ଷଷ୍ଠ ଅଧ୍ୟାୟ – ଧ୍ୟାନ ଯୋଗ

ଶ୍ରୀ ଭଗବାନ ଉବାଚ

ଫଳରେ ଆଶ୍ରିତ ନରହି | ନିର୍ଦ୍ଧାରିତ କର୍ମ କରଇ || କର୍ତ୍ତବ୍ୟ କର୍ମ କରୁଥାଇ | ଯୋଗୀ ସନ୍ୟାସୀ ସେ ଅଟଇ || ଅଗ୍ନିହୋତ୍ରକୁ ଯେ ତ୍ୟାଗଇ | ଅକ୍ରିୟ ହୋଇ ବସିରହି || ଯେ'ଜନ ଏମନ୍ତ କରଇ | ସନ୍ୟାସୀ ଯୋଗୀ ନ ବୋଲାଇ || ୧ ||

ସନ୍ୟାସ ଯୋଗ ଏକାଅର୍ଥ | ଏହାକୁ ଜାଣିରଖ ପାର୍ଥ || ସର୍ବ ସଂକଳ୍ପ ତ୍ୟାଗ ବିନା | କେହି ଯୋଗୀ ହୋଇପାରେନା || ୨ ||

କର୍ତ୍ତବ୍ୟ କର୍ମର ସାଧନ | କରି ଚାଲନ୍ତି ମୁନୀଗଣ || ସାଧନେ ଯୋଗାରୁଢ଼ ହୋଇ | ଅପାର ଶାନ୍ତି ସେ ଲଭଇ || ଅପାର ଶାନ୍ତି ହିଁ ଅର୍ଜୁନ | ମୋକ୍ଷ ପ୍ରାପ୍ତିର ମାର୍ଗ ଜାଣ || ୩ ||

କର୍ମରେ ଅନାସକ୍ତ ରହି | ଇନ୍ଦ୍ରିୟ ଭୋଗକୁ ତ୍ୟାଗଇ || ସର୍ଵ ସଂକଳ୍ପ ତ୍ୟାଗ ଜାଣ | ଯୋଗ ଆରୁଢ଼ର କାରଣ || ୪ ||

ନିଜେ ହୋଇ ବନ୍ଧୁ ନିଜର | ନିଜକୁ କରନ୍ତୁ ଉଦ୍ଧାର || ନିଜେ ନିଜ ଶତୃ ନ ହୁଅ | ଅଧୋଗତିରୁ ରକ୍ଷା ପାଅ || ୫ ||

ନିଜକୁ ଜୟ ଯେ କରଇ | ନିଜର ବନ୍ଧୁ ସେ ଅଟଇ || ନିଜକୁ ଜିଣି ନ ପାରଇ | ନିଜେ ନିଜ ଶତୃ ସାଜଇ ||୬ ||

ଆତ୍ମଜୟୀ ପ୍ରଶାନ୍ତ ଜନ | ପରମାତ୍ମା ରେ ଥାଏ ମନ || ଶୀତୋଷ୍ଣେ ସମ ଭାଵ ରହି | ସୁଖ ଦୁଃଖ କୁ ନ ବାରଇ || ମାନ ଅପମାନ ସମାନ | ଏମନ୍ତ ଯା'ର ଦୃଷ୍ଟିକୋଣ ||  ଜ୍ଞାନ ବିଜ୍ଞାନେ ତୃପ୍ତ ରହି | କୁଟସ୍ଥେ ସ୍ଥିର ରହିଥାଇ || ସର୍ଵ ଇନ୍ଦ୍ରିୟ ବଶ କରି | ନିରନ୍ତର ମୋତେ ସୁମରି || ସଦା ମୋ'ଠାରେ ଯୁକ୍ତ ରହି | ଲହ୍ୱ ସ୍ୱର୍ଣ୍ଣ ସମ ଚିନ୍ତଇ || ମିତ୍ର ଅରି ରେ ଉଦାସିନ | ଦ୍ବେଷକାରୀ ବା ବନ୍ଧୁଜନ || ମହାପାପୀ ବା ସାଧୁଜନ | ସର୍ବେ ତା' ଦୃଷ୍ଟିରେ ସମାନ || ସମ ବୁଦ୍ଧି ରେ ସ୍ଥିତ ରହି | ସମାଧିସ୍ଥ ଯୋଗୀ ବୋଲାଇ ||୭-୯ ||

ଅନାସକ୍ତ ସଦା ରହଇ | ସଂଗ୍ରହ ବୃତ୍ତି ନ କରଇ || ଆଶାଶୂନ୍ୟ ଅନ୍ତଃ କରଣ | ସଂଯତ ସଦା ନିଜ ମନ || ଏକାନ୍ତ ନିକାଞ୍ଚନ ସ୍ଥାନ | ଯୋଗୀର ପ୍ରିୟ ବାସ ଜାଣ || ନିକାଞ୍ଚନ ସ୍ଥାନେ ରହଇ | ମୋ'ଠାରେ ମନ ନିବେଶଇ || ୧୦ ||

ପବିତ୍ର ସ୍ଥାନ ନିର୍ଦ୍ଧାରଇ | ଆସନ ସ୍ଥାପନ କରଇ || କହୁଛି ଆସନ ଲକ୍ଷଣ | ଶୁଣ ଅର୍ଜୁନ ଦେଇ ମନ || ନାହିଁ ଅତି ଉଚ୍ଚ ଆସନ | ନା ଅତି ନୀଚ୍ଚ ହେବ ଜାଣ || ଏମନ୍ତ କୁଶର ଆସନ | ସ୍ଥାପିବ ଶ୍ରଦ୍ଧାରେ ଅର୍ଜୁନ || ୧୧ ||

ଆସନେ ସ୍ଥିରକରି ମନ | ଏକାଗ୍ର ଚିତ୍ତେ ଅଧିଷ୍ଠାନ || ଆତ୍ମାର ବିଶୁଦ୍ଧି ନିମିତ୍ତ | ଯୋଗର ଅଭ୍ୟାସ ଉଚିତ || ୧୨ ||

ମେରୁଦଣ୍ଡ ଗ୍ରୀଵା ମସ୍ତକ | ରଖି ବସି ସିଧାସଳଖ || ଅଚଳ ଭାବେ ବସିରହି | କୌଣସି ଦିଗକୁ ନ ଚାହିଁ || ନାସିକାଗ୍ରେ ଦୃଷ୍ଟି ରଖିଣ | ମନକୁ ସଂଯତ କରିଣ || ପ୍ରସାନ୍ତ ଚିତ୍ତେ ସଦା ଥାଇ | ବ୍ରହ୍ମଚାରୀ ବ୍ରତେ ରୁହଇ || ମନକୁ ରଖି ନିୟନ୍ତ୍ରଣ | ହୋଇଥାଏ ମତ୍ ପରାୟଣ || ମୋ'ଠାରେ ଚିତ୍ତକୁ ସ୍ଥାପନ | ଏହାକୁ ଧ୍ୟାନ ବୋଲି ଜାଣ || ୧୩-୧୪ ||

ମୋ'ଠାରେ ମନ ନିବେଶଇ | ସମ୍ୟକ ରୂପେ ସ୍ଥିତ ହୋଇ || ଏମନ୍ତ ନିୟତ କରିଣ | ମିଳଇ ପରମ ନିର୍ବାଣ ||୧୫ ||

ଅତ୍ୟନ୍ତ ଅଧିକ ଭୋଜନ | ତ୍ୟଜଇ ସମ୍ପୂର୍ଣ ଭୋଜନ || ଅଧିକ ଶୟନ କରଇ | ସମ୍ପୂର୍ଣ ଶୟନ ତ୍ୟାଗଇ || ଏମନ୍ତ ସର୍ବ ଆଚରଣ | ଯୋଗର ଶତୃ ବୋଲି ଜାଣ || ୧୬ ||

ଆହାର ବିହାର ସମୟେ | ମୋ'ଠାରେ ଯୁକ୍ତ ଯିଏ ରହେ || ଶୟନ ସ୍ବପ୍ନ ଜାଗରଣ | ମୋ'ଠାରେ ଯୁକ୍ତ କରି ମନ || ପ୍ରତ୍ୟକ ଚେଷ୍ଟା କର୍ମ ପ୍ରତି | ମୋ'ଠାରେ ଯୁକ୍ତ ରଖି ମତି || ଏମନ୍ତ ସର୍ଵ ଯୋଗୀଗଣ | ଯୋଗରେ ସଦା ସ୍ଥିତ ଜାଣ || ୧୭ ||

କାମନା ବିଷୟୁ ବିରତ | ମନକୁ ରଖିବ ସଂଯତ || ଆତ୍ମାରେ ମନ ଅବସ୍ଥାନ | ତାହାର ନାମ ଯୁକ୍ତ ଜାଣ || ଯୁକ୍ତର ସରଳ ଭବାର୍ଥ | ଆତ୍ମା ପରମାତ୍ମା ସଂଯୁକ୍ତ || ୧୮ ||

ପବନ ନଥିବା ସ୍ଥାନରେ | ପ୍ରଦୀପ ସ୍ଥିର ରହିପାରେ || ଅବିଚଳିତ ଯୋଗୀ ଚିତ୍ତ | ତୁଳନା ପ୍ରଦୀପ ସହିତ || ୧୯ ||

ଯୋଗର ବିଶିଷ୍ଠ ଅବସ୍ଥା | ମୋ'ଠାରୁ ଶୁଣ ରଖି ଆସ୍ଥା || ନିରୁଦ୍ଧ ଚିତ୍ତ ଅବସ୍ଥାରେ | ଯୋଗୀ ନିଜକୁ ଦେଖିପାରେ || ସନ୍ତୋଷ ନିଜ ଠାରେ ପାଏ | ଏମନ୍ତ ଯୋଗାଭ୍ୟାସେ ହୁଏ || ମନରୁ ଅତୀତକୁ ଯାଇ | ଅତୀନ୍ଦ୍ରିୟ ସ୍ଥିତି ଲଭଇ || ବୁଦ୍ଧି ଗ୍ରହଣ ସୁଖ ପାଇ | ଅତ୍ୟନ୍ତ ଆନନ୍ଦରେ ଥାଇ || ସେହି ସୁଖରେ ଥରେ ସ୍ଥିତ | ସେ ସୁଖ କାହିଁ ନାହିଁ ସତ || କେବେ ନ ହୁଏ ବିଚଳିତ | ସର୍ବଦା ଆତ୍ମାରାମେ ସ୍ଥିତ || ଥରେ ସେ ସୁଖ ଯେ ପାଇଛି | ତାହାର ସ୍ୱାଦ ସେ ଜାଣିଛି || ତା'କୁ ଳଭିଲେ ମନେ ହୁଏ | ସଂସାରେ କିଛି ଲାଭ ନୁହେଁ || ସେ ସୁଖେ ଥରେ ପ୍ରତିଷ୍ଠିତ | ଦାରୁଣ ଦୁଃଖେ ସ୍ଥିରଚିତ୍ତ || ଦୁଃଖ ସଂଯୋଗର ବିୟୋଗ | ତାହାର ଅନ୍ୟନାମ ୟୋଗ || ଏମନ୍ତ ଯୋଗ ଗୁଣଗାନ | ଏବେ ମୁଁ କରିଲି ଅର୍ଜୁନ || ଅଭ୍ୟାସ ଦୃଢ ଚିତ୍ତେ କର | ନିଶ୍ଚିତ ଏ ମତ ମୋହର||୨୦-୨୩||

ସଂକଳ୍ପୁ କାମନା ଜନ୍ମଇ | ମନଙ୍କୁ ଚଞ୍ଚଳ କରଇ || କାମନା କରି ପରିତ୍ୟାଗ | ସକଳ ଇନ୍ଦ୍ରିୟ ବିୟୋଗ ||୨୪ ||

ବୁଦ୍ଧିରେ ମନ କରି ବଶ | ଆତ୍ମା ରେ କରାଇ ନିବାସ || ବିଷୟ ଚିନ୍ତାରୁ ବିରତ | ସଂସାରୁ ହୁଅ ଉପରତ || ୨୫ ||

ଯେଉଁ ଯେଉଁ କଥା ଭାଵିଣ | ଚଞ୍ଚଳ ହୁଏ ତୁମ ମନ || ଅସ୍ଥିର ହୋଇଣ ଧାଵିତ | ନିୟମିତ କରି ସଂଯତ || ଆତ୍ମାରେ ବଶୀଭୂତ କର | ମନକୁ ଚିନ୍ତାଶୁନ୍ୟ କର || ୨୬ ||

ପ୍ରଶାନ୍ତ ଚିତ୍ତେ ଯୋଗୀଗଣ | ବ୍ରହ୍ମରେ ରହିଥା'ନ୍ତି ଲୀନ || ଶାନ୍ତକରି ରଜ ସ୍ଵଭାଵ | ମନରେ ରଖିଣ ମୋ'ଭାଵ || ନିଜକୁ ନିଷ୍ପାପ କରଇ | ଶାଶ୍ୱତ ସୁଖ ଭୋଗିଥାଇ || ୨୭ ||

ନିଷ୍ପାପ ଯୋଗୀଜନ ସଦା | ଯୋଗାଭ୍ୟାସେ ରହି ସର୍ବଦା || ବ୍ରହ୍ମସଂସ୍ପର୍ଶରୁ ସଂଯାତ | ଅତ୍ୟନ୍ତ ସୁଖ ହୁଏ ପ୍ରାପ୍ତ || ୨୮ ||

ସର୍ଵ ଭୂତସ୍ଥ ଆତ୍ମା ଯିଏ | ପରମାତ୍ମା ସିଏ ଵୋଲାଏ || ଭୂତଙ୍କ ନିଜର ଦେହରେ | ଯେ ତାଙ୍କୁ ଅନୁଭବ କରେ || ସକଳ ଦେହେ ନାରାୟଣ | କରିଥାଏ ସମଦର୍ଶନ || ସେ ଯୋଗୀ ଯୁକ୍ତାତ୍ମା ଅଟଇ | ମୋ'ର ନିଶ୍ଚିତ ମତ ଏହି || ୨୯ ||

ସର୍ବତ୍ର ମୋହର ଦର୍ଶନ | ସଭିଙ୍କୁ ମୋ' ମଧ୍ୟେ ଦର୍ଶନ || ଏମନ୍ତ ଯେ ଯୋଗୀ କରଇ | ତାଙ୍କଠୁଁ ଅଦୃଶ ମୁଁ ନାହିଁ || ମୋ' ଠୁଁ ଅଦୃଶ୍ୟ ସେ ନହୋଇ | ସର୍ବତ୍ର ମୋତେ ଦେଖୁଥାଇ || ୩୦ ||

ଏକତ୍ୱ ଚିତ୍ତେ ସ୍ଥିତ ହୋଇ | ଯେ ମୋ'ର ଭଜନ କରଇ || ସର୍ଵଭୂତେସ୍ଥିତ ଭାଵିଣ | କରଇ ମୋହର ଚିନ୍ତନ || ସବୁ ଅବସ୍ଥାରେ ଅର୍ଜୁନ | ମୋ' ଠାରେ କରେ ଅବସ୍ଥାନ || ୩୧ ||

ନିଜ ତୁଳନାରେ ଯେ ଜନ | ସର୍ବତ୍ର ଦେଖଇ ସମାନ || ସୁଖ ଓ ଦୁଃଖ ସମ ଜ୍ଞାନ | ପରମ ଯୋଗୀ ସେ ଅର୍ଜୁନ || ୩୨ ||

ଅର୍ଜୁନ ଉଵାଚ

ଯେଉଁ ଯେଉଁ ଯୋଗ ଆପଣ | କହିଲେ ହେ ମଧୁସୁଦନ || ମନର ଅସ୍ଥିରତା ପାଈଁ | ତାହା ମୁଁ ଦେଖି ପାରୁନାହିଁ || ୩୩ || ମନ ଚଞ୍ଚଳ ବଳଶାଳୀ | ଦୁର୍ଦ୍ଧାନ୍ତ ଅଟେ ବନମାଳୀ || ବଶ କରିବା ମନ କୃଷ୍ଣ | ଯେମନ୍ତ ଆୟତ୍ତ ପବନ || ୩୪ ||

ଶ୍ରୀ ଭଗବାନ ଉବାଚ

ମନ ଅତ୍ୟନ୍ତ ବଳବାନ | ସନ୍ଦେହ ନାହିଁ ହେ ଅର୍ଜୁନ || ଅଭ୍ୟାସ ବୈରାଗ୍ୟ କୌନ୍ତେୟ | ମନ ସଂଯମର ଉପାୟ || ୩୫ ||

ଯେ ବ୍ୟକ୍ତି ଚିତ୍ତ ଅସଂଯତ | ନହୁଏ ଯୋଗସିଦ୍ଧି ପ୍ରାପ୍ତ || ଯାହାର ଚିତ୍ତ ଆତ୍ମଵଶ | ଯତ୍ନରେ କରିଣ ପ୍ରୟାସ || ହୁଅନ୍ତି ଯୋଗସିଦ୍ଧି ଜାଣ | ଏମନ୍ତ ମୋ' ମତ ଅର୍ଜୁନ || ୩୬ || h | ସାଧନା କରନ୍ତି ମାଧଵ || ପରେ ଯୋଗରୁ ବିଚଳିତ | ସାଧନା ମାର୍ଗରୁ ବିରତ || କୋ ସ୍ଥିତି ଲଭନ୍ତି ସେ ଜନ | କୁହ ପ୍ରଭୁ ମଧୁସୁଦନ || ୩୭ ||

ସଂସାରୁ ଆଶ୍ରୟ ରହିତ | ବ୍ରର୍ହ୍ମଲାଭ ପଥୁ ଵିଚ୍ୟୁତ || ଉଭୟ ପଥୁ ଭ୍ରଷ୍ଟ ହୋଇ | ଛିନ୍ନ ମେଘ ଯେହ୍ନେ ଭାସଇ || ଆଶ୍ରୟ ଶୁନ୍ୟ ସେଇ ଜନ | ହୁଏନି କି ମଧୁସୁଦନ || ୩୮ ||

ଏମନ୍ତ ସନ୍ଦେହ ହେ କୃଷ୍ଣ | ହୋଇଚି ମୋ' ମନେ ଉତ୍ପନ୍ନ || ଦୟାକର ହେ ଚକ୍ରଧର | ସନ୍ଦେହ ମୋ'ର ନାଶକର || ମୋ'ର ସନ୍ଦେହ ନାଶ ପାଈଁ | ସକ୍ଷମ ଅନ୍ୟ କେହି ନାହିଁ || ୩୯ ||

ଶ୍ରୀ ଭଗବାନ ଉବାଚ

ଯୋଗଭ୍ରଷ୍ଟ ଯୋଗୀ ଅର୍ଜୁନ | ବିନଷ୍ଟ ହୁଏ ନାହିଁ ଜାଣ || ଇହଲୋକେ ବା ପରଲୋକେ | ଚଉଦ ଭୁବନ ତ୍ରିଲୋକେ || କଲ୍ୟାଣ କର୍ମ ଯେ କରଇ | ଦୁର୍ଗତି ପ୍ରାପ୍ତ ନହୁଅଇ || ୪୦ ||

ପୁଣ୍ୟଲୋକ ପ୍ରାପ୍ତ ହୁଅଇ | କିଛି କାଳ ସୁଖ ଭୋଗଇ || ଧାର୍ମିକ ଲୋକ ଘରେ ଜାତ | ଅବା କୂଳ ହୁଏ ସମ୍ଭ୍ରାନ୍ତ || ୪୧ ||

ଅଥବା ଗୃହେ ଯୋଗୀଙ୍କର | ଜନମ ହୁଅଇ ତାହାର || ଏମନ୍ତ ଜନମ ଦୁର୍ଲଭ | ଯୋଗ କରିଥାଏ ସମ୍ଭବ || ୪୨ ||

ସେଠାରେ ବୁଦ୍ଧି ସଂଯୋଗରେ | ପୂର୍ଵ ସଂସ୍କାର ଲାଭକରେ || ସିଦ୍ଧି ପ୍ରାପ୍ତିରେ ଅଗ୍ରଗତି | କରିଥାଏ ସେ କୃଷ୍ଣାପତି || ୪୩ ||

ପୂର୍ଵଜନ୍ମ କର୍ମସଂସ୍କାର | ବଳରେ ସିଏ ଧନୁର୍ଦ୍ଧର || ବ୍ରହ୍ମନିଷ୍ଠାରେ ଆକର୍ଷିତ | ଯୋଗ ପ୍ରତି ହୁଏ ଆକୃଷ୍ଟ || ଯୋଗରେ ଜିଜ୍ଞାସୁ ହୁଅଇ | ଶବ୍ଦ ବ୍ରହ୍ମ ପାର କରଇ || ୪୪ ||

ପ୍ରଚେଷ୍ଟା ଅନେକ ଜନ୍ମର | କରଇ ଯୋଗୀ ଧନୁର୍ଦ୍ଧର || ଶେଷରେ ପାପରାଶି ମୁକ୍ତ | ହୋଇଥାଏ ସେ ସିଦ୍ଧି ପ୍ରାପ୍ତ || ୪୫ ||

ସକାମ କର୍ମ କେ କରଇ | ତପସ୍ୟାରେ କେ ଳୀନହୋଇ || ଶାସ୍ତ୍ରଜ୍ଞ ଜ୍ଞାନ କେ ଅର୍ଜଇ | ଇତ୍ୟାଦି କର୍ମେ ଲିପ୍ତ ଥାଇ || ଏ ସଭିଁଙ୍କ ଠାରୁ ଅର୍ଜୁନ | ଯୋଗୀ ଅଟଇ ଶ୍ରେଷ୍ଠ ଜାଣ || ଅର୍ଜୁନ ପ୍ରିୟ ଧନଞ୍ଜୟ | ଯୋଗ ସାଧକ ତୁମେ ହୁଅ || ୪୬ ||

ସମସ୍ତ ଯୋଗୀଙ୍କ ମଧ୍ୟରେ | ଯେ ଚିତ୍ତ ରଖଇ ମୋ'ଠାରେ || ଶ୍ରଦ୍ଧାରେ ମୋତେ ଭଜିଥାଇ | ସେ ଯୋଗୀ ଶ୍ରେଷ୍ଠ ହୋଇଥାଇ || ୪୭ ||

ପ୍ରତି ଶ୍ୱାସ ଓ ପ୍ରତି କ୍ଷଣ | କରେ ଯେ ଶ୍ରୀକୃଷ୍ଣ ଚିନ୍ତନ || ଏକାଗ୍ର କରି ମନ ପ୍ରାଣ | କରିଥାଏ ଶ୍ରୀକୃଷ୍ଣ ଧ୍ୟାନ || ଜୀଵନର ପ୍ରତି କ୍ରିୟାରେ | କୃଷ୍ଣଙ୍କୁ ଅନୁଭବ କରେ || କୃଷ୍ଣକ୍ରିୟାର ସେ ସାଧକ | ପ୍ରାପ୍ତ କରଇ କୃଷ୍ଣଲୋକ || ଜଗତ କର୍ତ୍ତା ଗୁରୁ ହୋଇ | କୃଷ୍ଣଦାସେ କୃପା କରଇ || ଷଷ୍ଠଖଣ୍ଡ ଶ୍ରୀକୃଷ୍ଣ ଗୀତ | ପଢ଼ି ହୁଅ ପାପ ରହିତ || ୪୮ ||

 

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଧ୍ୟାନ ୟୋଗୋ ନାମ ଷଷ୍ଠ ଅଧ୍ୟାୟଃ || ୬ ||