ତୃତୀୟ ଅଧ୍ୟାୟ – କର୍ମ ଯୋଗ

ଅର୍ଜୁନ ଉଵାଚ

କର୍ମଠୁଁ ଜ୍ଞାନ ଶ୍ରେଷ୍ଠତର | ଏମନ୍ତ ମତ ଯେ ତୁମର || ଯଦି ଏମନ୍ତ ଜନାର୍ଦ୍ଧନ | ଘୋର କର୍ମେ କି ପ୍ରୟୋଜନ || କେଶବ ତୁମ୍ଭର ବଚନ | ନଜାଣଇ ମୁଁ ତା କାରଣ || ୧ ||

ଏମନ୍ତ ମିଶ୍ରିତ କଥନ | କରଇ ବିରୋଧାଚରଣ || ନ ବୁଝଇ ମୁହିଁ କିଙ୍କର | ହୁଅଇ ସନ୍ଦେହ ମୋହର || କୁହନ୍ତୁ ଗୋଟିଏ ବଚନ | ନିଶ୍ଚିନ୍ତ ହେବ ମୋ'ର ମନ || ୨ ||

ଶ୍ରୀଭଗବାନ ଉଵାଚ

ସାଂଖ୍ୟଯୋଗୀଙ୍କୁ ଜ୍ଞାନମାର୍ଗ | କର୍ମଯୋଗୀଙ୍କୁ କର୍ମମାର୍ଗ || ଏମନ୍ତ ଦୁଇ ମାର୍ଗ ସ୍ଥିତ | ଅର୍ଜୁନ ଏହା ମୋ'ର ମତ || ୩ ||

ଯେ ନର କର୍ମ ନ କରଇ | ନୈଷ୍କମ ସ୍ଥିତି ନ ଲଭଇ || ସନ୍ୟାସ ହେଲେ ମଧ୍ୟ ଜାଣ | ସିଦ୍ଧି ନ ମିଳଇ ଅର୍ଜୁନ || ୪ ||

କର୍ମ ନକରି ଜୀବଗଣ | ନପାରେ ରହି ଏକ କ୍ଷଣ || ପ୍ରକୃତି ଗୁଣେ ବଶୀଭୂତ | କର୍ମେ ବନ୍ଧା ଜୀଵଜଗତ || ୫ ||

ବାହ୍ୟରେ ସଂଯମ ଇନ୍ଦ୍ରିୟ | ମନରେ ଭାଵଇ ବିଷୟ || କରୁଥାଇ ମନେ ସ୍ମରଣ | ବିଷୟର ସଦା ଚିନ୍ତନ || ବିମୁଢ ମିଥ୍ୟାଚାରୀ ଜନ | ତାଙ୍କୁ ହିଁ କହନ୍ତି ଅର୍ଜୁନ ||  ବାହ୍ୟ ଇନ୍ଦ୍ରିୟ କାର୍ଯ୍ୟରତ | ମନରେ ଇନ୍ଦ୍ରିୟ ସଂଯତ || ନିଷ୍କାମ କର୍ମ କରୁଥାଇ | ସର୍ବଦା ଅନାସକ୍ତ ରହି || ଏମନ୍ତ କରେ ଯେଉଁ ଜନ | ତାହା ଶ୍ରେୟସ୍କର ଅର୍ଜୁନ || ୬-୭ ||

କର୍ମହୀନଠୁଁ ଶ୍ରେୟଷ୍କର | କର୍ମ କରିବା ଧନୁର୍ଧର || ନିୟତ କର୍ମ ତୁମେ କର | ଅର୍ଜୁନ ପ୍ରିୟ ସଖା ମୋ'ର || ଅବା ଦେହ ଧର୍ମ ପାଳନ | ହେବ ଅସମ୍ଭଵ ଅର୍ଜୁନ || ୮ ||

ଯଜ୍ଞ ନିମିତ୍ତ କର୍ମମାନ | ସଦା କରଣିୟ ଅର୍ଜୁନ || ତା' ବିନା ଅନ୍ୟ କର୍ମ ଜାଣ | ଆଣିଥାଏ କର୍ମ ବନ୍ଧନ ||  ଯଜ୍ଞ ନିମିତ୍ତ କର୍ମ କର | ସଙ୍ଗମୁକ୍ତ ହେବ ତୁମର || ୯ ||

ଯଜ୍ଞସହ ପ୍ରଜା ସୃଷ୍ଟିକରି | ପ୍ରଜାପତି ଚତୁର୍ମୁଖଧାରୀ || ଯଜ୍ଞ କଲେ ହିଁ ଅଭିବୃଦ୍ଧି | କାମନା ପୂର୍ତ୍ତି ଓ ସମୃଦ୍ଧି || ଏମନ୍ତ ଗୁହ୍ୟ ତତ୍ତ୍ୱମାନ | ଦେଲେ ଉପଦେଶ ଅର୍ଜୁନ || ୧୦ ||

ଯଜ୍ଞକର୍ମ କଲେ ଅର୍ଜୁନ | ତୃପ୍ତ ହୁଅନ୍ତି ଦେବଗଣ || ଦେବତା ଯେବେ ତୃପ୍ତ ହୋଇ | ଅଭିଷ୍ଠ ଫଳ ଦେଇଥାଇ || ପରଷ୍ପରକୁ କରି ତୃପ୍ତ | ରୁହନ୍ତି ସର୍ବେ ଆନନ୍ଦିତ || ନ କରି ଦେବ ସମର୍ପଣ | ସମ୍ପୁର୍ଣ୍ଣ ଭୋଗ କଲେ ଜାଣ || ଅଟଇ ଚୋରର ସମାନ | ଏ ମତ ମୋହର ଅର୍ଜୁନ || ୧୧ -୧୨ ||

ଯଜ୍ଞ ପାଇଁ କରି ରନ୍ଧନ | ଯଜ୍ଞରୁ ଅଵଶିଷ୍ଟ ଅନ୍ନ || ସନ୍ଥ ଜନ କରି ଭୋଜନ | ପାପରୁ ମୁକ୍ତ ହୋନ୍ତି ଜାଣ || ନିଜ ପାଇଁ କରି ବିଚାର | ରନ୍ଧନ କରେ ଯେଉଁ ନର || କରେ ସେ ପାପର ଭକ୍ଷଣ | ଧ୍ରୁବ ସତ୍ୟ ଏହା ଅର୍ଜୁନ || ୧୩ ||

ଅନ୍ନରୁ ଜୀବନ ଉତ୍ପନ | ବର୍ଷାରୁ ସୃଷ୍ଟି ହୁଏ ଅନ୍ନ || ଯଜ୍ଞଦ୍ୱାରା ବର୍ଷା ସମ୍ଭୁତ | ଯଜ୍ଞ କର୍ମରୁ ସମ୍ପାଦିତ || ବେଦରେ କର୍ମର ବର୍ଣ୍ଣନ | ବ୍ରହ୍ମରୁ ବେଦର ନିଷ୍ପନ୍ନ || ପରମଵ୍ରହ୍ମ ଆତ୍ମା ସେତ | ଯଜ୍ଞରେ ଥାନ୍ତି ନିତ୍ୟ ସ୍ଥିତ ||୧୪ -୧୫ ||

ଧର୍ମାଚରଣ ନକରଇ | ଇନ୍ଦ୍ରିୟ ଭୋଗେ ଲିପ୍ତ ରହି || ତା'ଅଟେ ଘୋର ପାପ ଜାଣ | ସଂସାରେ ବୃଥା ତା'ଜୀବନ ||୧୬||

ଆତ୍ମାରେ ବିଳାସ କରଇ | ଆତ୍ମାରେ ତୃପ୍ତି ଲଭୁଥାଇ || ଆତ୍ମାରେ ତୁଷ୍ଟ ଯେଉଁ ଜନ | କର୍ମେ ନାହିଁ ତା ପ୍ରୟୋଜନ ||୧୭||

କର୍ମେ ନଥାଏ ପ୍ରୟୋଜନ | ନାହିଁ ଅକର୍ମେ ପ୍ରୟୋଜନ || ନଥାଏ ସମ୍ଵନ୍ଧ ସ୍ୱାର୍ଥର | କର୍ମରେ ସିଦ୍ଧ ସେହି ନର || ୧୮ ||

ଅନାସକ୍ତ ରହି ଅର୍ଜୁନ | କର୍ତ୍ତବ୍ୟ କର୍ମେ ଦିଅ ମନ || ନିଷ୍କାମ କର୍ମ ଯିଏ କରେ | ପରମପଦ ଲାଭ କରେ || ୧୯ ||

ଜନକ ଆଦି ୠଷିବୃନ୍ଦ | କର୍ମ ଯୋଗରେ ଥିଲେ ସିଦ୍ଧ || ମାନବ କଲ୍ୟାଣ ନିମିତ୍ତ | କର୍ମରେ ଥିଲେ ସଦାରତ || ୨୦ ||

ମହତ ଜନ ଆଚରଣ | ଦେଖି ଶିଖନ୍ତି ସର୍ଵଜନ || ରଖିଥାନ୍ତି ଉଦାହରଣ | ସଭିଁଙ୍କର ଅନୁସରଣ ||୨୧||

ସମଗ୍ର ବିଶ୍ବ ବ୍ରହ୍ମାଣ୍ଡରେ | ସମସ୍ତ ପ୍ରାପ୍ତ ମୋରଠାରେ || ଅପ୍ରାପ୍ତ ବୋଲି କିଛି ନାହିଁ | ତଥାପି କର୍ମ ମୁଁ କରଇ ||୨୨||

କର୍ମ ମୁଁ ନକଲେ ଅର୍ଜୁନ | କର୍ମ ତ୍ୟାଗିବେ ସର୍ଵଜନ || କରି ମୋ'ର ଅନୁଶରଣ | ଜଗତର ହେବ ପତନ || ଧ୍ବଂସ ହେବ ସର୍ଵ ଜଗତ | ବର୍ଣ୍ଣ ଶଙ୍କର ହେବେ ଜାତ || ଏ ବିପର୍ଯୟର କାରଣ | ମୁହିଁ ଵୋଲାଇଵି ଅର୍ଜୁନ || ୨୩-୨୪ ||

ଫଳର ଆଶା ରଖିଥାଇ | ଯେ ନର କର୍ମ କରୁଥାଇ || ହିତ ଚିନ୍ତୁଥାଇ ନିଜର | ଅଜ୍ଞାନୀ ଅଟେ ସେଇ ନର || ଲୋକଙ୍କ କଲ୍ୟାଣ ନିମନ୍ତେ | କର୍ମ ଯେ ନର କରେ ସତେ || ବିଦ୍ୱାନ ଗଣେ ଗଣା ତାର | ଏମନ୍ତ ମୋହର ବିଚାର ||  ସଦା ସର୍ବଦା ଜ୍ଞାନୀ ଜନ | ମୁଢ଼ଙ୍କୁ କରି ପ୍ରୋତ୍ସାହନ || କର୍ମ କରାଇବା ଉଚିତ | ଏହାହିଁ ଅଟେ ମୋର ମତ || ୨୫-୨୬||

ପ୍ରକୃତି ଦ୍ୱାରା ସଞ୍ଚାଳିତ | ସମଗ୍ର ଏ ଜୀବଜଗତ || ଵିମୁଢ଼ ଆତ୍ମା ଅହଙ୍କାରୀ | ନିଜଙ୍କୁ କର୍ତ୍ତା ସେ ବିଚାରୀ || ଗୁଣଙ୍କ ଅଧୀନରେ ରହି | ସମସ୍ତ କର୍ମ କରୁଥାଇ || ୨୭ ||

ଗୁଣ ଓ କର୍ମର ଲକ୍ଷଣ | ଜାଣି ତତ୍ତ୍ୱଵିତ୍ ଜ୍ଞାନୀଗଣ || ଗୁଣ ଗୁଣରୁ ପ୍ରଭାବିତ | ହୋଇ ସର୍ବଦା କାର୍ଯ୍ୟରତ ||  ତତ୍ତ୍ୱ ଏମନ୍ତ ଜାଣିଥାନ୍ତି | ତିଳେ ଆସକ୍ତି ନ ହୁଅନ୍ତି || ୨୮ ||

ପ୍ରକୃତି ଗୁଣରେ ଵିମୋହିତ | ହୋଇଣ କର୍ମରେ ଆସକ୍ତ || କର୍ମ କରୁଥାନ୍ତି ଅର୍ଜୁନ | ଅଳ୍ପ ବୁଦ୍ଧି ଅଜ୍ଞାନୀ ଜନ || ନକରି ତାଙ୍କୁ ବିଚଳିତ | ସମାଲୋଚନା ଅନୁଚିତ || ତତ୍ତ୍ୱଦର୍ଶୀ ଜ୍ଞାନୀ ସୁଜନ | ଏମନ୍ତ କର୍ତ୍ତବ୍ୟ ଅର୍ଜୁନ || ୨୯ ||

ସମସ୍ତ କର୍ମ ସମର୍ପଣ | ମୋ ଉପରେ କରି ଅର୍ଜୁନ || ଆଧ୍ୟତ୍ମ ଚେତନାରେ ସ୍ଥିତ | ସର୍ଵ କାମନା ଵିସର୍ଜିତ || ନିଜକୁ କର୍ତ୍ତା ନ ଭାବିଣ | ଏ ଧର୍ମ ଯୁଦ୍ଧେ ଦିଅ ମନ || ୩୦ ||

ଅର୍ଜୁନ ମୋର ଏହି ମତ | ମାନନ୍ତି ଯେଉଁ ନର ନିତ୍ୟ || ଅସୂୟା ଶୁନ୍ୟ ସଦାରହି | ଶ୍ରଦ୍ଧାର ସହ ଆଚରଇ || କର୍ମ ବନ୍ଧନରୁ ମୁକ୍ତ | ହୋଇ ଵୋଲାନ୍ତି ମୋର ଭକ୍ତ || ୩୧ ||

ଅସୂୟା ପରଵଶ ହୋଇ | ମୋ ଉପଦେଶ ନ ମାନଇ || ଵିମୂଢ ଅବିବେକୀ ଜନ | ନିଶ୍ଚୟ ହେବ ତା ପତନ || ୩୨ ||

ଜ୍ଞାନୀଜନ ଚେଷ୍ଟା କରଇ | ପ୍ରକୃତିକୁ ଜିଣିବା ପାଈଁ || ଗୁଣ ସ୍ୱଭାବ ଅନୁଯାୟୀ | ପ୍ରକୃତି କର୍ମ କରିଥାଇ || କେବଳ ସ୍ୱଭାବ ଦମନ | କି ପାରିବ ପରିଵର୍ତ୍ତନ || ୩୩ ||

ଇନ୍ଦ୍ରିୟ ମାନଙ୍କ ବିଷୟେ | ରାଗ ବିରାଗ ରହିଥାଏ || ରାଗ ଓ ବିରାଗ ଉଭୟ | ଶତୃ ଅଟନ୍ତି ଧନଞ୍ଜୟ || ଏମାନଙ୍କ ବଶ ସ୍ଵୀକାର | ସଦାନୁଚିତ କୁରୁଵର || ପରମ ଲକ୍ଷ୍ୟର ପଥରେ | ନିଶ୍ଚୟ ବାଧା ସୃଷ୍ଟିକରେ || ୩୪ || ଉତ୍ତମ ରୂପରେ ପାଳନ | ପରଧର୍ମ କୁନ୍ତିନନ୍ଦନ || ଅଳ୍ପ ଗୁଣ ଦ୍ୱାରା ସଂଯୁକ୍ତ | ଯଦି ସ୍ଵଧର୍ମ ପଣ୍ଡୁସୁତ || ସ୍ଵଧର୍ମ ସଦା ଧନଞ୍ଜୟ | ପରଧର୍ମ ଠୁଁ ଅଟେ ଶ୍ରେୟ || ମରଣ ସ୍ଵଧର୍ମରେ ଶ୍ରେୟ | ପରଧର୍ମଟି ଭୟାଵହ || ୩୫ ||

ଅର୍ଜୁନ ଉଵାଚ

କାହା ଦ୍ୱାରା ପରିଚାଳିତ | ପାପକର୍ମରେ ନିୟୋଜିତ || ଅନିଚ୍ଛା ସତ୍ତ୍ୱେ ହେ ମାଧଵ | ପାପ କର୍ମ କରେ ମାନବ || ୩୬ ||

ଶ୍ରୀଭଗବାନ ଉଵାଚ

କାମ ଓ କ୍ରୋଧ ଏହି ଗୁଣ | ରଜ ଗୁଣରୁ ଜାତ ଜାଣ || ସର୍ଵଗ୍ରାସୀ ଏ ମହାପାପ | ଜାଣି ରଖ ହେ ପରନ୍ତପ || ପ୍ରଧାନ ଶତୃ ଜଗତର | ଏମନ୍ତ ମତଟି ମୋହର || ୩୭ ||

ଧୁମମଧ୍ୟେ ଅଗ୍ନି ଯେମନ୍ତ | ଦର୍ପଣ ଧୂଳି ଆଛାଦିତ || ଜରାୟୁଦ୍ୱାରା ଯେହ୍ନେ ଭୃଣ | କାମନା ଦ୍ୱାରା ତେହ୍ନେ ଜ୍ଞାନ ||୩୮ ||

କାମାଗ୍ନି ସର୍ବଦା ଅତୃପ୍ତ | ଜ୍ଞାନର ଚତୁପାର୍ଶ୍ବେ ବ୍ୟାପ୍ତ || ଆବୃତ୍ତ ଜ୍ଞାନୀଙ୍କର ଜ୍ଞାନ | କାମନା ଦ୍ୱାରା ଥାଏ ଜାଣ || ୩୯ ||

ମନ ବୁଦ୍ଧି ତଥା ଇନ୍ଦ୍ରିୟ | କାମନାର ଅଟେ ଆଶ୍ରୟ || କରଇ ଜ୍ଞାନ ଆଚ୍ଛାଦିତ | ଦେହୀକୁ କରେ ସମ୍ମୋହିତ || ୪୦ ||

ଇନ୍ଦ୍ରିୟକରି ବଶିଭୂତ | କାମନାକୁ କର ସମାପ୍ତ || କାମନା ଅତି ଭୟଙ୍କରୀ | ଜ୍ଞାନ ବିଜ୍ଞାନ ନାଶକାରୀ || ୪୧ ||

ଶରୀରୁ ଇନ୍ଦ୍ରିୟର ବଳ | ଇନ୍ଦ୍ରିୟଠୁଁ ମନ ସବଳ || ମନଠୁଁ ବୁଦ୍ଧି ବଳବାନ | କାମନା ଆଗେ ବୁଦ୍ଧି ହୀନ || ଏହାକୁ ସତ୍ୟ ମନେକରି | ଇନ୍ଦ୍ରିୟ ସଂଯମ ଆଚରୀ || ଆତ୍ମାକୁ ଆତ୍ମାରେ ଅର୍ଜୁନ | ସଦା ବଶିଭୂତ କରିଣ || କାମନା ରୂପକ ଦୁର୍ଜୟ | ଶତୃକୁ ନାଶ ଧନଞ୍ଜୟ || ୪୨-୪୩ ||

କର୍ମରୁ ସୃଷ୍ଟଏ ଜଗତ | କର୍ମହିଁ ଅଟେ ମହାସତ୍ୟ || କର୍ମହିଁ ଅଟେ ମହାଜ୍ଞାନ | କର୍ମର କର୍ତ୍ତା ଭଗବାନ || ଏମନ୍ତ ସଦା ମନେକରି | ମନରେ ରଖି ନରହରି || ସର୍ବଦା ଅନାସକ୍ତ ରହି | ନିଷ୍କାମ କର୍ମ ଯେ କରଇ || କର୍ମଫଳର ଏ ବନ୍ଧନ | ତା'ପାଇଁ ହୋଇଯାଏ ଛିନ୍ନ || ଜନ୍ମ ମୃତ୍ୟୁକୁ ଭେଦ କରି | ସଂସାରୁ ସିଏ ଯାଏ ତରି ||  ରାଜୀବ ଲୋଚନ ମାଧବ | ଦୟାନିଧିଙ୍କ ଦୟାଭାଵ || ସେ ଦୟାବାରି ପ୍ରାପ୍ତ ପାଇଁ | କରେ ମୁଁ ରୋଦନ କହ୍ନେଇ || ରୋଦନ କର୍ମରୂପ ନେଇ | ଲେଖନୀ ଅଗ୍ରେ ପ୍ରକାଶଇ || ପ୍ରଭୁଙ୍କ ଅମୃତ ବଚନ | କରେ କୃଷ୍ଣଦାସ ବର୍ଣ୍ଣନ ||  ତୃତୀୟ ଖଣ୍ଡ କୃଷ୍ଣଗୀତ | ତୋଷେ ପ୍ରାଣୀଙ୍କ ମୁଢ଼ଚିତ୍ତ || ୪୪ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ କର୍ମ ୟୋଗୋ ନାମ ତୃତୀୟ ଅଧ୍ୟାୟଃ || ୩ ||