ପ୍ରିୟ ହୋଇଥାଇ || ୧୭ ||

ସମସ୍ତେ ଉଦାର ଅର୍ଜୁନ | ତନ୍ମଧ୍ୟେ ଜ୍ଞାନୀ ଶ୍ରେଷ୍ଠ ଜାଣ || ଜ୍ଞାନୀ ମୋ ସ୍ବରୂପ ଅଟଇ | ମୋ ରୂପରେ ଲୀନ ରୁହଇ || ତା'ର ଉତ୍ତମ ଗତି ମୁହିଁ | ମୋ ଭାବେ ସ୍ଥିତ ସେ ରୁହଇ || ୧୮ ||

ଵହୁତ ଜନ୍ମ ଅନ୍ତରାଳେ | ଜ୍ଞାନୀ ମାନବ ଜାଣି ବୋଲେ || ଶାଶ୍ୱତ ସତ୍ୟ ବାସୁଦେବ | ସେପରି ମହାତ୍ମା ଦୁର୍ଲଭ || ୧୯ ||

କାମନା ଦ୍ୱାରା ଯାହା ଜ୍ଞାନ | ହୋଇଥାଏ ଅପହରଣ || ବିବିଧ କାମନା କରିଣ | ପଶନ୍ତି ଦେବତା ଶରଣ || ନିଜ ପ୍ରକୃତି ଅନୁଯାଇ | ଦେବାଦେବୀଙ୍କୁ ଉପାସଇ || ୨୦ ||

ଯାହାର ଶ୍ରଦ୍ଧା ଯହିଁ ଥାଇ | ସେ ଭକ୍ତ ସେ ଦେଵ ପୂଜଇ || ତାଙ୍କୁ ସେ ଦେବ ପୂଜା ପାଈଁ | ଅଚଳ ଶ୍ରଦ୍ଧା ମୁଁ ଦିଅଇ || ୨୧ ||

ଅଚଳ ଶ୍ରଦ୍ଧା ସହକାରେ | ଯେ ନର ଦେବପୂଜା କରେ || ପୁଜାରୁ ଯାହା ଫଳ ପ୍ରାପ୍ତ | ମୋ'ର ଦ୍ୱାରା ହିଁ ପ୍ରେରିତ ||୨୨||

ଅବୁଦ୍ଧିଆ ଦେବ ପୂଜାଇ | ନାଶବାନ ଫଳ ଲଭଇ || ଦେବ ପୂଜକ ଦେବ ପାଇ | ମୋ'ଭକ୍ତ ମୋତେ ପ୍ରାପ୍ତହୋଇ ||୨୩||

ଅବ୍ୟକ୍ତ ରୂପରେ ମୁଁ ଥିଲି | ତହିଁରୁ ବ୍ୟକ୍ତ ରୂପ ନେଲି || ମୂର୍ଖ ଏମନ୍ତ ଭାଵିଥାଇ | ପରାଭାଵ ମୋ ନ ଜାଣଇ || ଅନାଦି ଉତ୍ତମ ଅବ୍ୟୟ | ମୁଁ ଅଟେ ଶାଶ୍ୱତ ଅଭୟ || ୨୪ ||

ଯୋଗମାୟା ଦ୍ୱାରା ଆବୃତ୍ତ | ସବୁଠିଁ ରୁହେ ମୁଁ ଅବ୍ୟକ୍ତ || ବିମୁଢ ଜାଣି ନ ପାରଇ | ଅବ୍ୟୟ ନିତ୍ୟ ମୁଁ ଅଟଇ || ୨୫ ||

ପୂର୍ଵରୁ ଥିଲେ ଯେତେ ପ୍ରାଣୀ | ସଭିଁଙ୍କ ଭବିଷ୍ୟତ ବାଣୀ || ଆଉ ସଭିଁଙ୍କ ବର୍ତ୍ତମାନ | ଜାଣିଥାଏ ମୁଁ ଅର୍ଜୁନ || ମୋ'ଭକ୍ତ ବିନା ଅନ୍ୟ କେହି | ମୋତେ ତତ୍ତ୍ୱତଃ ଜାଣେନାହିଁ ||୨୬||

ଇଛା ଦ୍ବେଷରୁ ଦ୍ଵନ୍ଦ ଜାତ | ଜୀବଙ୍କୁ କରଇ ମୋହିତ || ଅନାଦି କାଳରୁ ଭ୍ରମିତ | ସଂସାରେ ଜନ୍ମ ମୃତ୍ୟୁ ପ୍ରାପ୍ତ || ୨୭ ||

ଯେ ପୁଣ୍ୟକର୍ମା ଲୋକଙ୍କର | ଅନ୍ତ ହୋଇଯାଏ ପାପର || ମୋହରୁ ମୁକ୍ତ ସେ ହୁଅଇ | ଦୃଢମତେ ମୋତେ ଭଜଇ || ୨୮ ||

ଜରା ମରଣୁ ମୋକ୍ଷପାଈଁ | ଯେ ମୋହର ଆଶ୍ରା ନିଅଇ || ଵ୍ରହ୍ମାନୁଭଵ ସେ କରଇ | ଆଧ୍ୟାତ୍ମ କର୍ମକୁ ଜାଣଇ || ୨୯ ||

ଅଧିଦୈବ ଓ ଅଧିଭୂତ | ଅଧିଯଜ୍ଞ ତତ୍ତ୍ୱ ସହିତ || ଯେ ନର ମୋତେ ଜାଣିଥାଇ | ମୋ ଚିନ୍ତାରେ ମଗ୍ନ ରୁହଇ || ମରଣ ସମୟରେ ତା'ର | ତା' ମନେ ଥାଏ ଚିନ୍ତା ମୋର || ୩୦ ||

ପ୍ରଭୁଙ୍କ ଏମନ୍ତ ଵଚନ | ଶୁଣି ଗଦ୍ଗଦ ହୁଏ ମନ || କୁହଇ ଦୀନ କୃଷ୍ଣ ଦାସ | କୃଷ୍ଣକୃପା ତା' ଏକ ଆଶ || ମୁଁ ତୁମ ଚରଣ କିଙ୍କର | ଆଦି ପୁରୁଷ ଦୟାକର || ବହୁତ ଜନ୍ମରୁ ପତିତ | ଉଦ୍ଧାର କର ହେ ଅଚ୍ୟୁତ || ସପ୍ତମ ଖଣ୍ଡ କୃଷ୍ଣ ଗୀତ | କରଇ ଏଠାରେ ସମାପ୍ତ || ୩୧||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଜ୍ଞାନବିଜ୍ଞାନ ୟୋଗୋ ନାମ ସପ୍ତମ ଅଧ୍ୟାୟଃ || ୭ ||