ସୂଚୀପତ୍ର ପ୍ରଥମ ଅଧ୍ୟାୟ – ଅର୍ଜୁନ ବିଷାଦ ଯୋଗ ଧୃତରାଷ୍ଟ୍ର ଉଵାଚ

ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ | ଯୁଦ୍ଧ କରିବା ପ୍ରୟାସରେ || ପାଣ୍ଡବ ଓ ପୁତ୍ର ମୋହର | ସେନାସବୁ ଆମ ପକ୍ଷର || ସର୍ବେ ଏକତ୍ରିତ ହୋଇଣ | କୁହ ସଂଜୟ କଲେ କଣ ||୧||

ସଂଜୟ ଉଵାଚ

ଦେଖି ରାଜା ପାଣ୍ଡବସେନା | ସୁସଜ୍ଜିତ ବୁହ୍ୟ ରଚନା || ଯାଇଣ ଆଚାର୍ୟଙ୍କ ପାଶେ | ଏମନ୍ତ କହିଲେ ନିମିଷେ || ୨ ||

ଶତୃସେନା ବୁହ୍ୟ ସଜ୍ଜିତ | ତୁମ ଶିଷ୍ୟ ଦ୍ୱାରା ଚାଳିତ || ଶିଷ୍ୟ ତୁମର ବୁଦ୍ଧିମାନ | ଦ୍ରୁପଦ ପୁତ୍ର ଧୃଷ୍ଟଦୁମ୍ନ || ଆଚାର୍ଯ୍ୟ ପାଖକୁ ଯାଇଣ | କହୁ ଅଛନ୍ତି ଦୁର୍ୟୋଧନ || ୩ ||

ବହୁ ମହାନ ଯୋଦ୍ଧାଗଣ | ଯେମନ୍ତ ଭୀମ ଓ ଅର୍ଜୁନ || ୟୁୟୁଧାନ ରାଜା ବିରାଟ | ଦ୍ରୁପଦ ପରି ମହାରଥ || ୪ ||

ଧୃଷ୍ଟକେତୁ ଓ ଚେକିତାନ | କାଶୀ ରାଜନ ବୀର୍ୟବାନ || କୁନ୍ତିଭୋଜ ଓ ପୁରଜୀତ | ଶୈବ୍ୟଙ୍କ ପରି ନରଶ୍ରେଷ୍ଟ || ୫ ||

ୟୁଧାମନ୍ୟୁ ଅତି ବିକ୍ରାନ୍ତ | ଉତ୍ତମୌଜା ମହା ବଳିଷ୍ଠ || ଅଭିମନ୍ୟୁ ସୁଭଦ୍ରା ସୁତ | ଦ୍ରୌପଦେୟାଦି ମହାରଥ || ୬ ||

ଆମ୍ଭର ମୁଖ୍ୟ ଯୋଦ୍ଧାନାମ | କହୁଛି ଶୁଣ ଦ୍ଵିଜୋତ୍ତମ || ପିତାମହ ଭୀଷ୍ମ ଆପଣ | କୃପ ଓ ଦିଗ୍ଵିଜୟୀ କର୍ଣ୍ଣ || ଅଶ୍ୱତ୍ଥାମା ତଥା ବିକର୍ଣ୍ଣ | ଜୟଦ୍ରଥ ବୀର ମହାନ || ୭-୮ ||

ଅନ୍ୟ ବହୁତ ବୀରଗଣ | ମୋ ପାଈଁ ଦେବେ ଯେ ଜୀଵନ || ନାନା ଶସ୍ତ୍ରରେ ସୁସଜ୍ଜିତ | ଯୁଦ୍ଧପାଈଁ ସେନା ପ୍ରସ୍ତୁତ || ୯ ||

ଭୀଷ୍ମ ନେତୃତ୍ୱ ଆମ୍ଭ ସେନା | ଲାଗୁଛି କିଆଁ ବଳେ ଊଣା || ଭୀମ ନେତୃତ୍ୱ ସେନାବଳ | ଲାଗୁଛି ଶକ୍ତିରେ ପ୍ରଵଳ || ୧୦ ||

ବୁହ୍ୟ ପ୍ରବେଶ ଦ୍ୱାରେରହି | ଦୃଢତା ସାହସ ଦେଖାଇ || ଆପଣ ତଥା ଅନ୍ୟ ବୀର | ପିତାମହଙ୍କୁ ରକ୍ଷାକର || ୧୧ ||

ତାକୁ ଆନନ୍ଦ ଦେବାପାଈଁ | ସିଂହ ନାଦେ ଶଙ୍ଖ ବଜାଇ || ପିତାମହ କୁରୁ ପ୍ରବୁଦ୍ଧ | ସଙ୍କେତ ଦେଲେ ହୋଉ ଯୁଦ୍ଧ || ୧୨ ||

ତା'ପରେ ବାଜେ ଏକସଙ୍ଗେ | କମ୍ପନ କରି ଚତୁର୍ଦିଗେ || ନାଗରା ଢଲୋକ ମାଦଲ | ଅନେକ ଶଙ୍ଖ ଓ ତୁମୁଲ || ୧୩ ||

ବିଭିନ୍ନ ରତ୍ନରେ ଖଚିତ | ରଥ ଧଵଳ ଅଶ୍ୱଯୁକ୍ତ || ଶ୍ରୀକୃଷ୍ଣ ଅର୍ଜୁନ ମହାନ | ରଥ ଉପରେ ଶୋଭମାନ || ଉଭୟେ ଶଙ୍ଖ ଵଜାଇଲେ | ଦିବ୍ୟ କମ୍ପନେ କମ୍ପାଇଲେ || ୧୪ ||

ବିରାଟ ପୋୖଣ୍ଡ୍ର ବୃକୋଦର | ଅନନ୍ତବୀଜୟ ୟୁଧିଷ୍ଠିର || ପଞ୍ଚଜନ୍ୟ ଶଙ୍ଖ ଶ୍ରୀକୃଷ୍ଣ | ଦେବଦତ୍ତ ଶଙ୍ଖ ଅର୍ଜୁନ || ନକୁଳ ସୁଘୋଷ ନାମକ | ସହଦେବ ମଣିପୁଷ୍ପକ || ସମସ୍ତେ ଶଙ୍ଖ ଵଜାଇଲେ | ଯୁଦ୍ଧର ଶୁଭାରମ୍ଭ କଲେ || ୧୫-୧୬ ||

କାଶୀରାଜା ସୁଧନୁର୍ଦ୍ଧର | ଶ୍ରୀଖଣ୍ଡି ମହାରଥୀ ବୀର || ରାଜା ବିରାଟ 'ପରାଜିତ | ଧୃଷ୍ଟଦୁମ୍ନ ସାତ୍ୟକୀ ସହିତ || ଦ୍ରୌପଦୀଙ୍କ ପଞ୍ଚ କୁମାର | ଶୁଭଦ୍ରା ଶୁତ ମହାବୀର || ଦ୍ରୁପଦରାଜା ମହାମାନୀ | ସଭିଁଏ କଲେ ଶଙ୍ଖଧ୍ଵନି || ୧୭-୧୮ ||

ଶୁଣି କରାଳ ଶଙ୍ଖନାଦ | କୌରଵ ପକ୍ଷ ସେନାବୃନ୍ଦ || ଧରା ଗଗନ ପ୍ରକମ୍ପନ | କଲେ ହୃଦୟ ଵିଦାରଣ || ୧୯ ||

ଶୁଣ ରାଜନ ଦେଇମନ | ଦେଖି ସଜ୍ଜିତ କୁରୁ ସନ୍ୟ || କପିଧ୍ଵଜ ରଥେ ବସିଣ | ଡାକିଣ କେଶଵ ମୋହନ || ଅର୍ଜୁନ କଲେ ନିବେଦନ | ସେନାମଧ୍ୟେ ରଥ ସ୍ଥାପନ || ଦୟାକରି ନିଅ କେଶଵ | ଦେଖିବା ହେବ ମୋ ସମ୍ଭବ || ୨୦-୨୧ ||

ଅର୍ଜୁନ ଉଵାଚ

ଯୁଦ୍ଧାଭିଳାଷେ ଉପସ୍ଥିତ | କୌରଵ ବୀରଙ୍କୁ ସମସ୍ତ || ଦୁର୍ୟୋଧନର ପ୍ରିୟ ହୋଇ | ମନ୍ଦକୁ ସମର୍ଥନ ଦେଇ || ମନ୍ଦବୁଦ୍ଧି ଯୋଦ୍ଧା ମାନଙ୍କୁ | ଦେଖିବାକୁ ଚାହେଁ ସଭିଁଙ୍କୁ || ୨୨-୨୩ ||

ସଂଜୟ ଉଵାଚ

ଏମନ୍ତ ଅର୍ଜୁନ ବଚନ | ଶୁଣି ଗୋଵିନ୍ଦ ଭଗବାନ || ଉତ୍ତମ ରଥକୁ ସ୍ଥାପନ | ସେନାମଧ୍ୟେ କଲେ ଶ୍ରୀକୃଷ୍ଣ || ୨୪ ||

ରଥକୁ ସମ୍ମୁଖରେ ରଖି | ଦେଖ ସମସ୍ତଙ୍କୁ ପରଖି || ଭୀଷ୍ମ ଦ୍ରୋଣ ଆଦି ପ୍ରମୁଖ | ସମସ୍ତ ଯୋଦ୍ଧାମୁଖ ଦେଖ || ଏମନ୍ତ କହିଲେ ଶ୍ରୀକୃଷ୍ଣ | ଆଦି ପୁରୁଷ ଭଗବାନ || ୨୫ ||

ପିତୃତୁଲ୍ୟ ଓ ପିତାମହ | ମାତୁଳ ଆଚାର୍ୟ ତନୟ || ପୁତ୍ର ଭ୍ରାତା ପୋୖତ୍ର ସମସ୍ତ | ସଖା ଶ୍ୱଶୁର ଉପସ୍ଥିତ || କୁଟୁମ୍ବ ସୁହୃଦ ସମସ୍ତ | ବନ୍ଧୁମାନେ ଵି ଏକତ୍ରିତ || ଦେଖିଣ ଆତ୍ମୀୟ ସ୍ଵଜନ | ଵିଷାଦେ କହିଲେ ଅର୍ଜୁନ || ୨୬-୨୮ ||

ଅର୍ଜୁନ ଉଵାଚ

ଶିଥିଳ ହୋଉଛି ମୋ ଦେହ | ହୃଦୟେ ଭରୁଅଛି କୋହ || ସମସ୍ତ ଶରୀର କମ୍ପନ | ପ୍ରତି ରୋମେରୋମେ ହର୍ଷଣ || ଶୁଖି ଯାଉଛି ଗଳା ମୋର | ଲାଗୁ ଅଛି ଭାରି ଅଧୀର || ୨୯ ||

ହସ୍ତୁ ଖସୁଅଛି ଗାଣ୍ଡୀଵ | ଦହନ କ୍ଳେଶ ଅନୁଭଵ || ପାରୁନି କରି ଅଵସ୍ଥାନ | ଭ୍ରାନ୍ତ ହୋଉଛି ମୋର ମନ || ୩୦ ||

ଏ ଯୁଦ୍ଧ କିଆଁ ଆୟୋଜନ | ସର୍ଵ ଵିପରୀତ ଲକ୍ଷଣ || ହତ୍ୟା କରି ପ୍ରିୟ ସ୍ଵଜନ | ଦେଖୁନି ମଙ୍ଗଳ ମୋହନ || ୩୧ ||

ବିଜୟ ଆମ୍ଭ ଲୋଡାନାହିଁ | ରାଜ୍ୟ କାମନା କିଆଁ ପାଈଁ || ରାଜ୍ୟଭୋଗେ କି ପ୍ରୟୋଜନ | ବଞ୍ଚି ରହିଲେ ଲାଭ କ'ଣ || ଏମନ୍ତ ଭାବେ ମୁଁ କହ୍ନାଇ | ଏ କ୍ଳେଶ ଦୂରକର କହି ||୩୨ ||

ଯାହାଙ୍କ ସୁଖ ପ୍ରୟୋଜନ | ସଖା ସୁହୃଦ ବନ୍ଧୁଗଣ || ସେମାନେ ଯୁଦ୍ଧେ ଅଵତୀର୍ଣ୍ଣ | ଆଶା ଛାଡି ଧନ ଜୀଵନ || ୩୩ ||

ଆଚାର୍ୟ ପିତୃତୁଲ୍ୟ ଗଣ | ପିତାମହ ଓ ପୁତ୍ରମାନ || ମାମୁଁ ଶ୍ୱଶୁର ପୋୖତ୍ର ଆଦି | ଶଳା ବନ୍ଧୁ ଆଦି ସମ୍ଵନ୍ଧି || ୩୪ ||

ଏମାନଙ୍କୁ ଯୁଦ୍ଧେ ନିଧନ | ଇଛା ନାହିଁ ମଧୁସୁଦନ || ପୃଥିବୀ ପ୍ରାପ୍ତି ଦୂରେଥାଉ | ତ୍ରିଲୋକ ପ୍ରାପ୍ତି ଵି ନହୋଉ || ୩୫ ||

ଧୃତରାଷ୍ଟ୍ରଙ୍କ ଆତତାୟୀ | ନିଧନେ କି ସୁଖ କହ୍ନେଇ || ବରଂ କଲେ ଖଳ ନୀଧନ | ପାପ ଲାଗିବ ଜନାର୍ଦ୍ଧନ || ୩୬ ||

ଧୃତରାଷ୍ଟ୍ରଙ୍କ ବଂଶଧର | ଆମ୍ଭର ବନ୍ଧୁ ସହୋଦର || ସ୍ଵଜନଙ୍କୁ ହତ୍ୟା କରିଣ | କି ସୁଖ ଲଭିଵି ମୋହନ || ୩୭ ||

ହୋଇଣ ଲୋଭ ପରଵଶ | ବିବେକଶୂନ୍ୟେ ବୁଦ୍ଧିନାଶ || ନିଜର କୁଳ ନାଶ କଲେ | ବନ୍ଧୁ ସ୍ଵଜନ ସଂହାରିଲେ || କେତେ ହତ୍ୟାଦୋଷ ଲାଗିବ | ଚିନ୍ତୁନାହିଁ କେହି ମାଧବ || ନିବୃତ୍ତ ରହିବା ଉଚିତ | ନ ବୁଝନ୍ତୁ କେହି ଅଚ୍ୟୁତ || ୩୮-୩୯ ||

କୁଳଧର୍ମ ଯେ ସନାତନ | କୁଳକ୍ଷୟେ ହେବ ପତନ || କୁଳଧର୍ମ ନଷ୍ଟ ହୁଅଇ | କୁଳେ ଅଧର୍ମ ବ୍ୟାପିଥାଇ || ୪୦ ||

କୁଳରେ ଅଧର୍ମ ପ୍ଲାବିତ | ନାରୀ ହୋଇବେ କଳୁଷିତ || ପତିତ ହୋଇ ଦୁଷ୍ଟ ନାରୀ | ରମିବେ କୁଳ ନ ବିଚାରି || ଜନମ ଦେବେ ମୁଢ଼ସୁତ | ବର୍ଣ୍ଣଶଙ୍କର ଓ ପତିତ || ୪୧ ||

ବର୍ଣ୍ଣଶଙ୍କର ଜାତ ହେବେ | କୁଳକୁ ନରକ ଘେନିବେ || ପିତୃ ପୁରୁଷଙ୍କ ପତନ | ଲୁପ୍ତ ହେବ ପିଣ୍ଡ ତର୍ପଣ || ୪୨ ||

ବର୍ଣ୍ଣଶଙ୍କର କୁଳାଘାତୀ | ନାଶନ୍ତି କୁଳଧର୍ମକ୍ଷ୍ୟାତି || ସନାତନ ଧର୍ମ ଶାଶ୍ୱତ | କରନ୍ତି ଆଚରଣେ ନଷ୍ଟ || ୪୩ ||

କୁଳଧର୍ମ ହେବ ଉଚ୍ଛନ୍ନ | ନରକ ଭୋଗିବେ ଚ୍ୟୁତଜନ || ନରକେ ଅନିଶ୍ଚିତ କାଳ | କ୍ଲେଶପୂର୍ଣ୍ଣ କାଳ କରାଳ || ଏମନ୍ତ ଶୁଣିଅଛି ମୁହିଁ | ହେ କୃଷ୍ଣ ଜଗତ ଗୋସାଇଁ || ୪୪ ||

କେମନ୍ତ ଦୁଃଖ ଵିଡ଼ମ୍ଵନା | ରାଜ୍ୟ ସୁଖ କରି କଳ୍ପନା || ସ୍ଵଜନଙ୍କ ହତ୍ୟା ଉଦ୍ୟମେ | ପ୍ରସ୍ତୁତ ହୋଇଅଛୁ ଆମେ || ୪୫ ||

ଏହାଠୁ ଶ୍ରେୟ ହେ ମୋହନ | ହୋଇଯିବା ଆମେ ନିଧନ || କୁରୁ ପୁତ୍ର ହସ୍ତେ ନିହତ | ମଙ୍ଗଳ ଭାଵିଣ ଅଚ୍ୟୁତ || ୪୬ ||

ସଂଜୟ ଉବାଚ

ଏମନ୍ତ କହିଣ ଅର୍ଜୁନ | ଶୋକ ସନ୍ତପ୍ତ କରିମନ || ଗାଣ୍ଡୀଵ ରଥ ପୃଷ୍ଟେ ଥୋଇ | ବସିଲେ ଶିରେ ହସ୍ତ ଦେଇ || ୪୭ ||

ଏମନ୍ତ ଅର୍ଜୁନ ଵଚନ | ମୁଖୁ ଶୁଣିଲେ ଭଗବାନ || ଅର୍ଜୁନ ଵିଷାଦ ହୃଦୟ | କୁହେ ସଂସାର ଦୁଃଖମୟ || ଭଵ ଜଳେ ଜୀଵ ପତିତ | ରୋଗ ତ୍ରିତାପ ଶୋକଗ୍ରସ୍ତ || ମୋହ ଦ୍ଵନ୍ଦରେ ପଡ଼ି ଥାଇ | ମିଥ୍ୟାକୁ ନିତ୍ୟ ଵିଚାରଇ || ଦ୍ଵନ୍ଦେ ପୀଡିତ ମୋର ମନ | ରକ୍ଷାକର ମଧୁସୁଦନ || ଏମନ୍ତ କହେ କୃଷ୍ଣଦାସ | ନିତ୍ୟ ଶ୍ରୀକୃଷ୍ଣଦେବ ଦାସ || ପ୍ରଥମ ଖଣ୍ଡ କୃଷ୍ଣଗୀତ | କରୁଛି ଵିନୟେ ସମାପ୍ତ || ୪୮ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଅର୍ଜୁନବିଷାଦ ୟୋଗୋ ନାମ ପ୍ରଥମ ଅଧ୍ୟାୟଃ || ୧ ||