Geetanabakshyari

ଅଷ୍ଟାଦଶ ଅଧ୍ୟାୟ-ମୋକ୍ଷସନ୍ୟାସ ଯୋଗ

ଅର୍ଜୁନ ଉଵାଚ

ହୃଶିକେଶ ମଧୁସୁଦନ | ହେ ମହାବାହୁ ନାରାୟଣ || ତତ୍ତ୍ୱ ସନ୍ୟାସ ଓ ତ୍ୟାଗର | ଜଣାଇ ମୋତେ ଦୟାକର || ୧ ||

ଶ୍ରୀ ଭଗବାନ ଉବାଚ

ସର୍ବ କାମନା କର୍ମ ନ୍ୟାସ | ମୁନୀଋଷି ମତେ ସନ୍ୟାସ || କର୍ମର ଫଳ ତ୍ୟାଗ ଜାଣ | ତ୍ୟାଗ କହନ୍ତି ବିଚକ୍ଷଣ || କର୍ମକୁ ଦୋଷପୂର୍ଣ୍ଣ ବାରି | ତ୍ୟାଗ ଉଚିତ ମନେକରି || କର୍ମର ତ୍ୟାଗ ହିଁ ଯଥାର୍ଥ | କେତେକ ମନୀଷିଙ୍କ ମତ || ଅନ୍ୟ କେତେକ ଜ୍ଞାନୀ ମତ | ଯଜ୍ଞ ଓ ଦାନ ତପ ବ୍ରତ || କରଣୀୟ କର୍ମ ଅଟଇ | ତ୍ୟାଗର ପାତ୍ର ନହୁଅଇ || ୨-୩ ||

ଭରତ ଶ୍ରେଷ୍ଠ ହେ ଅର୍ଜୁନ | ତ୍ୟାଗର ତ୍ରିବିଧ ଵର୍ଣ୍ଣନ || ଯଥା ଶାସ୍ତ୍ର ଅନୁମୋଦନ | ତୁମକୁ କହୁଅଛି ଶୁଣ || ୪ ||

ଯଜ୍ଞ କିରିୟା ତପ ଦାନ | ଅନୁଚିତ ତା'ର ବର୍ଜନ || ତ୍ୟାଗ ନ କରିବା କାରଣ | କର୍ମର ପବିତ୍ରତା ଜାଣ || ଏସବୁ କର୍ମ ଆଚରଇ | ମନୀଷି ପବିତ୍ର ହୁଅଇ || ୫ ||

ନିଷ୍କାମ ମନୋଭାବ ନେଇ | ପବିତ୍ର କର୍ମ ଆଚରଇ || ହେ ପାର୍ଥ କୁନ୍ତିମା ନନ୍ଦନ | ଏମନ୍ତ ମୋ'ର ମତ ଜାଣ || ୬ ||

କର୍ତ୍ତବ୍ୟ କର୍ମ ତ୍ୟାଗ ମତ | ନୁହଁଇ ଆଦୌ ଯୁକ୍ତିଯୁକ୍ତ ||  ମୋହ ର ବଶବର୍ତି ହୋଇ | କର୍ତ୍ତବ୍ୟ କର୍ମ ଯେ ତ୍ୟାଗଇ || ଅର୍ଜୁନ ଜାଣିରଖ ଏଇ | ତାମସ ତ୍ୟାଗ ତା ବୋଲାଇ || ୭ ||

ଯେଉଁ କର୍ମଟି ଦୁଃଖଦାୟୀ | ଶରୀରେ ଯନ୍ତ୍ରଣା ଦିଅଇ || ଭୟେ ଏମନ୍ତ କର୍ମ ତ୍ୟାଗ | ସେ ତ୍ୟାଗ ରାଜସିକ ଭାଵ || ୮ ||

କର୍ତ୍ତବ୍ୟ କର୍ମ ଯେ କରଇ | ଫଳରୁ ଅନାସକ୍ତ ରହି || ନିଶ୍ଚୟ ଜାଣିବ ଅର୍ଜୁନ | ସାତ୍ତ୍ଵିକ ତ୍ୟାଗର ପ୍ରମାଣ || ୯ ||

ସତ୍ତ୍ୱସମାବିଷ୍ଟ ମେଧାବୀ | ସଂଶୟଛିନ୍ନ ହୋଇ ତ୍ୟାଗୀ || କଲ୍ୟାଣ କର୍ମରେ ଆସକ୍ତ | କଠିନ କର୍ମେ ଅନାସକ୍ତ || ଏମନ୍ତ ଭାଵ ନରଖଇ | ସାତ୍ତ୍ଵିକ ତ୍ୟାଗୀ ସେ ବୋଲାଇ || ୧୦ ||

ସମ୍ପୁର୍ଣ୍ଣରୂପେ କର୍ମତ୍ୟାଗ | ଶରୀର ପକ୍ଷେ ଅସମ୍ଭବ || ଏମନ୍ତ ତତ୍ତ୍ୱ ଯେ ଜାଣଇ | କର୍ମଫଳ ତ୍ୟାଗ କରଇ || କର୍ମଫଳର ତ୍ୟାଗ ଜାଣ | ପ୍ରକୃତ ତ୍ୟାଗର ପ୍ରମାଣ || ୧୧ ||

ଇଷ୍ଟ ଅନିଷ୍ଟ ମିଶ୍ର ରୂପେ | କର୍ମର ଫଳ ତା ପ୍ରକୋପେ || ମୃତ୍ୟୁ ପଶ୍ଚାତେ ଫଳ ଦେଇ | ଅତ୍ୟାଗୀ ବ୍ୟକ୍ତିଗଣ ପାଇଁ || ତ୍ୟାଗ ଯେ କରଇ ଜାଣିବ | କର୍ମ ଫଳରୁ ମୁକ୍ତହେବ || ୧୨ ||

ସକଳ କର୍ମ ସିଦ୍ଧି ପାଇଁ | ପାଞ୍ଚଟି କାରଣ ବୋଲଇ || ପାଞ୍ଚଟି କାରଣ ବର୍ଣ୍ଣିତ | ସାଂଖ୍ୟ ଶାସ୍ତ୍ରର ଅନ୍ତର୍ଗତ || ଶୁଣ ଅର୍ଜୁନ ଦେଇ ମନ | ପାଞ୍ଚ କାରଣର ବ୍ୟାଖାନ || ୧୩ ||

କର୍ମ ସିଦ୍ଧିରେ ଅଧିଷ୍ଠାନ | ପଞ୍ଚନ୍ଦ୍ରିୟ ଆଦି କରଣ || ପ୍ରଚେଷ୍ଟା ବିଭିନ୍ନ ପ୍ରକାର | କର୍ତ୍ତାର ଦୈବିକ ସଂସ୍କାର || ଏମନ୍ତ ଚାରୋଟି ଵର୍ଣ୍ଣନ | କର୍ତ୍ତା ହିଁ ପଞ୍ଚମ କାରଣ || ୧୪ ||

କାୟ ମନ ବାକ୍ୟ ଉଦ୍ଭବ | ପ୍ରତ୍ୟକ କର୍ମର ଆରମ୍ଭ || ଅନ୍ୟାୟ ନ୍ୟାୟର ଭେଦରେ | ଯେଉଁ କର୍ମ ନର ଆଚରେ || ସମସ୍ତ କର୍ମର ନିମିତ୍ତ | ପଞ୍ଚ କାରଣରେ ସିମୀତ || ୧୫ ||

ପଞ୍ଚ କାରଣ ଯଦି ଥାଇ | ଆତ୍ମାକୁ କରତା ଭାବଇ || ଆତ୍ମାହିଁ କେବଳ କରତା | ଏମନ୍ତ ଚିନ୍ତା ମୁର୍ଖମତା || ଏମନ୍ତ ଯେ ନର ଭାବଇ | ପ୍ରକୃତେ କିଛି ନ ଦେଖଇ || ୧୬ ||

ନାହିଁ ଯାହାର ଅହଂକାର | ଲିପ୍ତ ନାହିଁ ବୁଦ୍ଧି ଯାହାର || ହତ୍ୟା କଲେ ମଧ୍ୟ କାହାର | ହତ୍ୟା ନୁହଇ ଧନୁର୍ଦ୍ଧର || କର୍ମ ବନ୍ଧନେ ନ ପଡ଼ଇ | ନିଶ୍ଚିତ ମତ ଏ ଅଟଇ || ୧୭ ||

ଜ୍ଞାନ ଜ୍ଞେୟ ଜ୍ଞାତା ଅର୍ଜୁନ | କର୍ମର ପ୍ରବର୍ତ୍ତକ ଜାଣ || କର୍ତ୍ତା କର୍ମ ତଥା ଇନ୍ଦ୍ରିୟ | ତ୍ରିବିଧ କ୍ରିୟାର ଆଶ୍ରୟ || ୧୮ ||

ସାଂଖ୍ୟ ଦର୍ଶନ ଅନୁସାରେ | ଜ୍ଞାନ କର୍ମ କର୍ତ୍ତା ଗୁଣରେ || ତିନି ପ୍ରକାର ବୋଲି ଜାଣ | କହୁଛି ଶୁଣ ମୁଁ ଅର୍ଜୁନ || ୧୯ ||

ଅଭିଭକ୍ତ ସେ ଭଗବାନ | ସର୍ଵ ଜୀଵ ଦେହେ ସ୍ପୁରଣ || ଯେଉଁ ଜ୍ଞାନ ବଳେ ଅର୍ଜୁନ | ଏମନ୍ତ ହୁଅଇ ଦର୍ଶନ || ସେ ଜ୍ଞାନ ସାତ୍ତ୍ଵିକ ଅଟଇ | ଶ୍ରେଷ୍ଠ ଜ୍ଞାନ ତାହା ଵୋଲାଇ || ୨୦ ||

ସର୍ଵ ଜୀଵ ଦେହେ ଅର୍ଜୁନ | ଭିନ୍ନ ଭିନ୍ନ ଆତ୍ମା ଦର୍ଶନ || ସେ ଜ୍ଞାନ ରାଜସିକ ଜ୍ଞାନ | ବୋଲି ଜାଣିବ ହେ ଅର୍ଜୁନ || ୨୧ ||

ଗୋଟିଏ କାର୍ଯ୍ୟକୁ ଅର୍ଜୁନ | ସବୁ କିଛି ବୋଲି ଭାଵିଣ || ସମ୍ପୂର୍ଣ୍ଣ ସତ୍ୟ ନଜାଣଇ | ଅଳ୍ପ ଜ୍ଞାନରେ ତିଷ୍ଠ ରହି || ସେ ଜ୍ଞାନ ତାମସିକ ଜାଣ | ଏହା ଏକ ଉଦାହରଣ || ୨୨ ||

ଫଳରେ ଆଶା ନରଖଇ | ଅନାସକ୍ତ କର୍ମ କରଇ || ରାଗ ଓ ଦ୍ବେଷ ଵିଵର୍ଜିତ | କର୍ତ୍ତବ୍ୟ କର୍ମ କୁନ୍ତିସୁତ || ସାତ୍ତ୍ଵିକ କର୍ମ ବୋଲି ଜାଣ | ମୋ'ର ପ୍ରିୟ ସଖା ଅର୍ଜୁନ || ୨୩ ||

ନିଜ କାମନା ପୂର୍ତ୍ତିପାଈଁ | ଵହୁ ପ୍ରୟାସ କରିଥାଇ || ମନରେ ରଖି ଅହଂକାର | କର୍ମ କରଇ ଧନୁର୍ଦ୍ଧର || ସେ କର୍ମ ଆଡ଼ମ୍ଵର ପୂର୍ଣ୍ଣ | ରାଜସ ଅଟଇ ଅର୍ଜୁନ || ୨୪ ||

କ୍ଷୟ ହିଂସା ଓ ପରିଣାମ | ପୋୖରୁଷ ନଚିନ୍ତି ଯେ କର୍ମ || ମୋହ ରେ ଆରମ୍ଭ ହୋଇଥାଇ | ସେ କର୍ମ ତାମସ ଅଟଇ ||୨୫||

ନିରହଂକାରୀ ଅନାସକ୍ତ | ଅଟଇ ଧୈର୍ଯ୍ୟଵାନ ପାର୍ଥ || ସିଦ୍ଧି ଅସିଦ୍ଧି ସମୟରେ | ନିର୍ବିକାର ରୁହେ ମନରେ || ସେହି ଉତ୍ସାହୀ କର୍ତ୍ତା ଜାଣ | ସାତ୍ତ୍ଵିକ ଅଟଇ ଅର୍ଜୁନ || ୨୬ ||

କର୍ମ ଫଳାକାଂକ୍ଷୀ ରୁହଇ | ବିଷୟେ ଅନୁରକ୍ତ ରହି || ଲୋଭୀ ଓ ହିଂସା ପରାୟଣ | ଅଟଇ ଶୌଚାଚାରହୀନ || ହର୍ଷ ବିଷାଦଗ୍ରସ୍ତ ଥାଇ | ରାଜସୀ କର୍ତ୍ତା ସେ ଅଟଇ || ୨୭ ||

ଅଯୁକ୍ତ ଅମାର୍ଜିତ ଜନ | ଶଠ ଆଳସ୍ୟ ପରାୟଣ || ସ୍ତବ୍ଧ ଦୂରାଚାରୀ ମନ୍ଥର | ବିଷାଦଗ୍ରସ୍ତ ଯେଉଁ ନର || ଅଶୁଦ୍ଧ ଗୁଣରେ ଭୂଷିତ | ତାମସିକ କର୍ତ୍ତା କଥିତ || ୨୮ ||

ଗୁଣ ଭେଦରେ ହେ ଅର୍ଜୁନ | ବୁଦ୍ଧି ଓ ଧୃତି ଆଦି ଗୁଣ || ତିନିଭାଗରେ ଵିଭାଜନ | କହୁଛି ମନ ଦେଇ ଶୁଣ || ୨୯ ||

ପ୍ରବୃତ୍ତି ନିବୃତ୍ତି ବିଷୟ | କର୍ତ୍ତବ୍ୟ ଅକର୍ତ୍ତବ୍ୟ ଭୟ || ଅଭୟ ମୋକ୍ଷ ଓ ବନ୍ଧନ | ଯେଉଁ ବୁଦ୍ଧିରେ ହୁଏ ଜ୍ଞାନ || ସାତ୍ତ୍ଵିକ ବୁଦ୍ଧି ତାହା ଜାଣ | ଅର୍ଜୁନ କୁନ୍ତିମା ନନ୍ଦନ || ୩୦ ||

ଧର୍ମ ଓ ଅଧର୍ମ ଆଦିକୁ | କର୍ତ୍ତବ୍ୟାକର୍ତ୍ତବ୍ୟ ସବୁକୁ || ଅଯଥା ମନେ କରିଥାଇ | ସେ ବୁଦ୍ଧି ରାଜସ ଅଟଇ || ୩୧ ||

ଅଧର୍ମକୁ ଧର୍ମ ମାନଇ | ଅର୍ଥକୁ ବିପରୀତ ନେଇ || ତମଗୁଣ ଦ୍ୱାରା ଆବୃତ୍ତ | ତା' ବୁଦ୍ଧି ହୋଇଥାଏ ପାର୍ଥ || ୩୨ ||

ମନ ପ୍ରାଣ ଓ ଇନ୍ଦ୍ରିୟର | କ୍ରିୟାକୁ ଧରେ ଯେ ଧନୁର୍ଦ୍ଧର || ନିଷ୍ଠାପର ହୋଇ ଅର୍ଜୁନ | ସେ ଧୃତି ସାତ୍ତ୍ଵିକ ବୋଲି ଜାଣ || ୩୩ ||

ଯେଉଁ ଧୃତି ଦ୍ୱାରା ଅର୍ଜୁନ | ଧର୍ମ କାମ ଅର୍ଥ ଧାରଣ || କରନ୍ତି ଫଳାକାଂକ୍ଷୀ ଜନ | ସେ ଧୃତି ରାଜସୀକ ଜାଣ || ୩୪ ||

ଯେଉଁ ଧୃତି ଦ୍ୱାରା ଧାରଣ | ଦୁର୍ମେଧା ବ୍ୟକ୍ତି ହେ ଅର୍ଜୁନ || ବିଷାଦ ସ୍ବପ୍ନ ଶୋକ ଭୟ | କରିଥାଏ ହେ ଧନଞ୍ଜୟ || କରିପାରେନି ତା'ର ତ୍ୟାଗ | ସେ ଧୃତି ତାମସ ଜାଣିଵ || ୩୫ ||

ସୁଖ ମଧ୍ୟ ତିନି ପ୍ରକାର | କହୁଛି ଶୁଣ ହେ ଧନୁର୍ଦ୍ଧର || ଅଭ୍ୟାସ ଦ୍ୱାରା ମନୁଷ୍ୟର | ଅନ୍ତ ହୋଇଥାଏ ଦୁଃଖର || ସୁଖର ଉତ୍ପନ ହୁଅଇ | ଚିତ୍ତ ପ୍ରସନ୍ନ ହୋଇଥାଇ || ପରମାତ୍ମାରେ ସ୍ଥିତ ମନ | ରହିଥାଏ ସଦା ଅର୍ଜୁନ || ପ୍ରଥମେ ଲାଗେ ବିଷତୁଲ୍ୟ | ପରେ ଲାଗିଥାଏ ଅମୂଲ୍ୟ || ସେ ସୁଖ ଅଟେ ଚିରସ୍ଥାୟୀ | ସାତ୍ତ୍ଵିକ ସୁଖ ସେ ଵୋଲାଇ || ୩୬ – ୩୭ ||

ଇନ୍ଦ୍ରିୟ ବିଷୟ ସଂଯୋଗ | ତହିଁରୁ ସୁଖର ଉଦ୍ଭବ || ଅମୃତ ତୁଲ୍ୟ ଅନୁଭୂତ | ପରେ ବିଷରେ ପରିଣତ || ସେ ସୁଖ ଅଟେ କ୍ଷଣ ସ୍ଥାୟୀ | ରାଜସ ସୁଖ ସେ ଵୋଲାଇ || ୩୮ ||

ଆଦି ମଧ୍ୟ ଅନ୍ତେ ଅର୍ଜୁନ | ଆତ୍ମାକୁ କରେ ସମ୍ମୋହନ || ନିଦ୍ରା ଆଳସ୍ୟ ଓ ପ୍ରମାଦ | ତହିଁରୁ ଯେ ସୁଖ ଉଦ୍ଭଵ || ତାମସ ସୁଖ ସେ ଅଟଇ | ଏ ମତ ମୋହର ଅଟଇ || ୩୯ ||

ପୃଥିବୀରେ ଦେବ ଲୋକରେ | ସମଗ୍ର ବିଶ୍ବ ବ୍ରହ୍ମାଣ୍ଡରେ || ଏମିତି କେହି ଜଣେ ନାହିଁ | ତ୍ରିଗୁଣୁ ମୁକ୍ତ ଯେ ଅଟଇ || ୪୦ ||

ସ୍ୱଭାବୁ ଗୁଣର ଉତ୍ପନ | ଗୁଣହିଁ କର୍ମର କାରଣ || କର୍ମ ବିଭାଗ ଅନୁସାରେ | ଚତୁର୍ବର୍ଣ୍ଣ ମୁଁ ସୃଷ୍ଟି କରେ ||  ବ୍ରାହ୍ମଣ ବୈଶ୍ୟ ଓ କ୍ଷତ୍ରିୟ | ଶୁଦ୍ରାଦି ବର୍ଣ୍ଣ ଧନଞ୍ଜୟ || ୪୧ ||

ଶମ ଦମ କ୍ଷମାଶୀଳତା | ତପ ଶୌଚ ଓ ପବିତ୍ରତା || ଜ୍ଞାନ ବିଜ୍ଞାନ ଆହରଣ | ସରଳ ଆସ୍ତିକ ସୁଜନ || ଇତ୍ୟାଦି କର୍ମ ବ୍ରାହ୍ମଣର | ସ୍ଵଭାବୁ ଉତ୍ପନ ତାହାର || ୪୨ ||

ସୌର୍ଯ୍ୟ ତେଜ ଧୈର୍ଯ୍ୟ ଦକ୍ଷତା | ପାଳନ ପୋଷଣ ବୀରତା || ଈଶ୍ବର ଭାବେ ରହି ଦାନ | ଯୁଦ୍ଧକ୍ଷେତ୍ରୁ ଅପଳାୟନ || ଏହି ସବୁ ଗୁଣ ଅର୍ଜୁନ | କ୍ଷତ୍ରିୟ ସ୍ୱଭାବୁ ଜାତ ଜାଣ || ୪୩ ||

କୃଷି ବାଣିଜ୍ୟ ଗୋପାଳନ | ବୈଶ୍ୟକର୍ମ ଅଟେ ଅର୍ଜୁନ || ପରିଚର୍ଯ୍ୟା ସେବା ସତ୍କାର | କାର୍ଯ୍ୟ ହୋଇଥାଇ ଶୁଦ୍ରର || ୪୪ ||

ନିଜ କର୍ମରେ ଲିପ୍ତରହି | ମନୁଷ୍ୟ ସିଦ୍ଧି ଲଭିଥାଇ || ସ୍ଵକର୍ମରେ ଲିପ୍ତ ରହିଣ | ସିଦ୍ଧି କିପରି ମିଳେ ଶୁଣ || ୪୫ ||

ଯାହାଠୁ ସର୍ଵ ଜୀଵ ସୃଷ୍ଟ | ଯେ ଥାଏ ସବୁଠାରେ ବ୍ୟାପ୍ତ || ନିଜ କର୍ମ ଦ୍ୱାରା ଅର୍ଜୁନ | ତାଙ୍କୁ ଯେ କରଇ ପୂଜନ || ସେ ନର ସିଦ୍ଧି ଲଭିଥାଇ | ନିଶ୍ଚିତ ମତ ମୋ'ର ଏହି || ୪୬ ||

ଉତ୍ତମ ରୂପେ ଅନୁଷ୍ଠିତ | ପରଧର୍ମ ଟି କୁନ୍ତିସୁତ || ସ୍ଵଧର୍ମ ଯଦି ଦୋଷଯୁକ୍ତ | ତଥାପି ଏହା ଜାଣ ପାର୍ଥ || ସ୍ଵଧର୍ମ ଅଟେ ଶ୍ରେଷ୍ଟତର | ଏମନ୍ତ ମତ ଅଟେ ମୋ'ର || କର୍ତ୍ତବ୍ୟ କର୍ମ ଯେ କରଇ | ପାପର ଭାଗି ନ ହୁଅଇ || ୪୭ ||

ସ୍ଵକର୍ମ ଯଦି ଦୋଷଯୁକ୍ତ | ତଥାପି ତ୍ୟାଗ ଅନୁଚିତ || ଯେହ୍ନେ ଅଗ୍ନି ଧୁମ ଆବୃତ୍ତ | କର୍ମ ଦୋଷରେ ଆଛାଦିତ || ୪୮ ||

ଅନାସକ୍ତ ବୁଦ୍ଧି ଯାହାର | ସଂଯମ ଯା' ମନ ଶରୀର || ଯେ ଅଟଇ ସ୍ପୃହା ରହିତ | ସାଂଖ୍ୟ ଯୋଗ କରି ହେ ପାର୍ଥ || ପରମ ଗତି ତା'କୁ ପ୍ରାପ୍ତ | ଅଟଇ ଏହା ମୋ'ର ମତ || ୪୯ ||

ସିଦ୍ଧି ପ୍ରାପ୍ତ ନର କେମନ୍ତ | କରଇ ପରଂବ୍ରହ୍ମ ପ୍ରାପ୍ତ || ଜ୍ଞାନର ଅତ୍ୟୁଚ ସ୍ଥାରରେ | ପହଂଚି ଥାଏ ସେ ଅଚିରେ || କହୁଛି ଶୁଣ ମୁଁ ଅର୍ଜୁନ | ଶୁଣିଣ ତୁମେ ହେବ ଧନ୍ୟ || ୫୦ ||

ବିଶୁଦ୍ଧ ବୁଦ୍ଧି ଯୁକ୍ତ ହୋଇ | ଆତ୍ମାକୁ ସଂଯମ କରଇ || ଶବ୍ଦାଦି ବିଷୟ ବର୍ଜନ | ରାଗ ଦ୍ବେଷ ତ୍ୟାଗ କରିଣ || ଏକାନ୍ତ ବାସୀ ହୋଇଥାଇ | ଅଳପ ଆହାର କରଇ || ଶରୀର ମନ ଓ ଵଚନ | ସଂଯମୀ ଯୋଗ ପରାୟଣ || ବଳ ଦର୍ପ ଓ ଅହଂକାର | କାମ ଓ କ୍ରୋଧ ଧନୁର୍ଦ୍ଧର || ଏ ସମସ୍ତ ତ୍ୟାଗ କରିଣ | ପ୍ରଶାନ୍ତ ଚିତ୍ତ ହେଲେ ଜାଣ || ଵ୍ରହ୍ମତ୍ୱ ପାଈଁ ଯୋଗ୍ୟ ଜନ | ହୋଇଥାନ୍ତି ସେହି ଅର୍ଜୁନ || ୫୧-୫୩ ||

ବ୍ରହ୍ମ ସ୍ୱରୂପ ପ୍ରାପ୍ତ ହୋଇ | ଶୋଚନା ଆକାଂକ୍ଷା ନଥାଇ || ସର୍ଵ ଜୀବେ ସମ ଦର୍ଶନ | ପରାଭକ୍ତିରେ ମୋ'ର ଳୀନ || ୫୪ ||

ପରାଭକ୍ତିରେ ସ୍ଥିତ ରହି | ମୋ'ର ଜ୍ଞାନ ପ୍ରାପ୍ତ କରଇ || ତତ୍ତ୍ୱରେ ମୋତେ ଜାଣି ପାର୍ଥ | ମୋ' ଠାରେ ହୁଅନ୍ତି ପ୍ରଵିଷ୍ଟ || ୫୫ ||

ସଦା ସର୍ଵ କର୍ମ କରିଣ | ମୋ' ଶରଣେ ରହି ଅର୍ଜୁନ || ଶାଶ୍ୱତ ନିତ୍ୟ ଓ ଅବ୍ୟୟ | ପ୍ରାପ୍ତି ସେ ପଦ ଧନଞ୍ଜୟ || ୫୬ ||

ସମସ୍ତ କର୍ମକୁ ଅର୍ପଣ | କର ମୋତେ ସଦା ଅର୍ଜୁନ || ମୋ'ଠାରେ ଚିତ୍ତ ନିବେଶିଣ | ମତ ପରାୟଣ ହୋଇଣ || ସଦାଶ୍ରୟ ବୁଦ୍ଧି ଯୋଗର | କର ତୁମେ ହେ ଧନୁର୍ଦ୍ଧର || ୫୭ ||

ମୋଠାରେ ଚିତ୍ତକୁ ନିବେଶ | ସକଳ ଦୁଃଖ ହେବ ନାଶ || ମୋ'ର କୃପା ଲାଭ କରିବ | ସଂସାରୁ ତରିଵ ପାଣ୍ଡବ || ଅହଂକାର ଯୋଗୁଁ ଅର୍ଜୁନ | ଯଦି ମୋ' ଵଚନ ନ ଶୁଣ || ବିନାଶ ହୋଇଵ ତୁମର | ନିଶ୍ଚୟ ମତ ଏ ମୋହର || ୫୮ ||

ଆଶ୍ରୟରେ ଅହଂକାରର | ଭାବୁଛ ଯୁଦ୍ଧ ଧନୁର୍ଦ୍ଧର || ଯୁଦ୍ଧ ନ କରିବା ମାନସ | ଶୀଘ୍ର ହୋଇଵ ତା'ର ନାଶ || କ୍ଷତ୍ରିୟ ସ୍ଵଭାଵ ତୁମର | ବାଧ୍ୟ କରିବ ଯୁଦ୍ଧକର || ୫୯ ||

ମୋହରେ ପଡ଼ି ହେ ଅର୍ଜୁନ | ଯୁଦ୍ଧକୁ କରୁଛ ଵାରଣ || ସ୍ଵଭାଵ ତୁମକୁ ତୁମର | କରିବ ବାଧ୍ୟ ଧନୁର୍ଦ୍ଧର || ୬୦ ||

ଈଶ୍ବର ଜୀଵଙ୍କ ଅର୍ଜୁନ | ହୃଦେ କରନ୍ତି ଅଵସ୍ଥାନ || ନିଜ ମାୟାଶକ୍ତି ବଳରେ | ଶରୀର ରୂପକ ଯନ୍ତ୍ରରେ || ସମସ୍ତ ଜୀଵଙ୍କୁ ଆଵଦ୍ଧ | କରିଣ ଘୁରାନ୍ତି ପାଣ୍ଡବ || ୬୧ ||

ସର୍ଵଭାଵରେ ହେ ଅର୍ଜୁନ | ନିଅ ତୁମେ ତାଙ୍କ ଶରଣ || ତାଙ୍କ କୃପାରୁ ହେ ଭାରତ | ଶାଶ୍ୱତ ଶାନ୍ତି ସ୍ଥାନ ପ୍ରାପ୍ତ || ୬୨ ||

ଗୁହ୍ୟଠାରୁ ଵି ଗୁହ୍ୟତର | ଗୁପ୍ତ ଜ୍ଞାନ ଏ ଧନୁର୍ଦ୍ଧର || ଉତ୍ତମ ରୂପେ ଵିଶ୍ଳେଷଣ | ସମ୍ପୁର୍ଣ୍ଣ ମନନ ଚିନ୍ତନ || କରି ଆଲୋଚନା ବିଚାର | ତା'ପରେ ଯାହା ଇଛା କର || ୬୩ ||

ଅତି ଗୁପ୍ତ ଏ ଵାକ୍ୟ ମୋ'ର | ଶୁଣ ତୁମେ ସଖା ମୋହର || ଯେଣୁ ତୁମେ ମୋ' ଅତି ପ୍ରିୟ | ପୁଣି କହିବି ଧନଞ୍ଜୟ || ତୁମ ହିତ ପାଇଁ ପାଣ୍ଡବ | ମନ ଦେଇ ଏହା ଶୁଣିବ || ୬୪ ||

ନିବେଶ ମନକୁ ମୋ' ଠାରେ | ଭକ୍ତିକର ମୋ'ର ଅଚିରେ || ପୂଜାକର ତୁମେ ମୋହର | କରିଣ ମୋତେ ନମସ୍କାର || ଯେଣୁ ମୋହର ଅତି ପ୍ରିୟ | ଅଟ ତୁମେ ହେ ଧନଞ୍ଜୟ || ନିଶ୍ଚୟ କହୁଅଛି ଶୁଣ | ମୋତେ ପ୍ରାପ୍ତ ହେବ ଅର୍ଜୁନ || ୬୫ ||

ସକଳ ଧର୍ମ ତ୍ୟାଗକରି | ତା'ପରେ ତୁମେ ଧନୁର୍ଦ୍ଧାରୀ || ଆଶ୍ରା ନିଅ ମୋ'ର ଶରଣ | ଅର୍ଜୁନ ଭାରତ ନନ୍ଦନ || ତୁମକୁ ସର୍ଵ ପାପୁ ଜାଣ | ମୁକ୍ତ କରିବି ମୁଁ ଅର୍ଜୁନ || ପରମ ଗତି ହେବ ପ୍ରାପ୍ତ | ଶୋଚନା କରନାହିଁ ପାର୍ଥ || ୬୬ ||

ଏହି ଗୁହ୍ୟତମ ତଥ୍ୟକୁ | ନକହିଵ ଅତପସ୍ଵୀକୁ || କହିବ ନାହିଁ ଅଭକ୍ତକୁ | ଶ୍ରବଣେ ଅଶ୍ରଦ୍ଧା ବ୍ୟକ୍ତିକୁ || ମୋ'ଠାରେ ଦୋଷ ଯେ ଦେଖଇ | ମୋତେ ଅସୂୟା କରିଥାଇ || ସେଭଳି ଜନଙ୍କୁ ଅର୍ଜୁନ | କହିଵ ନାହିଁ କଦା ଜାଣ || ୬୭ ||

ପରମ ଗୁହ୍ୟ ତତ୍ତ୍ୱ ଜ୍ଞାନ | ଭକ୍ତଙ୍କ ମଧ୍ୟେ କୁହେ ଜାଣ || ମୋ'ର ଭକ୍ତିରେ ଳୀନ ରହି | ନିସନ୍ଦେହ ମୋତେ ଲଭଇ || ୬୮||

ତାଙ୍କରି ଠାରୁ ପ୍ରିୟ ଜନ | ମୋ'ର କେହି ନାହିଁ ଅର୍ଜୁନ || ପ୍ରିୟଙ୍କ ମଧ୍ୟେ ପ୍ରିୟତର | ଭୁଵମଣ୍ଡଳେ ଧନୁର୍ଦ୍ଧର || ୬୯ ||

ଆମର କଥପୋକଥନ | ଯେ ଜନ କରେ ଅଧ୍ୟୟନ || ସେହି ଜ୍ଞାନ ଯଜ୍ଞେ ଅର୍ଜୁନ | ଇଷ୍ଟ ପୂଜା ମୁଁ ପାଏ ଜାଣ || ୭୦ ||

ଅସୂୟାଶୁନ୍ୟ ଶ୍ରଦ୍ଧାବାନ | ହୋଇ କରେ ଗୀତା ଶ୍ରବଣ || ସେହି ପୁଣ୍ୟକର୍ମା ସାଧୁଜନ | ଶୁଭଲୋକ ପ୍ରାପ୍ତ ହୋଇଣ || ମୁକ୍ତ ହୋଇଥାନ୍ତି ଅର୍ଜୁନ | ମୋ'ର ଧାମକୁ ପ୍ରାପ୍ତ ଜାଣ || ୭୧ ||

ଏକାଗ୍ର ଚିତ୍ତେ ମୋ' ଵଚନ | ଶୁଣିଲକି ତୁମେ ଅର୍ଜୁନ || ଅଜ୍ଞାନରୁ ଜାତ ସଂଶୟ | ନଷ୍ଟ ହେଲା କି ଧନଞ୍ଜୟ || ୭୨ ||

ଅର୍ଜୁନ ଉଵାଚ

ଅଜ୍ଞାନରୁ ଜାତ ସଂଶୟ | ନଷ୍ଟ ହେଲା ହେ ଦୟାମୟ || ଆପଣଙ୍କ କୃପା ଲଭିଲି | ନିଜକୁ ଧନ୍ୟ ମନେକଲି || ସମସ୍ତ ଵଚନ ପାଳନ | କରିବି ମୁହିଁ ନାରାୟଣ || ୭୩ ||

ସଂଜୟ ଉଵାଚ

ଶୁଣ ହେ ମହାତ୍ମା ରାଜନ | ସୁନ୍ଦର କଥପୋକଥନ || ବାସୁଦେବ ଜ୍ଞାନ ବଚନ | ପଚାରୁଥାନ୍ତି ଯେ ଅର୍ଜୁନ || ରୋମହର୍ଷଣ ସେ କଥନ | ଶୁଣି ଉତ୍ଫୁଲ ହେଲା ମନ || ୭୪ ||

ବ୍ୟାସଦେବଙ୍କ କୃପା ହୋଇ | ଗୁହ୍ୟତତ୍ତ୍ୱ ମୁହିଁ ଶୁଣଇ || ଯୋଗେଶ୍ଵରଙ୍କ ଯୋଗ ତତ୍ତ୍ୱ | ଶୁଣିଲି ମୁଁ ତାହା ପ୍ରତ୍ୟକ୍ଷ || ୭୫ ||

ଏମନ୍ତ ପବିତ୍ର କଥନ | ବାରମ୍ବାର କରି ସ୍ମରଣ || ରୋମାଞ୍ଚ ବାରମ୍ବାର ମନ | ହୋଉଛି ମୋ'ର ହେ ରାଜନ || ୭୬||

ସୁନ୍ଦର ଶ୍ରୀକୃଷ୍ଣଙ୍କ ରୂପ | ଦିବ୍ୟ ଘନ ସେଇ ସ୍ୱରୂପ || ସ୍ମରଣ କରି ମୁଁ ବିସ୍ମିତ | ବାରମ୍ବାର ମୁଁ ପୁଲକିତ || ୭୭ ||

ଯେଉଁଠି ଯୋଗେଶ୍ବର କୃଷ୍ଣ | ଧନୁର୍ଦ୍ଧର ପାର୍ଥ ଅର୍ଜୁନ || ଅଛନ୍ତି ଉପସ୍ଥିତ ଦ୍ୱୟ | ସେଠାରେ ବିଜୟ ନିଶ୍ଚୟ || ୭୮ ||

ମିଥ୍ୟା ମାୟାର ଏ ସଂସାର | କେବଳ ସତ୍ୟ ମାୟାଧର || ଖେଳୁଛି ଖରା ଛାଇ ଖେଳ | ରକ୍ଷାକର ଆହେ ଗୋପାଳ || ହୋଉଛି ମୋର ଵିସ୍ମରଣ | ଦୟାକର ମନ ମୋହନ || ଅସୁର ବୃତ୍ତି କରେ ମନ | ଶୁଦ୍ଧକର ମଧୁସୁଦନ || ଵହୁଜନ୍ମର ମୋ ସଂସ୍କାର | ଛେଦନ କର ଚକ୍ରଧର || ମୁଢମତି ମୁଁ କୃଷ୍ଣଦାସ | ତୁମ୍ଭ କୃପାରୁ ପୀତବାସ || କଲି ଭାଷା ରୂପାନ୍ତରଣ | ଚିନ୍ତି ମୁଁ ଜଗତ କଲ୍ୟାଣ || ଲେଖିବା ଯୋଗ୍ୟ ମୁଁ ନୁହଁଇ | ଦୟାକଲ ତୁମେ କହ୍ନେଇ || ସର୍ଵଦୋଷ ମୋ କ୍ଷମାକର | ଦୟାକର ଦୟାସାଗର || ଅଷ୍ଟାଦଶ ଶ୍ରୀକୃଷ୍ଣ ଗୀତ | ହୋଇଲା ଏଠାରେ ସମାପ୍ତ || ୭୯ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ମୋକ୍ଷସନ୍ୟାସ ୟୋଗୋ ନାମ ଅଷ୍ଟାଦଶ ଅଧ୍ୟାୟଃ || ୧୮ ||

ସପ୍ତଦଶ ଅଧ୍ୟାୟ – ଶ୍ରଦ୍ଧାତ୍ରୟ ବିଭାଗ ଯୋଗ

ଅର୍ଜୁନ ଉଵାଚ ଯେ ଶାସ୍ତ୍ରବିଧିକୁ ତ୍ୟାଗଇ | ଶ୍ରଦ୍ଧାରେ ଦେବତା ପୂଜଇ || ତାହାର ନିଷ୍ଠା କି ପ୍ରକାର | ହେ କୃଷ୍ଣ କହି ଦୟାକର || ତାହାକୁ ସାତ୍ତ୍ଵିକୀ ରାଜସୀ | ନା ପୁଣି କହିବା ତାମସୀ || ୧ ||

ଶ୍ରୀ ଭଗବାନ ଉବାଚ ଶ୍ରଦ୍ଧାର ତ୍ରିବିଧ ପ୍ରକାର | ସ୍ୱଭାବୁ ଉତ୍ପନ ଦେହୀର || ଦ୍ଵିଗୁଣ ସାତ୍ତ୍ଵିକୀ ରାଜସୀ | ତ୍ରିତୀୟ ଗୁଣଟି ତାମସୀ || ୨ ||

ସତ୍ତ୍ଵ ସ୍ୱଭାବ ଅନୁରୂପ | ହୁଅଇ ଶରଧା ସ୍ବରୁପ || ଯେମନ୍ତ ଶରଧା ଯାହାର | ତେମନ୍ତ ସ୍ୱଭାବ ତାହାର || ଭରତ କୁନ୍ତିମା ନନ୍ଦନ | ଏହା କହନ୍ତି ଭଗବାନ || ୩ ||

ସାତ୍ତ୍ଵିକ ନର ଉପାସନା | ଦେବତା ମାନଙ୍କ ବନ୍ଦନା || ଯକ୍ଷ ରାକ୍ଷସ ଯେ ପୂଜଇ | ସେ ନର ରାଜସ ବୋଲାଇ ||  ଭୂତ ପ୍ରେତଗଣ ପୂଜନ | ତାମସ ଜନ ଦିଏ ମନ || ୪ ||

ଅଶାସ୍ତ୍ର ବିହିତ କଠିନ | ତପ କରଇ ଯେଉଁ ଜନ || ଦମ୍ଭ ଅହଂକାର ସଂଯୁକ୍ତ | କାମନା ରାଗରେ ଉନ୍ମତ || ୫ ||

କରଇ ଶରୀର କର୍ଷଣ | ଅବିବେକୀ ଚେତନାହୀନ || ମୁଢ ସେ ଜାଣି ନପାରଇ | ଶରୀରେ ମୋତେ ପୀଡାଦେଇ || ଅର୍ଜୁନ ନିଶ୍ଚୟ ଜାଣିବ | ତାହାର ଅସୁର ସ୍ୱଭାବ || ୬ ||

ଯେମନ୍ତ ଶରଧା ଅଟଇ | ସେମନ୍ତ ଆହାର ରୁଚଇ || ଶ୍ରଦ୍ଧା ସ୍ୱଭାବ ଅନୁସାରେ | ଆହାର ତ୍ରିବିଧ ପ୍ରକାରେ || ଯଜ୍ଞତପଦାନ ଇତ୍ୟାଦି | ତ୍ରିବିଧ ଭେଦରେ ରୁହନ୍ତି || ଏ ତୀନି ଭେଦର ଵର୍ଣନ | ଅର୍ଜୁନ କହୁଛି ମୁଁ ଶୁଣ || ୭ ||

ଆୟୁ ସ୍ବାସ୍ଥ୍ୟ ସୁଖ ଆରୋଗ୍ୟ | ଆନନ୍ଦ ବଳ ଅନୁରାଗ || ମଧୁର କୋମଳ ରୁଚିକର | ସାତ୍ତ୍ଵିକ ପ୍ରିୟ ସେ ଆହାର ||୮ ||

ପିତା ଖଟା ଅତିଲବଣ | ଗରମ ରୁକ୍ଷ ରସହୀନ || ପାଟି ପେଟ ଜ୍ବାଳା କରଇ | ରୋଗ ଶୋକ ସୃଷ୍ଟି କରଇ || ଦୁଃଖ କଷ୍ଟ ପୁଣି ଦିଅଇ | ରାଜସୀ ଜନେ ପ୍ରିୟ ହୋଇ || ୯ ||

ବାସୀ ଉଚିଷ୍ଟ ରସହୀନ | ଅଭକ୍ଷ ଦୁର୍ଗନ୍ଧ ଭକ୍ଷଣ || ଆନନ୍ଦେ ତାକୁ ଯେ ଭୁଞ୍ଜଇ | ତାମସ ଜନ ସେ ବୋଲାଇ || ୧୦ ||

ଯଜ୍ଞର ତ୍ରିବିଧ ବର୍ଣ୍ଣନ | ଶୁଣ ଅର୍ଜୁନ ଦେଇ ମନ || ଫଳେ ଆକାଂକ୍ଷା ନ ରଖଇ | ମୋ ଠାରେ ଚିତ୍ତ ନିବେଶଇ || ବିଧିବଧ ଯଜ୍ଞ କରଇ | ସାତ୍ତ୍ଵିକ ଯଜ୍ଞ ସେ ଅଟଇ || ଫଳେ ଆକାଂକ୍ଷା ରଖିଥାଇ | ସ୍ଵଦମ୍ଭ ପ୍ରଦଶନ ପାଈଁ || ସ୍ୱାର୍ଥ ପୁରଣ ଉଦ୍ଧେଶ୍ୟରେ | ଯଜ୍ଞ ଅନୁଷ୍ଠାନ ଆଚରେ || ସେପରି ଯଜ୍ଞ ଅନୁଷ୍ଠାନ | ରାଜସ ଯଜ୍ଞ ବୋଲି ଜାଣ || ଶାସ୍ତ୍ରର ବିଧି ନ ପାଳଇ | ମନ୍ତ୍ରେ ବ୍ୟତିକ୍ରମ କରଇ || ଶ୍ରଦ୍ଧା ରହିତ କର୍ତ୍ତା ଥାଇ | ଵ୍ରାହ୍ମଣେ ଦକ୍ଷିଣା ନଦେଇ || ନଦେଇ ପୁଣି ଅନ୍ନଦାନ | ତାମସ ଯଜ୍ଞ ତାହା ଜାଣ || ୧୧-୧୩ ||

ଦେବ ବ୍ରାହ୍ମଣ ଉପାସଇ | ଗୁରୁ ବିଜ୍ଞଜନ ପୂଜଇ || ଶୌଚ ଅହିଂସା ଆଚରଇ | ଵ୍ରହ୍ମାଚର୍ୟରେ ସ୍ଥିତରହି || ସରଳ ଭାବ ଆଚରଣ | ଶରୀର ତପ ତାହା ଜାଣ || ୧୪ ||

ଉଦ୍ବେଗ ବାକ୍ୟ ନ ବଦଇ | ସତ୍ୟ ମଧୁର କଥାକହି || ବାକ୍ୟ ମଧୁର ହିତକର | ତୋଷେ ହୃଦୟ ପ୍ରାଣୀଙ୍କର || ନିତ୍ୟ ସ୍ୱାଧ୍ୟାୟ ଅଭ୍ୟାସନ | ବାଚିକ ତପ ତାହା ଜାଣ ||୧୫ ||

ମନ ଚିତ୍ତର ପ୍ରସନ୍ନତା | ସୌମ୍ୟ ଭାବଶୁଦ୍ଧି ମୋୖନତା || ଆତ୍ମ ବିନିଗ୍ରହ ମାର୍ଜନ | ମାନସ ତପ ତାହା ଜାଣ || ୧୬ ଫଳେ ଆକାଂକ୍ଷା ନ ରଖଇ | ତ୍ରିବିଧ ତପ ଆଚରଇ || ପରମ ଶ୍ରଦ୍ଧା ଭାବାପନ୍ନ | ସାତ୍ତ୍ଵିକ ତପ ତାହା ଜାଣ || ୧୭ ମାନ ସତ୍କାର ପୁଜାଅର୍ଥ | ଅହଂକାର ଦମ୍ଭ ସହିତ || ତପ ଯେଉଁ ଜନ କରଇ | ରାଜସ ତପ ସେ ବୋଲଇ ||

ରାଜସ ଯଜ୍ଞ କରେ ଯିଏ | ଚଳ ଅନିତ୍ୟ ଫଳ ପାଏ || ୧୮ ||

 

ମନ୍ଦ ଓ ମୁଢବୁଦ୍ଧି ଜନେ | ଅନ୍ୟର କଷ୍ଠ ପ୍ରୟୋଜନେ ||  ନିଜ ଶରୀରେ ପୀଡାଦେଇ | ତାମସ ତପ ଆଚରଇ || ୧୯ ||

ଶ୍ରଦ୍ଧାରେ ଶୁଣ ଦେଇ ମନ | ତ୍ରିବିଧ ଦାନର ଵର୍ଣ୍ଣନ || ନିଜ କର୍ତ୍ତବ୍ୟ ମନେ କରି | ସ୍ଥାନ କାଳ ପାତ୍ର ବିଚାରି || ନିଷ୍କାମ ଭାବେ ଦେଲେ ଦାନ | ସାତ୍ତ୍ୱିକ ବୋଲି ତାହା ଜାଣ ||୨୦ ||

ଫଳେ ଆକାଂକ୍ଷା ରଖିଥାଇ | ପ୍ରତ୍ୟୁପକାର ଆଶା ନେଇ || ଅନିଛା ସତ୍ତ୍ୱେ ଦାନ ଦେଇ | ରାଜସ ଦାନ ସେ ବୋଲାଇ ||୨୧ ||

ଅନୁପଯୁକ୍ତ କାଳ ସ୍ଥାନ | ଅପାତ୍ର ଅସତ୍କାର ଦାନ || ଅବା ଅବଜ୍ଞା କରି ଦାନ | ତାମସ ବୋଲି ତାହା ଜାଣ || ୨୨ ||

ତ୍ରିବିଧ ନାମ ବ୍ରହ୍ମଙ୍କର | ଅନାଦି କାରଣ ସୃଷ୍ଟିର || ସେ ନାମେ ପ୍ରଣବ ପ୍ରଥମ | ତତ୍ ସତ୍ ଆଦି ଦ୍ଵିନାମ || ଯଜ୍ଞ ବ୍ରାହ୍ମଣ ଦେବଗଣ | ବ୍ରହ୍ମ ନିର୍ଦ୍ଧେଶୁ ସୃଷ୍ଟ ଜାଣ || ୨୩ ||

ଯଜ୍ଞ ଦାନ ତପ କରଣ | ଆରମ୍ଭୁ ଓଁ ର ଉଚ୍ଚାରଣ || ଯଥାଯୁକ୍ତ ବିଧି ବିଧାନ | କରନ୍ତି ବ୍ରହ୍ମବାଦିଗଣ || ୨୪ ||

ତତ୍ ଶବ୍ଦକୁ ଉଚ୍ଚାରିଣ | ସର୍ବାରମ୍ଭ କାର୍ଯ୍ୟ କରଣ || ଫଳରେ ଆଶା ନ ରଖନ୍ତି | ନିଷ୍କାମେ ସବୁ କରୁଥାନ୍ତି || ଯଜ୍ଞକିରିୟା ତପ ଦାନ | କରନ୍ତି ମୋକ୍ଷକାଂକ୍ଷୀଗଣ || ୨୫ ||

ସତ୍ ଶବ୍ଦର ପ୍ରୟୋଜନ | ସମସ୍ତ କାର୍ୟେ ହୁଏ ଜାଣ || ଯଂଜ୍ଞକିରିୟା ତପ ଦାନ | ହେ ପାର୍ଥ କୁନ୍ତିମା ନନ୍ଦନ || ସତ୍ ଶବ୍ଦକୁ ଉଚ୍ଚାରଇ | ପରମାର୍ଥ ପ୍ରୀତି କରଇ || ୨୬-୨୭ ||

ଯଜ୍ଞକିରିୟା ତପ ଦାନ | ଶରଧା ବିନା ବୃଥା ଜାଣ || ଇହ ପର ଆଦି ଲୋକରେ | ନିଷ୍ଫଳ ସେ କର୍ମ ବିଚାରେ || ଏଭଳି ସର୍ବ ଅନୁଷ୍ଠାନ | ଅସତ୍ କର୍ମ ବୋଲି ଜାଣ || ୨୮ ||

ଏମନ୍ତ ଶ୍ରଦ୍ଧାତ୍ରୟ ଜ୍ଞାନ | କୃପେ କହନ୍ତି ଭଗବାନ || ଶ୍ରୀମୁଖ ଶ୍ରଦ୍ଧାଜ୍ଞାନ ରସ | କହଇ ଦୀନ କୃଷ୍ଣଦାସ || ମଦନ ମୋହନ ଅମୃତ | ପାନ କରି ହୁଅ ସୁକୃତ || ୨୯ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଶ୍ରଦ୍ଧାତ୍ରୟ ବିଭାଗ ନାମ ସପ୍ତଦଶ ଅଧ୍ୟାୟଃ || ୧୭

ଷୋଢଶ ଅଧ୍ୟାୟ – ଦୈବାସୁରସମ୍ପଦ ବିଭାଗ ଯୋଗ

ଶ୍ରୀ ଭଗବାନ ଉବାଚ ସ୍ୱାଧ୍ୟାୟ ଯଜ୍ଞ ଦମ ଦାନ | ଅଭୟ ସତ୍ତ୍ୱ ଯୋଗ ଜ୍ଞାନ || ସରଳ ସୁଷ୍ପଷ୍ଟ ବଚନ | ତପାନ୍ତର ଶୁଦ୍ଧିକରଣ || ୧ ||

ଅହିଂସା ଶାନ୍ତି ଉଦାରତା | ନିର୍ଲୋଭତା ସତ୍ୟବାଦିତା || କୋମଳତା କ୍ରୋଧହୀନତା | ଲୋକଲଜ୍ଜା ଅଚପଳତା || ସର୍ଵଜୀବେ ଦୟା ଭାଵନା | ତ୍ୟାଗଇ ବିଷୟ କାମନା || ୨ ||

ଅଵୈରତା ଶୋଉଚ ତେଜ | ଅନଭିମାନ କ୍ଷମା ଧୈର୍ଯ୍ୟ || ଏମନ୍ତ ସମସ୍ତ ଲକ୍ଷଣ | ଦୈବୀସମ୍ପଦ ବୋଲି ଜାଣ || ୩ ||

ଦମ୍ଭ ଦରପ ଅଭିମାନ | କ୍ରୋଧ କଟୁବାକ୍ୟ ଅଜ୍ଞାନ || ଆସୁରି ସମ୍ପଦେ ଜାତଇ | ସ୍ୱଭାବେ ଏ ଗୁଣ ଉତ୍ପଇ || ୪ ||

ଦୈବୀସମ୍ପଦ ମୋକ୍ଷଦାୟୀ | ଆସୁରି ସମ୍ପଦ ବାନ୍ଧଇ || ନ କର ଚିନ୍ତା ଧନୁର୍ଧର | ଦୈବୀଗୁଣେ ଜନ୍ମ ତୁମର || ୫ ||

ଦୈବୀ ଆସୁରି ସ୍ୱଭାବର | ଏମନ୍ତ ଜୀବର ପ୍ରକାର || ଦୈବୀ ସ୍ୱଭାବର ବିସ୍ତାର | ଶୁଣିଲ ବର୍ଣ୍ଣନ ମୋହର || ଆସୁରି ସ୍ୱଭାବ ସମ୍ପନ | ଜୀବ ବିଷୟେ ଏବେ ଶୁଣ || ୬ ||

କେଉଁ କର୍ମ ବା କରଣୀୟ | କେଉଁ କର୍ମ ଅକରଣୀୟ || ଆସୁରିଗୁଣୀ ବ୍ୟକ୍ତିଗଣ | ଏହି ବିଚାର ନ ଜାଣିଣ ||  ନଥାଏ ଶୌଚ ସଦାଚାର | ସତ୍ୟବାଦୀତା ଓ ବିଚାର || ୭ ||

ଜଗତେ ସତ୍ୟ ବୋଲି ନାହିଁ | ଈଶ୍ବର ସତ୍ତା କିଛିନାହିଁ || କାମରସର ପରବଶେ | ଲିଙ୍ଗ ଓ ଯୋନିର ସଂସ୍ପର୍ଶେ || ସଂସାରେ ସୃଜନ ହୁଅଇ | ତା ଛଡ଼ା ଅନ୍ୟ କିଛି ନାହିଁ ||  ଅସୁରଗୁଣୀ ବ୍ୟକ୍ତି ଯେହି | ସଦା ଏମନ୍ତ ଭାବୁଥାଇ || ୮ ||

ଏ ଭାଵ ଗ୍ରହଣ କରଇ | ଅଳ୍ପ ବୁଦ୍ଧି ନଷ୍ଟାତ୍ମା ସେଇ || ଜଗତର କ୍ଷତି ସାଧଇ | ଶତୃ ରୂପେ ଉଭା ହୁଅଇ || ୯ ||

ଦୁଷ୍ପୁର କାମନା ଆଶ୍ରୟି | ଅତୀଶ ମଦମତ୍ତ ହୋଇ || ଦମ୍ଭାଭିମାନେ ସଦା ରହି | ଦୁସ୍କର୍ମେ ପ୍ରବୃତ୍ତ ହୁଅଇ || ମୋହର ବଶବର୍ତ୍ତୀ ହୋଇ | ଅଶୁଚ କର୍ମ କରୁଥାଇ || ୧୦ ||

ଜୀବନର ଶେଷ ମୁହୂର୍ତ୍ତ | ପର୍ଯ୍ୟନ୍ତ କରି କାମପୂର୍ତ୍ତ || ସମସ୍ତ କାମନା ପୁରଣ | ପରମଲକ୍ଷ ବିଚାରିଣ || କାମ ପୁରଣେ ଲାଗିଥାନ୍ତି | ତାଛଡ଼ା କିଛି ନ ଜାଣନ୍ତି || ୧୧ ||

ଶତତ ଆଶା ରସୀ ଫାସେ | କାମ କ୍ରୋଧର ପରବଶେ || ଇନ୍ଦ୍ରିୟ ସୁଖ ଲାଳଶଇ | ଅନ୍ୟାୟେ ଧନ ସଞ୍ଚୁଥାଇ || ୧୨ ||

ଆଜିର ପ୍ରାପ୍ତ ହେଲା ଏହି | ସେସବୁ ଲୋଡା କାଲି ପାଈଁ || ଆଜିର ଏ ଧନ ବିଭବ | କେମନ୍ତ ଉପାୟେ ବଢିବ ||୧୩ ||

ଆଜି ଏ ଶତୃ ହେଲା ନାଶ | କାଲି ସେ ଶତୃର ବିନାଶ || ମୁଁ ହିଁ ଏ ସୃଷ୍ଟିର ଈଶ୍ବର | ଜୀବନ ଭୋଗ ବିଳାସର || ମୁଁ ସୁଖୀ ମୁହିଁ ବଳବାନ | ନିଜକୁ ସିଦ୍ଧ ବିଚାରିଣ ||୧୪ ||

ମୋ ପାଶେ ଲୋକ ଧନବଳ | ମୋ ପରି ମାନବ ବିରଳ || ମୁଁ ଯଜ୍ଞ ଦାନ କରିଥାଇ | ଅଜ୍ଞାନୀ ଏମନ୍ତ କହଇ ||୧୫ ||

ଅନେକ ଭ୍ରାନ୍ତ ଚିନ୍ତା ନେଇ | ମୋହଜାଲେ ଛନ୍ଦି ହୁଅଇ || ନ୍ୟାୟ ଅନ୍ୟାୟ ନ ଚିନ୍ତଇ | କାମ ଭୋଗରେ ଲିପ୍ତରହି || ନାରୀଭୋଗରେ ସଦାସକ୍ତ | ଗନ୍ଧମୟ ନର୍କେ ପତିତ ||୧୬ ||

ଧନ ମାନରେ ମତ୍ତ ହୋଇ | ଆତ୍ମର ପ୍ରଦର୍ଶନ ପାଈଁ || ଅତୀବ ସ୍ତବ୍ଧ ସହକାରେ | ଯଜ୍ଞ ଅନୁଷ୍ଠାନ ଆଚରେ || ଶାସ୍ତ୍ରବିହିତ ଯଜ୍ଞ ସେଇ | ନିଜର ଯଶ ଖ୍ୟାତି ପାଈଁ || ୧୭ ||

ଅହଂକାର ବଳ କାମନା | ଦର୍ପ କ୍ରୋଧ ଅଭିମାନନା || ଏମନ୍ତ ଗୁଣକୁ ଧାରଇ | ଅନ୍ୟ କୁ ଦ୍ବେଷ ଆଚରଇ || ନିଜ ଓ ପର ଦେହେ ସ୍ଥିତ | ମୋତେ ନ ଚିହ୍ନିପାରେ ସେତ || ୧୮ ||

ସେହି ଅଧମ ଦ୍ବେଷୀ ନର | ଅମଙ୍ଗଳକାରୀ ଓ କ୍ରୁର || ଚିରକାଳ ଏ ସଂସାରରେ | ଜନ୍ମନ୍ତି ଅସୁର ଯୋନିରେ || ତା କର୍ମଫଳ ଦେବା ପାଈଁ | ଜାଣ ମୁଁ ନିକ୍ଷେପ କରଇ || ୧୯ ||

ଅସୁର ଯୋନି ସେ ଲଭଇ | ଜନ୍ମ ପରେ ଜନ୍ମ ବିତଇ || ମୋତେ ପ୍ରାପତ ନ ହୁଅଇ | ଅଧମ ଗତି ଲଭୁଥାଇ || ୨୦ ||

କାମ କ୍ରୋଧ ଓ ଲୋଭ ଏହି | ନରକର ଦ୍ୱାର ବୋଲାଇ || ବିନାଶ କରେ ଜୀବତ୍ମାର | ଅଚିରେ ଏହା ତ୍ୟାଗକର || ୨୧ ||

ତ୍ରିବିଧ ନରକ ପଥରୁ | ମନୁଷ୍ୟ ମୁକ୍ତି ଇଛା କରୁ || ଉଚିତ ପଥ ଆଚରିଣ | ଅର୍ଜୁନ ମୋତେ ପ୍ରାପ୍ତି ଜାଣ || ୨୨ ||

କାମନା ବଶରେ ଯେ ରହି | ଶାସ୍ତ୍ରର ବିଧି ଲଂଘୁଥାଇ || ନା କେବେ ସିଦ୍ଧି ସେ ଲଭଇ | ନା କେବେ ସୁଖ ପାଇଥାଇ || ପରମଗତି ବହୁଦୂର | ଏମନ୍ତ ମୋହର ବିଚାର || ୨୩ ||

ଶାସ୍ତ୍ର ପ୍ରମାଣରେ ଵ୍ୟବସ୍ଥିତ | କରମ କରିବା ଉଚିତ || ଏହା ମୋହର ମତ ଜାଣ | କୁନ୍ତିମା ନନ୍ଦନ ଅର୍ଜୁନ || ୨୪ ||

ପ୍ରଭୁଙ୍କ ମୁଖୁ ଥାଏ ଝରି | କରୁଣା ଅମୃତର ବାରି || ଚାତକ ପକ୍ଷୀ ରୂପନେଇ | ଅର୍ଜୁନ ପାନ କରୁଥାଇ || ଧନ୍ୟ ଅର୍ଜୁନଙ୍କ ଚାହାଣୀ | ଶ୍ରୀକୃଷ୍ଣ ଦିବ୍ୟାମୃତ ବାଣୀ || ଶ୍ରୀକୃଷ୍ଣ ଉପଦେଶ ରସ | କହଇ ଦୀନ କୃଷ୍ଣଦାସ || ଷୋଡ଼ଶ ଖଣ୍ଡ କୃଷ୍ଣଗୀତ | ଦଇବୀ ଆସୁରୀ ଚରିତ || ୨୫ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଦୈବାସୁରସମ୍ପଦ ବିଭାଗ ୟୋଗୋ ନାମ ଷୋଢଶ ଅଧ୍ୟାୟଃ || ୧୬ ||

ପଞ୍ଚଦଶ ଅଧ୍ୟାୟ – ପୁରୁଷୋତ୍ତମ ଯୋଗ

ଶ୍ରୀ ଭଗବାନ ଉବାଚ ଉର୍ଧ୍ୱକୁ ମୂଳ ରହିଥାଇ | ତଳକୁ ଯା'ଶାଖା ଲମ୍ବଇ || ସେହି ଅଶ୍ୱତଥ୍ ବୃକ୍ଷର | ଛନ୍ଦାକୃତ ପତ୍ର ଯାହାର || ତାହାକୁ ତତ୍ତ୍ୱେ ଯେ ଜାଣଇ | ବେଦଜ୍ଞ ଜ୍ଞାନୀ ସେ ବୋଲାଇ || ୧ ||

ଅର୍ଦ୍ଧ ଓ ଉର୍ଧ୍ୱକୁ ବ୍ୟାପିତ | ବିଷୟ ଗୁଣରେ ବର୍ଦ୍ଧିତ || ତଳକୁ ତା ମୂଳ ବ୍ୟାପଇ | ବନ୍ଧନ କାରଣ ହୁଅଇ || ୨ ||

ଏ ବୃକ୍ଷ ସ୍ବରୁପ ଅନନ୍ତ | ନାହିଁ ଯା ସ୍ଥିତି ଆଦି ଅନ୍ତ || ଅଶ୍ୱତ୍ଥ ବୃକ୍ଷ ଏ ସଂସାର | ସୁଦୃଢ ମୂଳ ଅଟେ ଯାର || ବୈରାଗ୍ୟରୁପୀ ଅସ୍ତ୍ର ନେଇ | ଏହାକୁ ଛେଦ କର ତୁହି || ୩ ||

କରଇ ବୃକ୍ଷର ଛେଦନ | ତାପରେ ବ୍ରହ୍ମ ଅନ୍ୱେଷଣ || ପରମପଦ ପରମାତ୍ମା | ସର୍ବ ଭୂତପତି ବିଶ୍ବାତ୍ମା || ଯାହାର ଧାମେ ଥରେ ଯାଇ | ସଂସାରେ ଜୀବ ନ ଫେରଇ ||  ସେ ଆଦି ପୁରୁଷ ଚରଣ | ଅନାଦି ପରମ କାରଣ || ଅବିଳମ୍ବେ ନିଅ ଶରଣ | ଏମନ୍ତ ମୋ ମତ ଅର୍ଜୁନ || ୪ ||

ମୋହ କୁ ବିବର୍ଜିତ କରି | ଆସକ୍ତି ଦୋଷ ଜୟ କରି || ଆଧ୍ୟାତ୍ମ୍ୟେ ନିତ୍ୟ ସ୍ଥିତ ହୋଇ | କାମନା ପରିତ୍ୟାଗ କରି || ସୁଖ ଦୁଃଖ ସମ ଭାଵଇ | ଦ୍ଵନ୍ଦ ଭାବରୁ ମୁକ୍ତ ହୋଇ || ଅମୁଢ଼ ଜ୍ଞାନୀ ବ୍ୟକ୍ତିଗଣ | ପରମପଦ ପ୍ରାପ୍ତି ଜାଣ || ୫ ||

ଯେ ଧାମେ ସୂର୍ଯ୍ୟ ଚନ୍ଦ୍ର ନାହିଁ | ଅଗ୍ନି ଆଲୋକ ଲୋଡା ନାହିଁ || ସମ୍ପୁର୍ଣ୍ଣ ଆଲୋକ ଜଗତ | ସ୍ୱୟଂ ଆଲୋକେ ଆଲୋକିତ || ଥରେ ଯେ ସେଠାକୁ ଯାଅଇ | ମୃତ୍ୟୁ ସଂସାରେ ନ ଫେରଇ ||  ସେ ଧାମ ମୋହର ଅଟଇ | ଏମନ୍ତ ସତ୍ୟ ଜାଣ ତୁହି || ୬ ||

ମୋର ହିଁ ଚିରନ୍ତନ ଅଂଶ | ଜୀବ ଶରୀରେ ତାର ବାସ || ଷଷ୍ଠ ଇନ୍ଦ୍ରିୟ ଅଟେ ମନ | ପ୍ରକୃତି ତା ବାସ ଭବନ || ମୋ ଅଂଶ ଜୀବର ଶରୀରେ | ମନକୁ ଆକର୍ଷଣ କରେ || ୭ ||

ଫୁଲରୁ ସୁବାସ ଚୋରାଇ | ବାୟୁ ତା ସଙ୍ଗେ ଯାଏ ନେଇ || ଏମନ୍ତ ତୁଳନା ଭାବରେ | ଶରୀର ତ୍ୟାଗ ସମୟରେ || ମନ ବୁଦ୍ଧିକୁ ସଙ୍ଗେ ନେଇ | ଜୀବତ୍ମା ସହଜେ ଚାଲଇ || ୮ ||

କର୍ଣ୍ଣ ଚକ୍ଷୁ ସ୍ପର୍ଶ ରସନ | ପଞ୍ଚମ ଇନ୍ଦ୍ରିୟ ଆଘ୍ରାଣ || ମନରେ ଅଧିଷ୍ଠାନ ହୋଇ | ଜୀବତ୍ମା ବିଷୟ ସେବଇ || ୯ ||

ଶରୀରେ ସ୍ଥିତ ରହିଥାଇ | ଶରୀର ତ୍ୟାଗ କରୁଥାଇ || ଗୁଣରେ ଯୁକ୍ତ ହୋଇଥାଇ | ବିଷୟ ଭୋଗ କରୁଥାଇ || ତଥାପି ଦୃଶ୍ୟ ନ ହୁଅଇ | ବିମୁଢ ଜାଣି ନ ପାରଇ || ଜ୍ଞାନର ଚକ୍ଷୁ ସହକାରେ | ଜ୍ଞାନୀ ହିଁ ତାକୁ ଜାଣିପାରେ || ୧୦ ||

ଅଥର୍ବ ଯୋଗୀ ଜନେ ଲୟେ | ଲଭନ୍ତି ମୋତେ ସେ ହୃଦୟେ || ଅଶୁଦ୍ଧଚିତ୍ତ ବ୍ୟକ୍ତି ପୁଣି | ଜାଣି ନ ପାରେ ମୋତେ ଜାଣି || ଅଶେଷ ଯତ୍ନ କରିଥାଇ | ଚେତନାହୀନ ସେ ରହଇ || ୧୧ ||

ସୂର୍ଯ୍ୟଙ୍କ ଠାରେ ଦିବ୍ୟତେଜ | ପ୍ରକାଶ ଦିଏ ବିଶ୍ୱରାଜ || ଯେ ତେଜ ଚନ୍ଦ୍ରମାରେ ଥାଏ | ଅଗ୍ନିଙ୍କ ଠାରେ ପୁଣି ରହେ || ସେ ତେଜ ମୋ ତେଜ ଅଟଇ | ସମସ୍ତ ଭୁତେ ପ୍ରକାଶଇ || ୧୨ ||

ଜୀବଙ୍କ ଦେହେ ପ୍ରବେଶଇ | ସକଳ ଯିବ ମୁଁ ଧାରଇ || ସୋମର ରସ ମୁଁ ଅଟଇ | ଔଷଧି ପୋଷଣ କରଇ ||  ପତ୍ର ପୁଷ୍ପ ଫଳ ସର୍ବତ୍ର | ସୋମାଲୋକ ବିନା ଅନ୍ୟତ୍ର || ତାହା ନିରସ ବୋଲି ଜାଣ | ଅର୍ଜୁନ କୁନ୍ତିମା ନନ୍ଦନ || ୧୩ ||

ମୁଁ ବୈଶ୍ବାନର ଅଗ୍ନି ହୋଇ | ପ୍ରାଣିଙ୍କ ଦେହେ ନିବଶଇ || ସହଯୋଗେ ପ୍ରାଣ ଆପାନ | ପଚାଏ ଚତୁର୍ବିଧ ଅନ୍ନ || ୧୪ ||

ହୃଦୟେ ସର୍ବ ପ୍ରାଣୀଙ୍କର | ସର୍ବଦା ନିବାସ ମୋହର || ଉତ୍ପନ କରେ ସ୍ମୃତି ଜ୍ଞାନ | ବିନାଶ କରେ ମୁଁ ଅଜ୍ଞାନ || ମୁଁ ସାର ସମସ୍ତ ବେଦର | ନିର୍ଣ୍ଣାୟକ ସର୍ବ ତତ୍ତ୍ୱର || ମୁଁହି କେବଳ ବେଦଜ୍ଞାତା | ସମଗ୍ର ବ୍ରହ୍ମାଣ୍ଡର କର୍ତ୍ତା || ୧୫ ||

ସମଗ୍ର ବିଶ୍ବ ବ୍ରହ୍ମାଣ୍ଡରେ | ଦୁଇଟି ପୁରୁଷ ପ୍ରକାରେ || କ୍ଷର ଓ ଅକ୍ଷର ଏମନ୍ତ | ଦୁଇଟି ଭେଦରେ ବର୍ଣ୍ଣିତ || ଭୁତ ସମସ୍ତ ସଦା କ୍ଷୟ | ବିମୁକ୍ତ ଜୀବତ୍ମା ଅକ୍ଷୟ || ୧୬ ||

ଦୁଇ ପୁରୁଷ ଠାରୁ ଭିନ୍ନ | ଅନ୍ୟ ପୁରୁଷ ବିଦ୍ୟମାନ || ସେଇ ପୁରୁଷ ସଦା ଦୀପ୍ତ | ପରମାତ୍ମା ନାମେ କଥିତ || ତ୍ରିଲୋକେ ପରିବ୍ୟାପ୍ତ ହୋଇ | ଜଗତ ପାଳନ କରଇ || ୧୭ ||

ସେ ଦୀପ୍ତ ପୁରୁଷଟି କେହି | ଅର୍ଜୁନ ଜାଣ ମୁଁ ଅଟଇ || ଯେହେତୁ ମୁହିଁ କ୍ଷରାତୀତ | ଅକ୍ଷର ଠାରୁ ମଧ୍ୟ ଶ୍ରେଷ୍ଠ || ପୁରୁଷୋତ୍ତମ ନାମେ ସ୍ଥିତ | ଇହଲୋକେ ବେଦେ ବର୍ଣ୍ଣିତ || ୧୮ ||

ସର୍ବଦା ମୋହଶୂନ୍ୟ ହୋଇ | ସର୍ଵଜ୍ଞ ମନ ପ୍ରାଣ ଦେଇ || ପୁରୁଷୋତ୍ତମ ମୋତେ ଜାଣି | ନମନ୍ତି ଯୋଡ଼ି ଦୁଇ ପାଣି || ଏ ଭାବେ ମୋତେ ସେ ଜାଣନ୍ତି | ସର୍ବଦା ମୋତେ ହିଁ ଭଜନ୍ତି || ୧୯ ||

ଏହି ଗୁହ୍ୟତମ ଶାସ୍ତ୍ରର | ଏମନ୍ତ ବ୍ୟାଖାନ ମୋହର || ଏହାକୁ ବୁଝି ବୁଦ୍ଧିମାନ | କୃତ୍ୟକୃତ୍ୟ ପୁଣି ହୋଇଣ || ଧନ୍ୟ ହେବ ତାର ଜୀବନ | ଜାଣିରଖ ତୁମେ ଅର୍ଜୁନ || ୨୦ ||

ଗୋଲକପତି ଭଗବାନ | କରନ୍ତି ଅପୂର୍ବ ବ୍ୟାଖାନ || ପ୍ରଭୁଙ୍କ ଏମନ୍ତ ବ୍ୟାଖାନ | ଶୁଣି ଜୀବନ ହେବ ଧନ୍ୟ || ଅସୀମ ଅନନ୍ତ ଅପାର | କରୁଣା ଦୟାର ସାଗର || ପ୍ରେମେ ଛୁଟଇ ଧାରଧାର | ନୟନୁ ଲୋତକ ମୋହର || ଆନନ୍ଦେ ଅଶ୍ରୁଧାରା ଝରୁ | କରୁଣାମୃତ ବର୍ଷାକରୁ || ଲାଗୁ ଶ୍ରୀକୃଷ୍ଣ ପାଦେ ମନ | କହଇ ଭକ୍ତ ଦାସ କୃଷ୍ଣ || ପଞ୍ଚଦଶ ଶ୍ରୀକୃଷ୍ଣଗୀତ | ଏମନ୍ତ ଭାବରେ ବର୍ଣ୍ଣିତ || ୨୧ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ପୁରୁଷୋତ୍ତମ ୟୋଗୋ ନାମ ପଞ୍ଚଦଶ ଅଧ୍ୟାୟଃ || ୧୫ ||

ଚତୁର୍ଦଶ ଅଧ୍ୟାୟ – ଗୁଣତ୍ରୟ ବିଭାଗ ଯୋଗ

ଶ୍ରୀ ଭଗବାନ ଉବାଚ ଜ୍ଞାନ ମଧ୍ୟେ ଯାହା ଉତ୍ତମ | ଯେଉଁ ଜ୍ଞାନ ଶ୍ରେଷ୍ଠ ପରମ || ଯାହାକୁ ଜାଣି ମୁନୀଗଣ | ପରମ ସିଦ୍ଧି ପ୍ରାପ୍ତ ଜାଣ || ସେ ଜ୍ଞାନ ମୁଁ କହୁଛି ଶୁଣ | ପ୍ରିୟ ସଖା ମୋର ଅର୍ଜୁନ || ୧ ||

ଏହି ଜ୍ଞାନ କୁ ଯେ ଆଶ୍ରଇ | ମୋ ସହ ଏକତ୍ଵ ଲଭଇ || ସୃଷ୍ଟି କାଳେ ତା ଜନ୍ମ ନାହିଁ | ପ୍ରଳୟ କାଳେ ବ୍ୟଥା ନାହିଁ || ୨ ||

ମୋହର ଗର୍ଭାଧାନ ସ୍ଥାନ | ମହତ ବ୍ରହ୍ମ ବୋଲି ଜାଣ || ସେଥିରେ ମୁଁ ଗର୍ଭ ସ୍ଥାପଇ | ସର୍ଵ ଜୀବ ସେଠୁ ଉତ୍ପଇ || ୩ ||

ଯେତେ ଜୀବ ସର୍ଵ ଯୋନିରେ | ଜନ୍ମନ୍ତି ବିଭିନ୍ନ ରୂପରେ || ମୂଳପ୍ରକୃତି ତାଙ୍କ ମାତା | ମୁଁ ବୀଜପ୍ରଦକାରୀ ପିତା || ୪ ||

ପ୍ରକୃତିରୁ ଜାତ ତ୍ରିଗୁଣ | ସତ୍ତ୍ୱ ରଜ ଓ ତମ ଜାଣ || ଅଵ୍ୟୟ ଏହି ତିନି ଗୁଣ | ଆତ୍ମା କୁ ଦେହ ରେ ବାନ୍ଧିଣ || ଆତ୍ମା କୁ ଦେହେ ବାନ୍ଧିଥାଇ | ଏ ଫାଶୁ ଜୀଵ ନ ଫିଟଇ || ୫ ||

ନିର୍ମଳାଲୋକ ନିର୍ବିକାର | ଏହି ସବୁ ଗୁଣ ସତ୍ତ୍ୱର || ଏ ସବୁ ଶୁଦ୍ଧ ଗୁଣ ଥାଏ | ଜୀବକୁ ସୁଖ ଜ୍ଞାନ ଦିଏ || ଜୀବକୁ ସୁଖ ଜ୍ଞାନ ଦେଇ | ଆସକ୍ତି କରିଣ ବାନ୍ଧଇ || ୬ ||

ରଜ ଗୁଣଟି ରାଗାତ୍ମକ | ତୃଷ୍ଣାର ଉତ୍ପତ୍ତି କାରକ || ତୃଷ୍ଣାକୁ ଉତ୍ପନ୍ନ କରଇ | କର୍ମ ଆସକ୍ତିରେ ବାନ୍ଧଇ || ୭ ||

ଅଜ୍ଞାନରୁ ଜାତ ତମଗୁଣ | ଜୀବକୁ ମୋହିତ କରିଣ || ଆଳସ୍ୟ ଓ ନିଦ୍ରା ଦିଅଇ | ଜୀବକୁ ପ୍ରମାଦେ ରଖଇ || ଜୀବକୁ ପ୍ରମାଦେ ରଖିଣ | ପକାଏ ଫାଶର ବନ୍ଧନ || ୮ ||

ସତ୍ତ୍ୱଗୁଣ ସୁଖ ଦିଅଇ | ରଜ କର୍ମେ ଲିପ୍ତ କରଇ || ତମ ଜ୍ଞାନକୁ ଆଛାଦଇ | ପ୍ରମାଦରେ ଲିପ୍ତ ରଖଇ ||  ତିନି ଗୁଣର ଏ ଲକ୍ଷଣ | ଜାଣିରଖ ତୁମେ ଅର୍ଜୁନ || ୯ ||

ରଜ ତମ କରି ଅଭିଭୂତ | ସତ୍ତ୍ୱଗୁଣ ହୁଏ ପ୍ରସାରିତ || ସତ୍ତ୍ୱ ତମ କରି ଅଭିଭୂତ | ରଜଗୁଣ ହୁଏ ପ୍ରସାରିତ || ସତ୍ତ୍ୱ ରଜ କରି ଅଭିଭୂତ | ତମଗୁଣ ହୁଏ ପ୍ରସାରିତ || ୧୦ ||

ଶରୀର ସର୍ଵ ଦ୍ୱାର ଦେଇ | ପ୍ରକାଶ ଉଦୟ ହୁଅଇ || ଜ୍ଞାନର ପ୍ରକାଶ ହୋଇଣ | ସତ୍ତ୍ୱଗୁଣ ବୃଦ୍ଧି ଜାଣିଣ || ୧୧ ||

କର୍ମାରମ୍ଭ ବୃତ୍ତି ଅଶାନ୍ତି | ଲୋଭ ସ୍ପୃହା ଜାତ ହୁଅନ୍ତି || ଏମନ୍ତ ଦେଖିଲେ ଜାଣିବ | ତାହା ରଜଗୁଣ ପ୍ରଭାବ || ୧୨ ||

ତମଗୁଣ ଯେବେ ବଢଇ | ପ୍ରମାଦ ମୋହ ଜାତ ହୋଇ || ଜନ୍ମଇ ଆଳସ୍ୟ ଅଜ୍ଞାନ | ଏହା ନିଃସନ୍ଦେହ ଅର୍ଜୁନ || ୧୩ ||

ଯେବେ ପ୍ରବଳ ସତ୍ତ୍ୱ ଥାଇ | ଯଦି ସେବେ ଜୀଵ ମରଇ || ତତ୍ତ୍ୱଜ୍ଞାନୀଙ୍କ ଅମଳିନ | ନିଷ୍ପାପ ଲୋକ ପ୍ରାପ୍ତ ଜାଣ || ୧୪ ||

ଥାଇ ପ୍ରବଳ ରଜଗୁଣ | ହୁଅଇ ଜୀବର ମରଣ || କର୍ମଚକ୍ରରେ ଲାଗିରହି | କର୍ମାସକ୍ତ ମେଳେ ଜନ୍ମଇ || ତମଗୁଣରେ ଜୀବ ମରେ | ମୁଢ଼ ଯୋନି ସେ ପ୍ରାପ୍ତ କରେ || ୧୫ ||

ସତ୍ତ୍ୱକର୍ମ ଫଳ ନିର୍ମଳ | ରାଜସ ଦୁଃଖମୟ ଫଳ || ତାମସ ଫଳ ଯେ ଅଜ୍ଞାନ | ଅର୍ଜୁନ କୁନ୍ତିମା ନନ୍ଦନ || ୧୬ ||

ସତ୍ତ୍ୱଗୁଣୁ ଜ୍ଞାନ ଉଦୟ | ରାଜସୁ ସର୍ଵ ଲୋଭମୟ || ତାମସୁ ପ୍ରମାଦ ଜାତଇ | ଅଜ୍ଞାନତା ମୋହ ଜନ୍ମଇ || ୧୭ ||

ସତ୍ତ୍ୱଗୁଣୀ ଉର୍ଧ୍ୱ ଗମନ | ରାଜସ ମଧ୍ୟେ ଅବସ୍ଥାନ || ଜଘନ୍ୟ ନୀଚ୍ଚବୁଦ୍ଧି ଜନ | ତମଗୁଣୀ ଅର୍ଧେ ପତନ || ୧୮ ||

ଯେଉଁ ଦ୍ରଷ୍ଟା ଦେଖି ପାରଇ | ଗୁଣବିନା ଅନ୍ୟ କର୍ତ୍ତା ନାହିଁ || ସ୍ୱୟଂ ଗୁଣାତୀତ ମାନଇ | ସେ ଭଵସାଗରୁ ତରଇ ||  ମୋର ଭାବକୁ ପ୍ରାପ୍ତ ହୋଇ | ସନ୍ଦେହ ଏହିବାକ୍ୟେ ନାହିଁ || ୧୯ ||

ଦେହ ଉତ୍ପତ୍ତିର କାରଣ | ପ୍ରକୃତିରୁ ଜାତ ତ୍ରିଗୁଣ || ତ୍ରିଗୁଣୁ ଅତୀତ ହୁଅଇ | ଜନ୍ମ ମୃତ୍ୟୁ ପାର କରଇ || ଜରା ଦୁଃଖୁ ମୁକ୍ତି ପାଇଣ | ପରମଗତି ଲଭେ ଜାଣ || ୨୦ ||

ଅର୍ଜୁନ ଉଵାଚ

ଆହେ ପ୍ରଭୁ ମଧୁଶୁଦନ | କର ମୋ ସନ୍ଦେହ ନାଶନ || ତ୍ରିଗୁଣ ଅତୀତ ଜନର | କିପରି ଆଚାର ବେଭାର || କେମନ୍ତ ଗୁଣ ଆଚରିଣ | ପାରି କରିହେଵ ତ୍ରିଗୁଣ || ୨୧

ଶ୍ରୀ ଭଗବାନ ଉବାଚ

କର୍ମ ପ୍ରବୃତ୍ତି ମୋହ ଜ୍ଞାନ | ଉପସ୍ଥିତ ହେଲେ ଅର୍ଜୁନ || ସେମାନେ ଦ୍ବେଷ ନ କରନ୍ତି | ଅତି ଉହ୍ଲାସ ନ ହୁଅନ୍ତି || ସମସ୍ତ ନିବୃତ୍ତ ହୁଅଇ | ପୁଣି କାମନା ନ କରଇ || ୨୨ ||

ନ ହୋଇ କାର୍ଯ୍ୟେ ବିଚଳିତ | ଉଦାସୀନ ଭାବେ ଅବସ୍ଥିତ || ନିଜ ସ୍ୱଭାବ ଅନୁଯାୟୀ | ଗୁଣ ସବୁ କାର୍ଯ୍ୟ କରଇ || ଏମନ୍ତ ସେମାନେ ଜାଣିଣ | କୌଣସି ଚେଷ୍ଟା ନ କରିଣ ||  ସର୍ବଦା ଅତ୍ମସ୍ଥ ରହନ୍ତି | ମନରେ ମୋତେ ଭଜୁଥାନ୍ତି || ୨୩ ||

ସୁଖ ଦୁଃଖ ସମ ଭାଵଇ | ଲୌହ ସ୍ୱର୍ଣ୍ଣ ର ଭେଦ ନାହିଁ || ପ୍ରିୟ ଓ ଅପ୍ରିୟ ଅଭିନ୍ନ | ନିନ୍ଦା ସ୍ତୁତି ସବୁ ସମାନ || ଶତୃ ମିତ୍ର ସବୁ ସମାନ | ଯଥା ମାନ ଓ ଅପମାନ || ଶୀତ ଓ ଉଷ୍ଣ ସମ ଭାଵ | ସୁଖଦୁଃଖରେ ନାହିଁ ଭେଦ || ନୀନ୍ଦା ସ୍ତୁତିରେ ମୋୖନ ରହି | ସର୍ବଦା ସନ୍ତୁଷ୍ଟ ରୁହଇ || କର୍ମର ଆରମ୍ଭ ତ୍ୟାଗଇ | ନିଜକୁ କର୍ତ୍ତା ନ ଭାଵଇ || ଏମନ୍ତ ଗୁଣ ଯେ ଆଚରଇ | ତ୍ରିଗୁଣାତୀତ ସେ ବୋଲାଇ || ୨୪-୨୫ ||

ଅନନ୍ୟ ଭକ୍ତି ଚିତ୍ତେ ରହି | ଯେ ମୋର ସେବା କରୁଥାଇ || ଭକ୍ତି ଯୋଗ ଯେ ଆଚରଇ | ବ୍ରହ୍ମ ନିର୍ବାଣ ୟୋଗ୍ୟ ସେଇ || ୨୬ ||

ମୁହିଁ ଆଶ୍ରୟ ବ୍ରହ୍ମଙ୍କର | ଅମୃତ ସ୍ବରୁପ ଈଶ୍ବର || ମୁହିଁ ଶୁଦ୍ଧତାର ଆଧାର | ଧର୍ମ ଐକାନ୍ତିକ ସୁଖର || ମୁହିଁ ଶାଶ୍ୱତ ସନାତନ | ଅଵ୍ୟୟ ପ୍ରଭୁ ଭଗବାନ || ୨୭ ||

ଲୋଡା ନାହିଁ ମୋ ଧନଜନ | ସ୍ବର୍ଗୀୟ ନାରୀ ଵା ସମ୍ମାନ || ସର୍ଵ ବ୍ରହ୍ମାଣ୍ଡ ଏକ କରି | ତୋଳିଲେ ହସ୍ତେ ତୁଳା ଧରି || କୃଷ୍ଣ ଭକ୍ତି ସଙ୍ଗେ ସମାନ | କସ୍ମିନ କାଳେ ନ ହୋଇଣ || କାହୁଁ ଜାଣିବ ଦେହବନ୍ତ | ଭିତରୁ ବାହାରୁ ଅନନ୍ତ || ଏମନ୍ତ ଯେ ନର ଜାଣଇ | ନିରନ୍ତର କୃଷ୍ଣ ଭଜୁଥାଇ || ଶ୍ରୀକୃଷ୍ଣ ମୁଖ ସୁଧା ରସ | ଲେଖଇ ହୀନ କୃଷ୍ଣ ଦାସ || ଚତୁର୍ଦଶ ଶ୍ରୀକୃଷ୍ଣ ଗୀତ | ହୁଅଇ ଏଠାରେ ସମାପ୍ତ || ୨୮ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଗୁଣତ୍ରୟ ବିଭାଗ ୟୋଗୋ ନାମ ଚତୁର୍ଦଶ ଅଧ୍ୟାୟଃ || ୧୪ ||

ତ୍ରୟୋଦଶ ଅଧ୍ୟାୟ – କ୍ଷେତ୍ର କ୍ଷେତ୍ରଜ୍ଞ ଯୋଗ

ଶ୍ରୀ ଭଗବାନ ଉବାଚ ଏହି ଶରୀରକୁ ଅର୍ଜୁନ | କ୍ଷେତ୍ର କହନ୍ତି ବୋଲି ଜାଣ || କ୍ଷେତ୍ରକୁ ଯିଏ ଜାଣିଥାଏ | କ୍ଷେତ୍ରଜ୍ଞ ତାଙ୍କୁ ବୋଲାଯାଏ || ୧ ||

ସକଳ କ୍ଷେତ୍ରର ଅର୍ଜୁନ | କ୍ଷେତ୍ରଜ୍ଞ ଏକା ମୁହିଁ ଜାଣ || କ୍ଷେତ୍ର କ୍ଷେତ୍ରଜ୍ଞ ତତ୍ତ୍ୱ ଜ୍ଞାନ | ମୋ ମତେ ପ୍ରକୃତ ଵିଜ୍ଞାନ || ୨ ||

କ୍ଷେତ୍ରଟି କେଉଁ ପ୍ରକାରର | କ୍ଷେତ୍ରର ସବୁ ରୂପାନ୍ତର || କେଉଁଠୁ କ୍ଷେତ୍ର ଆଗମନ | କୁଆଡେ ପୁଣି ତା ଗମନ || କେଉଁ ରୂପରେ ଆଗମନ | କେଉଁ ରୂପରେ ବିସର୍ଜନ || କ୍ଷେତ୍ରଜ୍ଞ କି ଶକ୍ତି ସମ୍ପନ | ସକ୍ଷେପେ ମୁଁ କହୁଛି ଶୁଣ || ୩ ||

କ୍ଷେତ୍ରକ୍ଷେତ୍ରଜ୍ଞ ତତ୍ତ୍ୱ ସବୁ | ବିବିଧ ଛନ୍ଦେ ଅଛି ପୁର୍ବୁ || ୠଷୀଗଣ ଦ୍ୱାରା ନୀର୍ଣ୍ଣିତ | ବ୍ରହ୍ମସୂତ୍ରପଦେ ବର୍ଣ୍ଣିତ || ୪ ||

ବାୟୁ ଜଳ ଅଗ୍ନି ଆକାଶ | ପଞ୍ଚମ ପୃଥିବୀ ବିଶେଷ || ଏସବୁ ପଞ୍ଚତତ୍ତ୍ୱେ ଥାଏ | ପଞ୍ଚମହାଭୁତ ବୋଲାଏ || ରୂପ ରସ ଗନ୍ଧ ଶବଦ | ପଞ୍ଚମ ସ୍ପର୍ଶଟି ବିବିଧ || ଇନ୍ଦ୍ରିୟ ଗ୍ରାହ୍ୟ ତଥ୍ୟମାନ | ପଞ୍ଚ ତନ୍ମତ୍ରା ବୋଲି ଜାଣ || ଚକ୍ଷୁ କର୍ଣ୍ଣ ନାସା ରସନ | ପଞ୍ଚମ ଚର୍ମ ବୋଲି ଜାଣ || ଏ ସବୁ ଜୀବ ଦେହେ ଥାଏ | ପଞ୍ଚ ଜ୍ଞାନେନ୍ଦ୍ରିୟ ବୋଲାଏ || ହସ୍ତ ପଦ ପାୟୁ ଉପସ୍ଥ | ପଞ୍ଚମ ମୁଖ ବୋଲି ଜ୍ଞାତ || ଏ ସବୁ ଜୀବ ଦେହେ ଥାଏ | ପଞ୍ଚ କର୍ମେନ୍ଦ୍ରିୟ ବୋଲାଏ || ମନ ବୁଦ୍ଧି ଓ ଅହଂକାର | ଚତୁର୍ଥ ଅଵ୍ୟକ୍ତ ପ୍ରକାର || ଏହି ଚବିଶି ତତ୍ତ୍ୱ ନେଇ | କ୍ଷେତ୍ରର ଗଠନ ହୁଅଇ || ୫ ||

ସଂଘାତ ଇଛା ଦ୍ବେଷ ସୁଖ | ଚେତନା ଧୃତି ଅବା ଦୁଃଖ || ଏହି ସବୁ ଗୁଣ କ୍ଷେତ୍ରର | ଜାଣ ଏକ ଏକ ବିକାର || ୬ ||

ଅନଭିମାନ ସରଳତା | କ୍ଷମାଶୀଳ ଅଦମ୍ଭିକତା || ଅହିଂସା ଆତ୍ମନିଗ୍ରହତା | ଗୁରୁସେବା ଶୌଚ ସ୍ଥିରତା || ୭ ||

ଇନ୍ଦ୍ରିୟଭୋଗ ବିଷୟରେ | ମନରେ ବୈରାଗ୍ୟ ଆଚରେ || ଜନ୍ମ ମୃତ୍ୟୁ ଜରା ବ୍ୟାଧିରେ | ଦର୍ଶନ ଦୁଃଖଦୋଷ କରେ || ଅନହଙ୍କାରେ ରହିଥାଇ | ପ୍ରସନ୍ନ ଚିତ୍ତେ ସଦାଥାଇ || ୮ ||

ପୁତ୍ର ଦାରା ଗୃହ ଆଦିରେ | ଏକାତ୍ମ ଭାଵ ନ ବିଚାରେ || ଶୁଭାଶୁଭ ଫଳ ପ୍ରାପ୍ତିରେ | ସମ ଭାଵ ରଖି ମନରେ || ସର୍ବଦା ଅନାସକ୍ତ ରହି | ମୋ ଠାରେ ଚିତ୍ତ ନିବେଶଇ ||୯ ||

ଦୁଃ ଆଚରଣ ନ କରଇ | ଏକାନ୍ତ ସ୍ଥାନେ ନିବାସଇ || ଜନ ସଂସର୍ଗ ନ କରଇ | ଅନନ୍ୟ ଭକ୍ତିସ୍ଥିତ ହୋଇ || ୧୦ ||

ଆଧ୍ୟାତ୍ମଜ୍ଞାନେ ନିତ୍ୟସ୍ଥିତ | ସର୍ବତ୍ର ଦେଖେ ପ୍ରଭୁ ତତ୍ତ୍ୱ ||  ଏହାକୁ ଜ୍ଞାନ ବୋଲି ଜାଣ | ଅନ୍ୟ ସବୁ ଅଟେ ଅଜ୍ଞାନ || ୧୧ ||

ଜ୍ଞେୟ ସେ ପରମାତ୍ମା ତତ୍ତ୍ୱ | ଜାଣିଲେ ଲଭେ ଅମୃତତ୍ଵ || ସେହି ତତ୍ତ୍ୱର ବିଷୟରେ | କହିବି ମୁହିଁ ବିସ୍ତାରରେ || ସେହି ଅନାଦି ବ୍ରହ୍ମ ତତ୍ତ୍ୱ | ନା ସେ ସତ ନା ଅସତ || ୧୨ ||

ସର୍ଵତ୍ର ହସ୍ତ ପଦ ଶୀର | ଚକ୍ଷୁ ମୁଖ କର୍ଣ୍ଣ ଯାହାର || ସକଳ ଲୋକ ଭୁତଗଣ | ଆବୃତ୍ତ କରି ଅବସ୍ଥାନ ||୧୩ ||

ସକଳେନ୍ଦ୍ରିୟ ବୃତ୍ତିମନ୍ତ | ତଥାପି ସର୍ଵ ବିବର୍ଜିତ || ସର୍ଵଦା ଅନାସକ୍ତ ରହି | ସର୍ଵ ଭୁତଗଣ ପୋଷଇ || ନିର୍ଗୁଣ ଗୁଣଭୋକ୍ତା ହୋଇ | ପରମ ଆତ୍ମା ସେ ବୋଲାଇ || ୧୪ ||

ସଭିଙ୍କ ଅନ୍ତରେ ରୁହଇ | ବାହାରେ ପୁଣି ରହିଥାଇ || ସୁକ୍ଷ୍ମାତିସୁକ୍ଷ୍ମ ରୂପେ ଥାଇ | ସଭିଁଠୁ ଅଜଣା ରହଇ || ସଭିଙ୍କଠାରୁ ଦୂରେ ଥାଇ | ସଭିଙ୍କ ପାଶେ ରହିଥାଇ || ୧୫ ||

ଅଖଣ୍ଡ ଅବିଭାଜ୍ୟ ଥାଇ | ସକଳ ଭୁତେ ପ୍ରକାଶଇ || ବ୍ରହ୍ମା ରୂପେ ସୃଷ୍ଟି କରଇ | ରୁଦ୍ର ରୂପରେ ସଂହାରଇ || ସୃଷ୍ଟି କଣେ କଣେ ରହଇ | ବିଷ୍ଣୁ ରୂପରେ ସେ ପାଳଇ || ୧୬ ||

ଜ୍ୟୋତିଷର ଜ୍ୟୋତି ଅଟଇ | ଅନ୍ଧକାରାତୀତ ସେ ଥାଇ | ସେ ଜ୍ଞାନ ପୁଣି ଜ୍ଞେୟ ସେଇ | ଜ୍ଞାନଗମ୍ୟ ମଧ୍ୟ ଅଟଇ || ସର୍ଵ ଜୀବଙ୍କ ହୃଦେ ସେଇ | ସାକ୍ଷୀ ରୂପରେ ବିରାଜଇ || ୧୭ ||

କ୍ଷେତ୍ର ଓ କ୍ଷେତ୍ରଜ୍ଞ ବର୍ଣ୍ଣନ | ଶୁଣିଲ ମୋ ଠାରୁ ଅର୍ଜୁନ || ଏହାକୁ ଯେ ଭକ୍ତ ଜାଣିଇ | ମୋର ଭାବ ପ୍ରାପ୍ତ କରଇ || ୧୮ ||

ପୁରୁଷ ପ୍ରକୃତି ଉଭୟ | ଅନାଦି ଅଟନ୍ତି ସେ ଦ୍ବୟ || ଯେତେ ରୂପାନ୍ତର ବିକାର | ପ୍ରକୃତି ଠାରୁ ଜାତ ତାର || ୧୯ ||

କାର୍ଯ୍ୟ କାରଣ ହେତୁ ହୋଇ | ପ୍ରକୃତି ସଦା ରହି ଥାଇ || ସୁଖ ଦୁଃଖ ର ଭୋଗ ଜାଣ | ପୁରୁଷ ତାହାର କାରଣ || ୨୦ ||

ପ୍ରକୃତିରେ ବାସ କରଇ | ପ୍ରକୃତିସ୍ଥ ଗୁଣ ଭୋଗଇ || ପ୍ରକୃତିସ୍ଥ ପୁରୁଷ ସେଇ | ଜଗତେ ଜୀବତ୍ମା ବୋଲାଇ || ପ୍ରକୃତିସ୍ଥ ଗୁଣେ ଆସକ୍ତ | ଯୋନି ପାଏ ସତ ଅସତ || ୨୧ ||

ସାକ୍ଷୀ ରୁପରେ ଦେହେ ଥାଇ | ଉପଦ୍ରଷ୍ଟା ସେ ବୋଲାଇ || କାର୍ଯ୍ୟେ ଦିଏ ଅନୁମୋଦନ | ସେ ଅନୁମନ୍ତା ବୋଲି ଜାଣ || ଶରୀର ପୋଷଣ କରଇ | ଭର୍ତ୍ତା ରୂପରେ ଦେହେ ଥାଇ || ସୁଖ ଦୁଃଖ ସବୁ ଶରୀରେ | ଭୋକ୍ତା ରୁପରେ ଭୋଗ କରେ || ଜୀବ ହୃଦୟେ ବାସ ତାର | ସେହି ପରମାତ୍ମା ଈଶ୍ୱର ||  ଦେହରେ ବାସ କରୁଥାଇ | ତଥାପି ପର ରହି ଥାଇ || ତାହାର ଲିପ୍ତତା ଏଦୃଶ | କମଳ ପତ୍ରର ସଦୃଶ || ୨୨ ||

ପୁରୁଷ ପ୍ରକୃତି ଵର୍ଣ୍ଣନ | ଶୁଣିଲ ମୋ ଠାରୁ ଅର୍ଜୁନ || ଏମନ୍ତ ତତ୍ତ୍ୱ ଯେ ଜାଣଇ | ତାର ପୁନର୍ଜନ୍ମ ନହୋଇ || ୨୩ ||

ଅଥର୍ବଯୋଗୀ ଜନେ ଲୟେ | ଲଭନ୍ତି ମୋତେ ସେ ହୃଦୟେ || ସାଂଖ୍ୟଯୋଗୀମାନେ ଦର୍ଶନ | କରନ୍ତି ଜ୍ଞାନ ମାର୍ଗେ ଜାଣ || କର୍ମଯୋଗୀଗଣ ଜାଣିଣ | ନିଷ୍କାମ କର୍ମେ ମୋ ଦର୍ଶନ || ୨୪ ||

ଅଜ୍ଞାନ ମୁଢ଼ବ୍ୟକ୍ତି ପୁଣି | ଜାଣି ନପାରେ ମୋତେ ଜାଣି || ଅନ୍ୟଠୁ ଶୁଣିଥାଏ ଯାହା | ଉପାସନା ଵି କରେ ତାହା || ଅନ୍ୟଠୁ ଯାହା ଶୁଣିଥାନ୍ତି | ପରମଗତି ଭାବିଥାନ୍ତି || ଏମନ୍ତ ଭାବି ରହିଥାଇ | ମୃତ୍ୟୁ ଅତିକ୍ରମ କରଇ || ୨୫ ||

କ୍ଷେତ୍ର ଓ କ୍ଷେତ୍ରଜ୍ଞ ସଂଯୋଗ | ପରମାତ୍ମାଙ୍କ ଦୃଷ୍ଟି ଯୋଗ || ସଂଯୋଗେ ତା ଦୃଷ୍ଟି ମିଳଇ | ସୃଷ୍ଟିର କାରଣ ବୋଲାଇ || ୨୬ ||

ବିନାଶଶୀଳ ଜୀବ ଦେହେ | ଈଶ୍ବରଙ୍କର ବାସଥାଏ || ଏମନ୍ତ ଯେ ନର ଦେଖଇ | ପ୍ରକୃତେ ଯଥାର୍ଥ ଦେଖଇ || ୨୭ ||

ପରମାତ୍ମାଙ୍କ ସତ୍ତା ଜାଣ | ସର୍ବତ୍ର ରହଇ ସମାନ || ଏମନ୍ତ ଯେ ନର ବୁଝଇ | ଜୀବେ ହିଂସା ସେ ନ କରଇ ||  ଅହିଂସା ଆଚରଣ କରି | ଭବ ସଂସାରୁ ଯାଏ ତରି || ୨୮ ||

ସକଳ କାର୍ଯ୍ୟ ଏ ବିଶ୍ବରେ | ପ୍ରକୃତି ସମ୍ପାଦନ କରେ || ଆତ୍ମା ଅକର୍ତ୍ତା ଭାବେ ରହି | କାର୍ଯ୍ୟରେ ଲିପ୍ତ ନ ହୁଅଇ ||  ଏମନ୍ତ ଯେ ନର ଦେଖଇ | ପ୍ରକୃତେ ଯଥାର୍ଥ ଦେଖଇ || ୨୯ ||

ଜୀବର ଭିନ୍ନ ଭିନ୍ନ ଭାଵ | ପ୍ରକୃତି ଠାରୁ ହିଁ ଉଦ୍ଭବ || ତହିଁରେ ଅବସ୍ଥିତ ରହି | ତହିଁରେ ବିସ୍ତାର କରଇ || ଏମନ୍ତ ଯେ ନର ଦେଖଇ | ବ୍ରହ୍ମତ୍ଵ ପ୍ରାପ୍ତ ସେ କରଇ || ୩୦ ||

ଅନାଦି ନିର୍ଗୁଣ ଈଶ୍ବର | ଅଵ୍ୟୟ ସ୍ବରୁପ ଯାହାର ||  ଶରୀର ମଧ୍ୟେ ବାସ ଥାଇ | କୌଣସି କର୍ମେ ଲିପ୍ତ ନାହିଁ ||୩୧ ||

ଯେମନ୍ତ ଆକାଶ ବ୍ୟାପଇ | କୌଣସି ଠାରେ ଲିପ୍ତ ନୋହି || ଲିପ୍ତ ନ ହେବାର କାରଣ | ତାର ସୂକ୍ଷ୍ମତା ବୋଲି ଜାଣ || ସେମନ୍ତ ଆତ୍ମା ଦେହେ ରହି | କୌଣସି କର୍ମେ ଲିପ୍ତ ନୋହି || ୩୨ ||

ଗୋଟିଏ ମାତ୍ର ସୂର୍ଯ୍ୟ ଥାଇ | ଜଗତେ ଆଲୋକ ଦିଅଇ ||  କ୍ଷେତ୍ରଜ୍ଞ ଦେହେ ସୂର୍ଯ୍ୟ ଜାଣ | ସମଗ୍ର ଦେହରେ ଜୀବନ || ୩୩ ||

କ୍ଷେତ୍ର ଓ କ୍ଷେତ୍ରଜ୍ଞ ଅନ୍ତର | ଜ୍ଞାନ ନୟନ ଦେଖେ ଯାର || ସମେତ କାର୍ଯ୍ୟ ଓ କାରଣ | ନିଜକୁ ଭିନ୍ନ କରେ ମନ || ପ୍ରକୃତି ଠାରୁ ଭିନ୍ନ ଜାଣେ | ନିଜକୁ ଆତ୍ମା ବୋଲି ମାନେ || ଏମନ୍ତ ଯେ ନର ଜାଣିବ | ପରମଗତି ସେ ଲଭିବ || ୩୪ ||

ଏମନ୍ତ ଜ୍ଞାନର ବଚନ | ତୋଷେ କହନ୍ତି ଭଗବାନ || ଏହାକୁ ଯେ ନର ପାଳଇ | ଭବ ସାଗରୁ ସେ ତରଇ || ସର୍ଵଭୂତଙ୍କ ତୋଷ ପାଈଁ | କହଇ କୃଷ୍ଣଦାସ ଏହି || ତ୍ରୟୋଦଶ ଶ୍ରୀକୃଷ୍ଣ ଗୀତ | ହୁଅଇ ଏଠାରେ ସମାପ୍ତ || ୩୫ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ କ୍ଷେତ୍ର କ୍ଷେତ୍ରଜ୍ଞ ୟୋଗୋ ନାମ ତ୍ରୟୋଦଶ ଅଧ୍ୟାୟଃ || ୧୩ ||

ଦ୍ୱାଦଶ ଅଧ୍ୟାୟ – ଭକ୍ତି ଯୋଗ

ଅର୍ଜୁନ ଉଵାଚ

ଯେ ଭକ୍ତ ସଂଯୁକ୍ତ ଚିତ୍ତରେ | ତୁମ୍ଭକୁ ସର୍ବଦା ସୁମରେ || ଯେ ନର ନିଷ୍ଠାବାନ ହୋଇ | ଅବ୍ୟକ୍ତ ବ୍ରହ୍ମ ଉପାସଇ || ଏମନ୍ତ ଦୁହିଁଙ୍କ ମଧ୍ୟରେ | କେ ଅଟେ ଶ୍ରେଷ୍ଠ ତୁମଠାରେ || ୧ ||

ଶ୍ରୀ ଭଗବାନ ଉବାଚ

ମୋ' ଠାରେ ଚିତ୍ତ ନିବେଶଇ | ନିରନ୍ତର ମୋତେ ପୂଜଇ || ପରମ ଶରଧା ସମ୍ପନ୍ନ | ମୋ'ଠାରେ ସର୍ବଦା ସଂଲଗ୍ନ || ସେ ଭକ୍ତ ଅଟେ ଶ୍ରେଷ୍ଠତର | ଏମନ୍ତ ମତଟି ମୋହର || ୨ ||

ଅବ୍ୟକ୍ତ ଅଦୃଶ୍ୟ ଅକ୍ଷର | ସର୍ବଵ୍ୟାପକ ସତ୍ତା ଯା'ର || ଅଚିନ୍ତ୍ୟ ଅଚଳ ଈଶ୍ବର | ସମଗ୍ର ସୃଷ୍ଟିର ଆଧାର || ଏମନ୍ତ ମୋତେ ଚିନ୍ତାକରି | ଇନ୍ଦ୍ରିୟ ସଂଯମ ଆଚରି || ସର୍ବତ୍ର ସମ ଭାବେ ରହି | ସର୍ବ ଜୀବ ହିତେ ଚିନ୍ତଇ || ମୋର ଉପାସନା କରିଣ | ନିଶ୍ଚୟ ମୋତେ ପ୍ରାପ୍ତ ଜାଣ || ୩-୪ ||

ଅବ୍ୟକ୍ତେ ଆସକ୍ତ ଭକ୍ତର | ସାଧନା ମାର୍ଗ କ୍ଳେଶତର || ଏ ମାର୍ଗେ କ୍ଳେଶର କାରଣ | ନିଜର ଦେହ ଅଭିମାନ || ଶରୀର ବ୍ୟକ୍ତ ରୂପେଥାଇ | ଅବ୍ୟକ୍ତ ଚିନ୍ତି ନପାରଇ || ୫ ||

ଯେଉଁ ନର ମୋତେ ପୁଜଇ | ମୋ ଠାରେ ସମର୍ପିତ ହୋଇ || ସକଳ କର୍ମ ସମର୍ପଇ | ଅନନ୍ୟ ଯୋଗେ ମୋତେ ଧ୍ୟାୟୀ || ମୋ ପରାୟଣ ଯେ ହୁଅଇ | ମୋ'ର ଉପାସନା କରଇ || ମୋ ଠାରେ ଚିତ୍ତ ନିବେଶଇ | ସେମାନଙ୍କୁ ମୁଁ ଉଦ୍ଧାରଇ || ସଂସାର ସାଗରୁ ତାରଇ | ଅବିଳମ୍ବେ ପାର କରଇ || ଏହା ନିଶ୍ଚିତ ବୋଲି ଜାଣ | ପାର୍ଥ ଭରତକୁଳଧନ || ୬-୭ ||

ମୋ ଠାରେ ଚିତ୍ତ ବୁଦ୍ଧି ମନ | ନିବେଶ କର ହେ ଅର୍ଜୁନ || ନିବେଶ କରିବା ଉତ୍ତାରେ | ନିବାସ ନିଶ୍ଚୟ ମୋ ଠାରେ || ୮ ||

ଯଦି ମୋ ଠାରେ ଚିତ୍ତ ସ୍ଥିର | କରି ନ ପାର ଧନୁର୍ଦ୍ଧର || ଅଭ୍ୟାସ ଯୋଗେ ଧନଞ୍ଜୟ | ଚେଷ୍ଟାରେ ମୋତେ ପ୍ରାପ୍ତ ହୁଅ || ୯ ||

ଯଦି ଅଭ୍ୟାସେ ଅସମର୍ଥ | ମୋ କର୍ମେ ମନ ଦିଅ ପାର୍ଥ || ମୋ ପାଇଁ ସର୍ଵ କର୍ମ କରି | ପାରିବ ସିଦ୍ଧି ଲାଭ କରି || ୧୦ ||

ମୋ କର୍ମ କରି ନ ପାରିଲେ | ମୋ ଠାରେ ଆଶ୍ରା କର ଭଲେ || ମନ ଇନ୍ଦ୍ରିୟ ବଶୀଭୂତ | ଫଳ ଇଚ୍ଛା ତ୍ୟାଗ ସମସ୍ତ || ୧୧ ||

ଅଭ୍ୟାସୁ ଜ୍ଞାନ ଶ୍ରେଷ୍ଠ ଥାଇ | ଜ୍ଞାନଠୁ ଶ୍ରେଷ୍ଠ ଧ୍ୟାନ ହୋଇ || କର୍ମଫଳକୁ ଯେ ତ୍ୟାଗଇ | ଧ୍ୟାନଠୁ ଶ୍ରେଷ୍ଠ ତା' ଵୋଲାଇ || ପରମ ଶାନ୍ତି ତ୍ୟାଗୁ ପାଇ | ସେ ବ୍ୟକ୍ତି ମହାନ ଅଟଇ || ୧୨ ||

ଅର୍ଜୁନ ଶୁଣ ଦେଇ ମନ | ମୋ ପ୍ରିୟ ଭକ୍ତର ଲକ୍ଷଣ || ଅଦ୍ବେଷ ଭାଵକୁ ରଖଇ | କରୁଣା ସର୍ବଭୁତେ ଥାଇ || ନିଜକୁ କ୍ଷୁଦ୍ର ମନେକରି | ନୀରହଂକାରୀ ସଦାଚାରୀ || ସୁଖଦୁଃଖ ସମ ଚିନ୍ତଇ | ସଦା କ୍ଷମାଶୀଳ ହୁଅଇ || ସର୍ବଦା ସନ୍ତୁଷ୍ଟ ରହଇ | ଆତ୍ମସଂଯମ ବ୍ରତେ ରହି || ଆତ୍ମବିଶ୍ୱାସେ ଦୃଢ ସ୍ଥିତ | ମୋ ଠାରେ ନିଜେ ସମର୍ପିତ || ମନ ବୁଦ୍ଧିକୁ ସମର୍ପଣ | ସେ ଭକ୍ତ ମୋର ପ୍ରିୟ ଜାଣ || ୧୩-୧୪ ||

ଅନ୍ୟକୁ ଉଦ୍ବେଗ ନ ଦିଏ | କାହାଠୁ ଉଦ୍ବିଗ୍ନ ନ ହୁଏ || ହର୍ଷ କ୍ରୋଧ ଭୟ ବିମୁକ୍ତ | ସର୍ବଦା ରହେ ଚିନ୍ତାମୁକ୍ତ || ସଦା ଏମନ୍ତ ଆଚରଣ | ସେ ଭକ୍ତ ମୋର ପ୍ରିୟ ଜାଣ || ୧୫ ||

ନକରି ଅନ୍ୟକୁ ନିର୍ଭର | ସଦା ମୋ ଭକ୍ତିରେ ତତ୍ପର || ବାହ୍ୟ ଅନ୍ତର ଶୌଚ ରହି | ନିଷ୍କାମ କର୍ମେ ଦକ୍ଷ ଥାଇ || ମନରେ ବ୍ୟଥା ନ ରଖଇ | ସଦା ଆନନ୍ଦ ଚିତ୍ତେ ରହି || ଇନ୍ଦ୍ରିୟସୁଖେ ଉଦାସୀନ | ଭକ୍ତିରେ ମୋର ସଦାମଗ୍ନ || ସ୍ୱାର୍ଥ ଜଡ଼ିତ କର୍ମମାନ | ତ୍ୟାଗଇ ସେହି ଅନୁଷ୍ଠାନ || ମୋର ଭକ୍ତିରେ ସଦା ମନ | ସେ ଭକ୍ତ ମୋର ପ୍ରିୟ ଜାଣ || ୧୬ ||

କଦାପି ହୃଷ୍ଟ ନ ହୁଅଇ | ସର୍ବଦା ସନ୍ତୁଷ୍ଟ ରହଇ || ଶୋଚନା ଚିନ୍ତା ଯାର ନାହିଁ | କାହାକୁ ଦ୍ବେଷ ନ କରଇ || ଶୁଭାଶୁଭ ଫଳ ତ୍ୟାଗଇ | କାହିଁରେ ଆକାଂକ୍ଷା ନଥାଇ || ମୋର ଭକ୍ତିରେ ମନପ୍ରାଣ | ସେ ଭକ୍ତ ମୋର ପ୍ରିୟ ଜାଣ || ୧୭ ||

ଶତୃ ମିତ୍ର ସବୁ ସମାନ | ଯଥା ମାନ ଓ ଅପମାନ || ଶୀତ ଓ ଉଷ୍ଣେ ସମ ଭାଵ | ସୁଖଦୁଃଖରେ ନାହିଁ ଭେଦ || ନୀନ୍ଦା ସ୍ତୁତିରେ ମୋୖନ ରହି | ସର୍ବଦା ସନ୍ତୁଷ୍ଟ ରୁହଇ || ଶରୀର ଚେତନା ରହିତ | ବାସସ୍ଥାନରେ ଅନାସକ୍ତ || ଏମନ୍ତ ସ୍ଥିରମତି ଜନ | ସେ ଭକ୍ତ ମୋର ପ୍ରିୟ ଜାଣ || ୧୮-୧୯ ||

ଯେ ଶ୍ରଦ୍ଧାବାନ ଭକ୍ତଗଣ | କରନ୍ତି ଏହି ସୁଧାପାନ | ଏ ଭାବେ ସେବେ ଧର୍ମାମୃତ | ସେ ମୋର ଅତି ପ୍ରିୟ ଭକ୍ତ || ୨୦ ||

ଶ୍ରୀକୃଷ୍ଣ ଲାଲିମା ଅଧର | ଅଧରୁ ବହେ ଜ୍ଞାନ ଧାର || ସେ ଧାରୁ ବହେ ଭକ୍ତିରସ | ସେ ରସ ଅମୃତ ସଦୃଶ || ସେଇ ଅମୃତ ପାନକରି | ତରିବେ ସର୍ବ ନର ନାରୀ || ଏମନ୍ତ ଭାବେ କୃଷ୍ଣ ଦାସ | କହଇ କୃଷ୍ଣ ଭକ୍ତି ରସ || ଏ ଭକ୍ତି ରସକୁ ସୁମରି | ନୟନୁ ନ ଝରିଲେ ବାରି || ଦୁର୍ଲଭ ମାନବ ଶରୀର | ବୃଥା ହୋଇଯିଵ ତୁମର || ଦ୍ୱାଦଶ ଖଣ୍ଡ କୃଷ୍ଣଗୀତ | ତୋଷେ ପ୍ରାଣୀଙ୍କ ମନଚିତ୍ତ || ୨୧ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଭକ୍ତି ୟୋଗୋ ନାମ ଦ୍ୱାଦଶ ଅଧ୍ୟାୟଃ || ୧୨ ||

ଏକାଦଶ ଅଧ୍ୟାୟ – ବିଶ୍ଵରୂପ ଦର୍ଶନ ଯୋଗ

ଅର୍ଜୁନ ଉବାଚ

ଅନୁଗ୍ରହ କରି ମୋହନ | ଆଧ୍ୟାତ୍ମ୍ୟ ତତ୍ତ୍ୱର ଵର୍ଣ୍ଣନ || ପରମ ଗୁହ୍ୟ ତତ୍ତ୍ୱମାନ | ମୁଖୁ ଶୁଣିଲି ଭଗବାନ || ଥିଲା ଯେତେ ଵି ମୋହ ମୋ'ର | ତୁମ ଦୟାରୁ ହେଲା ଦୂର ||୧||

ହେ ପ୍ରଭୁ କମଳ ଲୋଚନ | ଆଦି ପୁରୁଷ ଭଗବାନ || ଜୀବର ଉତ୍ପତ୍ତି ପ୍ରଳୟ | ତୁମର ମାହାତ୍ମ୍ୟ ବିଷୟ || ଆପଣଙ୍କ ମୁଖୁ ଶୁଣିଲି | ନିଜକୁ ଧନ୍ୟ ମନେକଲି ||୨||

ପରମେଶ୍ଵର ଭଗବାନ | ପୁରୁଷୋତ୍ତମ ନାରାୟଣ || ତୁମର ଐଶ୍ୱରିକ ରୂପ | ସେହି ଦିବ୍ୟ ଘନ ସ୍ବରୁପ || ଦର୍ଶନ ସେ ଦିବ୍ୟ ରୂପର | ପ୍ରବଳ ଇଛା ହୁଏ ମୋ'ର ||୩||

ହେ ଯୋଗେଶ୍ବର ପ୍ରଭୁ ମୋର | ଯଦି ଉଚିତ ମନେକର || ସେହି ଅବିନାଶୀ ରୂପକୁ | ଦର୍ଶନ କରାନ୍ତୁ ଆମ୍ଭକୁ ||୪||

ଶ୍ରୀଭଗବାନ ଉଵାଚ

ଶତଶତ ନାନା ପ୍ରକାର | ସହସ୍ର ବିବିଧ ରଙ୍ଗର || ବିଭିନ୍ନ ଦିବ୍ୟ ଆକୃତିର | ଦିବ୍ୟରୂପ ଦେଖ ମୋହର ||୫||

ଦ୍ୱାଦଶ ଆଦିତ୍ୟଗଣ ଥା'ନ୍ତି | ଏକାଦଶ ରୁଦ୍ର ଅଛନ୍ତି || ତନ୍ମଧ୍ୟେ ଅଶ୍ବିନୀକୁମାର | ଅଷ୍ଟବସୁ କି ମନୋହର || ଅଣଚାଷ ଭିନ୍ନ ପବନ | ତୋଷଇ ପ୍ରାଣୀଙ୍କର ମନ || ପୂର୍ବରୁ କରିନ ଅର୍ଜୁନ | ଏମନ୍ତ ଆଶ୍ଚର୍ଯ୍ୟ ଦର୍ଶନ || ଦର୍ଶନ ମୋ' ଦିବ୍ୟ ରୂପର | ଆନନ୍ଦେ କର ଧନୁର୍ଦ୍ଧର ||୬||

ସମଗ୍ର ସ୍ଥାବର ଜଙ୍ଗମ | ପ୍ରକୃତି ପୁରୁଷ ସଙ୍ଗମ || ଜୀବ ଜଗତ ଚରାଚର | ଅନନ୍ୟ ସୃଷ୍ଟି ଏ ବିଶ୍ବର || ଅନ୍ୟଇଛା ଯାହା ଦର୍ଶନ | ଦେଖ ମୋ' ଦେହେ ବିଦ୍ୟମାନ ||୭||

ଚର୍ମ ଚକ୍ଷୁ ଦ୍ୱାରା ଅର୍ଜୁନ | ନ ପାରିବ କରି ଦର୍ଶନ || ଈଶ୍ଵରିୟ ଏ ଯୋଗଳୀଳା | ଅନନ୍ତ ସୃଷ୍ଟି ଳୀଳାଖେଳା || ତୁମକୁ ଦିବ୍ୟଚକ୍ଷୁ ଦେଵି | ଳୀଳା ଦର୍ଶନ କରାଇଵି || ୮||

ସଂଜୟ ଉଵାଚ

ଏମନ୍ତ କହି ହେ ରାଜନ | ୟୋଗେଶ୍ବର ହରି ଶ୍ରୀକୃଷ୍ଣ || ଅର୍ଜୁନଙ୍କୁ କୃପା କରିଲେ | ନିଜ ସ୍ବରୁପ ଦେଖାଇଲେ ||୯||

ଅନେକ ଦିବ୍ୟ ସୁନୟନ | ଅନେକ ଅଦ୍ଭୁତ ଦର୍ଶନ || ଅନେକ ଦିବ୍ୟ ଆଭୂଷଣ | ଅନେକ ଦିବ୍ୟ ଅସ୍ତ୍ରମାନ || ସେ ଦିବ୍ୟମାଳା ବିଶ୍ଵରୂପ | ଦିବ୍ୟ ବସ୍ତ୍ରରେ ସୁଶୋଭିତ || ସର୍ବାଙ୍ଗରେ ଦିବ୍ୟ ଚନ୍ଦନ | ହୋଇଅଛି ଅନୁଲେପନ || ସକଳ ଦିଗରେ ଦର୍ଶନ | ଅନନ୍ତ ଦିବ୍ୟ ମୁଖମାନ ||  ସର୍ଵ ଆଶ୍ଚର୍ୟମୟ ଦେବ | ମଦନ ମୋହନ ମାଧବ ||୧୦-୧୧||

ସହସ୍ର ସୂର୍ଯ୍ୟର ସମାନ | ଅନନ୍ତ ଜ୍ୟୋତିର ସ୍ପୁରଣ || ସେ ରୂପୁ ହୋଇ ନିର୍ଗମନ | ଦିଶୁଥାଇ ଯାଜ୍ବଲମାନ ||୧୨||

ଵ୍ରହ୍ମାଦି ସମସ୍ତ ବିଶ୍ବର | ବିଭକ୍ତ ଅନେକ ପ୍ରକାର || ଭଗବାନଙ୍କ ଶରୀରରେ | ଅଛନ୍ତି ଏକ କ୍ଷୁଦ୍ରାଂଶରେ ||  ଏମନ୍ତ ଦୃଶ୍ୟକୁ ଦେଖିଣ | ଚକିତ ହୋଇଣ ଅର୍ଜୁନ ||୧୩||

ଅର୍ଜୁନ ହୋଇଣ ବିସ୍ମିତ | ତାଙ୍କ ଶରୀର ରୋମାଞ୍ଚିତ || ବିରାଟ ରୂପ ଭଗବାନ | ଅର୍ଜୁନ କରନ୍ତି ବନ୍ଦନ ||୧୪||

ଅର୍ଜୁନ ଉଵାଚ

ଦେଖଇ ସର୍ଵ ଜୀବଗଣ | ସମସ୍ତ ପ୍ରକାର ଜୀବନ || କମଳାସନ ବ୍ରହ୍ମ ଦେବ | ଦେବାଧିଦେବ ମହାଦେବ || ସକଳ ସିଦ୍ଧ ଋଷିଗଣ | ସମସ୍ତ ଦିବ୍ୟ ସର୍ପଗଣ ||୧୫||

ଅନେକ ଉଦର ବଦନ | ଵାହୁ ନେତ୍ର ଶ୍ରୀ ଭଗବାନ || ଅନ୍ତ ମଧ୍ୟାଦି ନ ମିଳଇ | ଦିବ୍ୟ ଅନନ୍ତ ରୂପ ସେହି || ହେ ପ୍ରଭୁ ଜଗତ ଈଶ୍ବର | ତ୍ରାଣ କର୍ତ୍ତା ହେ ବିଶ୍ବେଶ୍ବର ||୧୬||

କିରିଟଧାରୀ ଚକ୍ରଧର | ଗଦା ହସ୍ତ ଦୀପ୍ତ ଈଶ୍ବର || ଯାହାର ସ୍ଵତେଜ ଅନନ୍ତ | କୋଟି ସୂର୍ଯ୍ୟ ଅଗ୍ନି ଜ୍ବଳନ୍ତ ||୧୭||

ଆପଣ ଜ୍ଞାତବ୍ୟ ଅକ୍ଷର | ପରମ ନିଧାନ ବିଶ୍ବର || ଅବ୍ୟୟ ଶାଶ୍ୱତ ଈଶ୍ବର | ରକ୍ଷକ ପ୍ରାଚୀନ ଧର୍ମର ||୧୮||

ତୁମର ଆଦି ଅନ୍ତ ନାହିଁ | ମଧ୍ୟ ଵି କେହି ନ ଜାଣଇ || ଅସୀମ ଶକ୍ତିର ଆଧାର | ସୂର୍ଯ୍ୟ ଶଶୀ ନେତ୍ର ଯାହାର || ଅସଂଖ୍ୟ ବାହୁ ଯେ ତୁମର | ଜ୍ବଳନ୍ତ ଶ୍ରୀମୁଖ ଅଗ୍ନିର || ସ୍ଵକୀୟ ଅନନ୍ତ ତେଜରେ | ବିଶ୍ବକୁ ସଂତପ୍ତ ସେ କରେ || ୧୯||

ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳରେ | ତନ୍ମଧ୍ୟ ସମସ୍ତ ସ୍ଥାନରେ || ସମସ୍ତ ଦିଗେ ବ୍ୟାପିରହି | ଅନନ୍ତ ଜଗତ ଗୋସାଇଁ || ଦେଖି ଅଦ୍ଭୁତ ଉଗ୍ରରୂପ | ତ୍ରିଲୋକେ ଭୟର ପ୍ରକୋପ ||୨୦||

ସମସ୍ତ ସୃଷ୍ଟ ଦେବଗଣ | ତୁମ ଭିତରେ ପ୍ରବେଶିଣ || କେତେକ ଭୀତତ୍ରସ୍ତ ହୋଇ | ତୁମ ନାମ ସ୍ତୁତି କରଇ || ମହର୍ଷି ସିଦ୍ଧମୁନୀଗଣ | ପ୍ରେମେ ହୋଇଣ ଭାଵପୂର୍ଣ୍ଣ || ତୁମରି ଠାରେ ଦେଇ ମନ | କରନ୍ତି ତୁମ ସ୍ତୁତିଗାନ ||୨୧||

ଆଦିତ୍ୟ ରୁଦ୍ର ବସୁଗଣ | ସାଧ୍ୟ ମାରୁତ ଦେବଗଣ || ଅଶ୍ବିନୀକୁମାର ଗନ୍ଧର୍ବ | ଯକ୍ଷ ଅସୁର ପିତୃ ସିଦ୍ଧ || ସର୍ବେ ବିସ୍ମିତ ନୟନରେ | ଚାହିଁ ଅଛନ୍ତି ତୁମଠାରେ ||୨୨||

ବହୁ ମୁଖ ବହୁ ନୟନ | ବହୁ ବାହୁ ବହୁ ଚରଣ || ବହୁ ଉରୁ ବହୁ ଉଦର | ଦେଖି ସମସ୍ତେ ଥର ହର ||୨୩||

ନଭସ୍ପର୍ଶୀ ଦୀପ୍ତି ସଂଯୁକ୍ତ | ମୁଖ ଅନେକ ବର୍ଣ୍ଣଯୁକ୍ତ || ଜ୍ବଳନ୍ତ ବିଶାଳ ନୟନ | ମୋ' ଆତ୍ମା ବ୍ୟଥାର କାରଣ || ଭୟରେ ଅଧର୍ଯ୍ୟ ହୋଇଣ | ନାହିଁ ମୋ' ମନେ ନିୟନ୍ତ୍ରଣ || ମୁହିଁ ଅତ୍ୟନ୍ତ ଭୀତତ୍ରସ୍ତ | ହେ ପ୍ରଭୁ ଅନନ୍ତ ଅଚ୍ୟୁତ ||୨୪||

ବିକରାଳ ରୂପ ଦେଖିଣ | ଭୟରେ ହୋଇ ଦିଶାହୀନ || ପାରୁନି ରହି ଶାନ୍ତ ହୋଇ | ହେ ପ୍ରଭୁ ଜଗତ ଗୋସାଇଁ || ଜଗତର ଏକା ଆଧାର | ହେ ପ୍ରଭୁ ମୋତେ କ୍ଷମାକର ||୨୫||

ଧୃତରାଷ୍ଟ୍ରଙ୍କ ପୁତ୍ରଗଣ | ସମସ୍ତ ଯୋଦ୍ଧା ରାଜାଗଣ || ସୁତପୁତ୍ର ଓ ଭୀଷ୍ମ ଦ୍ରୋଣ | ଆମର ମୁଖ୍ୟ ଯୋଦ୍ଧାଗଣ || ଦୃତବେଗରେ ଧାଵମାନ | ତୁମର ମୁଖେ ପ୍ରବେଶୀଣ || ମସ୍ତକ ଚୁର୍ଣ୍ଣ ଚୁର୍ଣ୍ଣ ହୋଇ | ଆପଣଙ୍କ ଦନ୍ତେ ଲାଗଇ ||୨୬-୨୭||

ଯେପରି ନଦୀ ଜଳ ସ୍ରୋତ | ସମୁଦ୍ର ଅଭିମୁଖେ ରତ || ସେମନ୍ତ ସର୍ଵ ଜୀବଗଣ | ତୁମରି ମୁଖେ ଧାଵମାନ ||୨୮||

ଯେମନ୍ତ ପତଙ୍ଗ ସମୂହ | ଅଗ୍ନିରେ ପଡ଼ି ହୋନ୍ତି ଦାହ || ସେମନ୍ତ ଜୀବର ପ୍ରବାହ | ତୁମର ମୁଖେ ପଡ଼ି ଦାହ ||୨୯||

ତୁମର ଜ୍ଵଳନ୍ତ ବଦନ | ଗ୍ରାସଇ ସର୍ଵ ଜୀବଗଣ || ତୁମର ଦିବ୍ୟ ତେଜ ଏହି | ସମଗ୍ର ଜଗତ ବ୍ୟାପଇ || ବ୍ୟପିତ ସମଗ୍ର ଜଗତ | ପ୍ରବଳ ତାପରେ ତାପିତ ||  ହେ ଵିଷ୍ଣୁ ଆହେ ଭଗବାନ | ଆଦି ପୁରୁଷ ନାରାୟଣ ||୩୦||

କରୁଅଛି ମୁଁ ନମସ୍କାର | ପ୍ରସନ୍ନ ହୁଅ ହେ ଈଶ୍ବର || ହେ ଉଗ୍ର ରୄପୀ ଭଗବାନ | ଜଣାନ୍ତୁ କିଏ ହୋ ଆପଣ || ଅଦି ଅନ୍ତ ମୁଁ ପାଉନାହିଁ | ପ୍ରବୃତ୍ତି ଜାଣେ ଅବା କାହିଁ ||  ଏଭଳି ଜିଜ୍ଞାସା ମୋହର | ଦୟାକର ହେ ମାୟାଧର ||୩୧||

ଶ୍ରୀଭଗବାନ ଉଵାଚ

ମୁଁ ନିଜେ କାଳ ରୂପନେଇ | ସକଳ ନାଶ କରୁଥାଇ || ଯୁଦ୍ଧରେ ଅନ୍ନିଛା ତୁମର | ଭବିଷ୍ୟ କରେନା ନିର୍ଭର || ନା ରହିଛି କିଆଁ ରହିବ | ସଂସାର ଐଶର୍ୟ ବିଭବ || ଶତୃ ପକ୍ଷର ଯୋଦ୍ଧା ସବୁ | ନିହତ କାଳର ପ୍ରଭାବୁ ||୩୨||

ତେଣୁ ଅର୍ଜୁନ ସଖା ମୋ'ର | ନିଶ୍ଚିତ ମତେ ଯୁଦ୍ଧ କର || ଶତୃର ନିପାତ କରିଣ | ଲାଭକର ଯଶ ସମ୍ମାନ ||  ଐଶ୍ବର୍ୟ ସମ୍ମାନ ବିଭବ | ନିସ୍କଣ୍ଟକ ଏ ରାଜଭୋଗ ||୩୩||

ଦ୍ରୋଣ ଭୀଷ୍ମ ଓ ଜୟଦ୍ରଥ | କର୍ଣ୍ଣ ତଥା ବୀର ସମସ୍ତ || ଏ ସବୁ ପୂର୍ଵରୁ ନିହତ | ହୋଇଯାଅ ତୁମେ ନିମିତ୍ତ ||  ପୁର୍ବରୁ ନିହତ ଏ ଗଣ | ଏମନ୍ତ ଚିତ୍ତେ ବିଚାରିଣ || କର୍ତ୍ତବ୍ୟ ଚିନ୍ତି ହତ୍ୟା କର | ପାପ ନ ହୋଇଵ ତୁମର ||୩୪||

ସଂଜୟ ଉଵାଚ

ଏମନ୍ତ କେଶବ ବଚନ | ଶୁଣିଣ କୁତାର୍ଥ ଅର୍ଜୁନ || କୃଷ୍ଣ ମାଧବ ଚକ୍ରଧର | ଭୟେ ଅର୍ଜୁନ ଥରହର || କରୁଛନ୍ତି ଗୋ ନମସ୍କାର | ବାରମ୍ବାର ହିଁ ନମସ୍କାର ||୩୫||

ଅର୍ଜୁନ ଉଵାଚ

କରିଣ ତୁମ କୀର୍ତ୍ତି ଗାନ | ଜଗତ ହୁଅଇ ପ୍ରସନ୍ନ || ଏହା ହୃଷିକେଶ ଯଥାର୍ଥ | ଚିତ୍ତ ହୁଅଇ ଆନନ୍ଦିତ || ପ୍ରାଣ ଭୟେ ରାକ୍ଷସଗଣ | ଚତୁର୍ଦିଗରେ ପଳାୟନ || ସିଦ୍ଧ କରନ୍ତି ନମସ୍କାର | କୃଷ୍ଣ ଗୋବିନ୍ଦ ଚକ୍ରଧର ||୩୬||

ଵ୍ରହ୍ମାଙ୍କ ଠାରୁ ଗରୀୟାନ | ମହାତ୍ମା ପୁରୁଷ ଆପଣ || ସିଦ୍ଧଗଣ ପୁରୁଷୋତ୍ତମ | କିଆଁ ନ କରିବେ ପ୍ରଣାମ || ଆପଣ ଅନନ୍ତ ଦେବେଶ | ସାରା ଜଗତର ନିବାସ || ସତ୍ ଓ ଅସତ୍ ତା'ର ଅତୀତ | ଅକ୍ଷୟ ଆଧାର ଅଚ୍ୟୁତ ||୩୭||

ଅନାଦି ପୁରୁଷ ପୁରାଣ | ବିଶ୍ବର ପରମ ନିଧାନ || ଆପଣ ଜ୍ଞାତା ପୁଣି ଜ୍ଞେୟ | ପରମଧାମ ଓ ଅବ୍ୟୟ || ପୁଣି ଅନନ୍ତ ରୂପନେଇ | ବିଶ୍ବରେ ବ୍ୟାପୃତ ରୁହଇ ||୩୮||

ବାୟୁ ଯମ ଅଗ୍ନି ବରୁଣ | ଶଶାଙ୍କ ଆଦିତ୍ୟ ଆପଣ ||  ପ୍ରପିତାମହ ପ୍ରଜାପତି | ଜଣାଉଛି ମୋ'ର ପ୍ରଣତି || କରୁଛି ମୁହିଁ ନମସ୍କାର | ବାରମ୍ବାର ମୋ ନମସ୍କାର ||୩୯||

ଅଗ୍ର ପଶ୍ଚାତେ ନମସ୍କାର | ସମ୍ମୁଖେ ପୃଷ୍ଠେ ନମସ୍କାର || ସକଳଭାଗେ ନମସ୍କାର | ବାରମ୍ବାର ମୋ' ନମସ୍କାର || ଅନନ୍ତ ବୀର୍ୟ ନାରାୟଣ | ଅମୀତ ବିକ୍ରମ ଆପଣ || ସଭିଁଙ୍କୁ କରି ଆଛାଦିତ | ସକଳ ବ୍ରହ୍ମାଣ୍ଡ ବ୍ୟାପିତ ||୪୦||

ମହିମା ନଜାଣି ତୁମ୍ଭର | ସଖା ଭାଵି ହେ ଚକ୍ରଧର || ପ୍ରମାଦରେ ଅବା ସ୍ନେହରେ | ତଥା ନିର୍ବିଚାର ଭାବରେ || କୃଷ୍ଣ ଯାଦବ ସମ୍ବୋଧନ | କରିଚି କେତେ ଭଗବାନ || ଆହାର ବିହାର ଶୟନ | ଏକା ଵା ମେଳେ ବନ୍ଧୁଜନ || କଥା ପରିହାସ ଛଳରେ | ଅନ୍ୟ ଜନଙ୍କର ମେଳରେ || ଅଜ୍ଞାନୀ ମୁଢ଼ ଜୀବ ମୁହିଁ | କ୍ଷମା ପ୍ରାର୍ଥ୍ବନା ମୁଁ କରଇ || ୪୧-୪୨||

ଚରାଚର ପିତା ଅଟଇ | ଜଗତ ପୂଜ୍ୟ ଗୁରୁହୋଇ || ନାହାଁନ୍ତି କେହି ତୁମ୍ଭସମ | ତୁମେ ହିଁ ଅଟ ଶ୍ରେଷ୍ଠତମ || ଆପଣଙ୍କଠୁଁ ଶ୍ରେଷ୍ଠଜୀବ | କୁଆଡୁ କେମିତି ଆସିବ || ୪୩ ||

ନତମସ୍ତକ ମୁଁ ହୋଇଣ | ପ୍ରଣାମ କରେ ଭଗବାନ || ହେ ଈଶ ତୁମେ ବନ୍ଦନୀୟ | ପ୍ରଣାମକରେ ଧନଞ୍ଜୟ || ଯେମନ୍ତ ପିତା ତା' ପୁତ୍ରକୁ | ସଖା କ୍ଷମା କରେ ସଖାକୁ || ପ୍ରିୟ କ୍ଷମାକରେ ପ୍ରିୟାକୁ | କ୍ଷମାକର ମୋ'ର ଦୋଷକୁ || ୪୪ ||

ଅଦୃଷ୍ଠପୂର୍ଵ ବିଶ୍ବରୂପ | ତୁମ୍ଭର ବିରାଟ ସ୍ୱରୂପ || ଦେଖି ମୋ'ମନ ଆନନ୍ଦିତ | ତଥାପି ଭୟରେ କମ୍ପିତ || ଆପଣଙ୍କ ସେ ପୂର୍ଵରୂପ | ଦେଖାଅ ସେ ଦିବ୍ୟ ସ୍ବରୂପ ||୪୫||

ଶଙ୍ଖ ଚକ୍ର ଓ ଗଦା ହସ୍ତ | ମସ୍ତକେ କିରିଟ ଭୁଷିତ || ସେଇ ଚତୁର୍ଭୁଜ ରୂପକୁ | ଦେଖାଅ କେଶବ ଆମ୍ଭକୁ || ସହସ୍ରବାହୁ ବିଶ୍ବମୂର୍ତ୍ତି | ଏତକ ମୋହର ବିନତି || ୪୬ ||

ଶ୍ରୀଭଗବାନ ଉଵାଚ

ପ୍ରସନ୍ନ ହୋଇ ମୁଁ ଅର୍ଜୁନ | କରାଇଲି ଏହି ଦର୍ଶନ || ଆତ୍ମଯୋଗରେ ସ୍ଥିତ ହୋଇ | ବିଶ୍ବେ ପ୍ରକଟ ମୁଁ ହୁଅଇ || ତେଜମୟ ଅନନ୍ତ ରୂପ | ଅଦ୍ଭୁତ ଦିବ୍ୟ ବିଶ୍ବରୂପ || ତୁମରି ବ୍ୟତୀତ ଅର୍ଜୁନ | କରିନାହିଁ କେହି ଦର୍ଶନ || ୪୭ ||

ଯଜ୍ଞ ତପସ୍ୟା ଅବା ଦାନ | କରିଣ ବେଦ ଅଧ୍ୟୟନ || ନରଲୋକେ ତୁମ୍ଭ ବ୍ୟତୀତ | ଦେଖିବା ମୋତେ ଅସମର୍ଥ || ଏହା ନିଶ୍ଚିତ ମତ ଜାଣ | କୁରୁଶ୍ରେଷ୍ଠ ବୀର ଅର୍ଜୁନ || ୪୮ ||

ଭୟଙ୍କର ରୂପ ଦର୍ଶନ | କରିଣ ତୁମେ ହେ ଅର୍ଜୁନ || ନ ହୁଅ ତୁମେ ଭୀତତ୍ରସ୍ତ | ବିମୁଢ ନ ହୁଅ କୁନ୍ତିସୁତ || ସମସ୍ତ ଭୟ ତ୍ୟାଗ କରି | ଚିତ୍ତେ ପ୍ରସନ୍ନ ମନେକରି || ଚତୁର୍ଭୁଜ ରୂପ ମୋହର | ଦର୍ଶନ କର ଧନୁର୍ଦ୍ଧର || ୪୯ ||

ସଂଜୟ ଉଵାଚ

ଏପରି କହି ବାସୁଦେଵ | ମଦନ ମୋହନ କେଶବ || ସୌମ୍ୟରୂପ କୁ ଦେଖାଇଲେ | ଆଶ୍ୱସ୍ଥ ଅର୍ଜୁନଙ୍କୁ କଲେ || ୫୦ ||

ଅର୍ଜୁନ ଉଵାଚ

ହେ ବିଶ୍ୱପତି ଜନାର୍ଦ୍ଧନ | କରି ଆପଣଙ୍କ ଦର୍ଶନ || ମନୁଷ୍ୟ ରୂପକୁ ଦେଖିଲି | ଆଶ୍ୱସ୍ଥ ପ୍ରକୃତିସ୍ଥ ହେଲି || ୫୧ ||

ଶ୍ରୀଭଗବାନ ଉଵାଚ

ଅତି ଦୁର୍ଲଭ ରୂପ ମୋର | ଦେଖିଲ ତୁମେ ଧନୁର୍ଦ୍ଧର || ସେଇ ଦର୍ଶନ ଲାଭପାଈଁ | ଦେବତା ଆଶାୟୀ ରୁହଇ || ୫୨ ||

ଚତୁର୍ଭୁଜ ରୂପ ମୋହର | ଦର୍ଶନ ହୋଇଲା ତୁମ୍ଭର || ଧର୍ମ କି ବେଦ ଅଧ୍ୟୟନ | ତପସ୍ୟା ଯଜ୍ଞ ଯୋଗ ଦାନ || ଏସବୁ ଦ୍ୱାରା ଅସମର୍ଥ | ଦୁର୍ଲଭ ଦର୍ଶନ ହେ ପାର୍ଥ || ତୁମେ ଅତ୍ୟନ୍ତ ଭାଗ୍ୟବାନ | ତେଣୁ କରିଲ ଏ ଦର୍ଶନ || ୫୩ ||

କେବଳ ଅନନ୍ୟ ଭକ୍ତିରେ | ମୋର ଦର୍ଶନ ହୋଇପାରେ || ହୁଅଇ ମୋହର ଦର୍ଶନ | ମୋ'ପ୍ରାପ୍ତି ଓ ଜ୍ଞାନ ଅର୍ଜୁନ || ୫୪ ||

ମୋ ପାଈଁ ଯିଏ କର୍ମ କରେ | ସର୍ଵଦା ମୋତେ ହିଁ ସୁମରେ || ସର୍ବଦା ମୋର ଭକ୍ତ ହୋଇ | ଅନ୍ୟ ସଙ୍ଗକୁ ଯେ ତ୍ୟାଗଇ || ଜୀଵରେ ଦ୍ବେଷ ନରଖଇ | ସର୍ବଦା ମୋତେ ପ୍ରାପ୍ତହୋଇ || ୫୫ ||

ବିଶ୍ବ ବ୍ରହ୍ମାଣ୍ଡର ଈଶ୍ବର | ସର୍ଵ ବ୍ୟାପକ ସତ୍ତା ଯା'ର || ରୂପ ଭୟଙ୍କର କରାଳ | ଭକ୍ତ ଲୋଚନେ ଯେ ଗୋପାଳ || ବେଦରୁ ଆଗୋଚର ଥାଇ | ପ୍ରେମବଳ ରେ ଧରାଦେଇ || ଅଚଳ ଅନନ୍ୟ ଭକ୍ତିରେ | ରୁହେ ଯେ ଭକ୍ତ ପଣତରେ || ପରମ ଦିବ୍ୟ ଯା'ର ଧାମ | କୃଷ୍ଣଦାସ କରେ ପ୍ରଣାମ || ଗୋଵିନ୍ଦ ଗୋଵିନ୍ଦ ଗୋଵିନ୍ଦ | ଅଙ୍ଗ ଅଙ୍ଗ ଯା ଅରଵିନ୍ଦ || ଅରବିନ୍ଦ ଦଳ କମଳେ | ରୁହ ଯେ ଗୋପୀଙ୍କର ମେଳେ || ସେ ମୁଖପଦ୍ମରୁ ବଚନ | ଶୁଣି ଜୀଵନ ହେଲା ଧନ୍ୟ || ଏକାଦଶ ଶ୍ରୀକୃଷ୍ଣ ଗୀତ | ଅଟଇ ଚିରନ୍ତନ ସତ୍ୟ || ୫୬ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ବିଶ୍ବରୂପ ଦର୍ଶନ ୟୋଗୋ ନାମ ଏକାଦଶ ଅଧ୍ୟାୟଃ || ୧୧ ||

ଦଶମ ଅଧ୍ୟାୟ – ବିଭୁତି ଯୋଗ

ଶ୍ରୀଭଗବାନ ଉଵାଚ ଶୁଣ ଅର୍ଜୁନ ଦେଇ ମନ | ପୁଣି ମୋ' ପରମ ବଚନ || ପ୍ରିୟ ମିତ୍ର ତୁମେ ମୋହର | ମଙ୍ଗଳ ଚିନ୍ତଇ ତୁମର || ୧ ||

ଦେବ ମହର୍ଷି ମାନେ କେହି | ମୋର ଉତ୍ପତ୍ତି ନଜାଣଇ || ସକଳ ଦିଗୁ ବିଚାରିଣ | ମୁଁ ସର୍ଵ ସୃଷ୍ଟିର କାରଣ || ୨ ||

ଅଜନ୍ମା ଅନାଦି ଅନନ୍ତ | ସକଳ ଜଗତେ ବ୍ୟାପିତ || ମୁଁ ସର୍ଵ ଜଗତ ଈଶ୍ବର | ସମଗ୍ର ସୃଷ୍ଠିର ଆଧାର || ଏମନ୍ତ ମୋତେ ଯେ ଜାଣଇ | ମର୍ତ୍ୟଲୋକେ ଜ୍ଞାନୀ ବୋଲାଇ || ସକଳ ପାପୁ ମୁକ୍ତ ହୋଇ | ଏ ଭଵ ସାଗରୁ ତରଇ || ୩ ||

ନିର୍ମୋହ ଜ୍ଞାନ ବୁଦ୍ଧି ଶମ | ଅଭୟ କ୍ଷମା ସତ୍ୟ ଦମ || ସଂଯମ ଭୟ ସନ୍ତୁଳନ | ସୁଖ ଓ ଦୁଃଖ ଭାଵମାନ ||  ଅହିଂସା ତୁଷ୍ଟି ତପ ଦାନ | ସମତା ଯଶ ଅପମାନ || ପ୍ରାଣୀଙ୍କ ଦେହେ ଏହି ଭାଵ | ମୋଠାରୁ ତାହାର ଉଦ୍ଭଵ || ୪-୫ ||

ସପ୍ତ ମହର୍ଷି ବ୍ରହ୍ମାଣ୍ଡର | ପ୍ରାଚୀନ ଚାରୋଟି କୁମାର || ମୋହର ମନରୁ ସମ୍ଭୁତ | ମୋର ଭାବରେ ସଦା ସ୍ଥିତ || ସମସ୍ତ ଜୀବ ଓ ଜଗତ | ଵ୍ରହ୍ମାଣ୍ଡେ କରନ୍ତି ବିସ୍ତୃତ || ୬ ||

ବିଭୂତି ଯୋଗକୁ ମୋହର | ତତ୍ତ୍ୱରେ ଜାଣଇ ଯେ ନର || ମୋ ଠାରେ ଦେଇ ମନ ପ୍ରାଣ | ଅନନ୍ୟ ଯୋଗ ରେ ସଂଲଗ୍ନ || ନିବାସ ମୋ ଠାରେ ତାହାର | ଅର୍ଜୁନ ସଂଶୟ ନକର || ୭ ||

ମୋ ଠାରୁ ସମସ୍ତେ ଉତ୍ପନ | ମୁଁ ହିଁ ସର୍ଵ ମୂଳକାରଣ || ଏପରି ଜ୍ଞାନୀ ଗୁଣୀ ଜନ | ମୋ ଠାରେ ସଦା ଦେଇ ମନ || କରୁଥାନ୍ତି ମୋର ଭଜନ | ହୁଅନ୍ତି ମୋ ଶରଣାପନ୍ନ || ୮ ||

ମୋ ଠାରେ ଚିତ୍ତ ନିବେଶଇ | ମତ୍ଗତ ଦୃଢପ୍ରାଣ ହୋଇ || ମୋ ରୂପ ମହିମା ଵର୍ଣ୍ଣନା | ପରସ୍ପର କରି ଆଲୋଚନା || ସର୍ବଦା ସନ୍ତୁଷ୍ଟ ରୁହନ୍ତି | ମୋ ସହ ରମଣ କରନ୍ତି || ୯ ||

ସର୍ବଦା ସଂଯୁକ୍ତ ଚିତ୍ତରେ | ଭଜନ୍ତି ପ୍ରୀତିସହକାରେ || କରେ ମୁଁ ବୁଦ୍ଧିଯୋଗ ଦାନ | ଯୋଗରେ ମୋତେ ପ୍ରାପ୍ତଜାଣ || ୧୦ ||

ତାଙ୍କୁ ଅନୁକମ୍ପା କରଇ | ଅନ୍ତରାତ୍ମାରେ ସ୍ଥିତ ରହି || ଜ୍ଞାନ ଦୀପକୁ ପ୍ରଜ୍ବଳିତ | ନାଶଇ ଅନ୍ଧକାର ସ୍ରୋତ || ୧୧ ||

ଅର୍ଜୁନ ଉଵାଚ ପରମବ୍ରହ୍ମ ଭଗବାନ | ପରମଧାମ ଯେ ଆପଣ || ପବିତ୍ର ପୁରୁଷ ଶାଶ୍ୱତ | ଦିବ୍ୟ ଅନାଦି ଓ ଅନନ୍ତ || ତୁମେ ସଚରାଚର ବ୍ୟାପ୍ତ | ଦେବର୍ଷି ନାରଦ ଏ ମତ || ଅସୀତ ଆଦି ୠଷିଗଣ | ଦେବଳ ବ୍ୟାସ ମୁନିମାନ || ସମସ୍ତେ ଏ ମତ ପୋଷଣ | ଆପଣ ସ୍ୱୟଂ ଭଗବାନ || ୧୨-୧୩ ||

ଆପଣଙ୍କ ସର୍ଵ ବଚନ | ସତ୍ୟ ମାନଇ ମୋର ମନ || ଦେବତା ବା ଦାନଵ କେହି | ତୁମ ପ୍ରକଟ ନ ଜାଣଇ || ଏମନ୍ତ ମୋ ମତ କେଶବ | ଭଗବାନ ହରି ମାଧବ || ୧୪ ||

ଜୀବ ନିୟନ୍ତା ଚକ୍ରଧର | ତୁମେ ସର୍ଵଭୁତ ଈଶ୍ବର || ପୁରୁଷଙ୍କ ମଧ୍ୟେ ଉତ୍ତମ | ପୁରୁଷୋତ୍ତମ ତୁମ ନାମ || ତୁମେ ଏ ଜଗତର ପତି | ତୁମେ ହିଁ ଜାଣ ତୁମ ସ୍ଥିତି ||  ଦେବ ମାନଙ୍କ ଦେବ ତୁମେ | ସର୍ବେ ତରିବେ ତୁମନାମେ || ୧୫ ||

ଏ ଦିବ୍ୟ ବିଭୂତି ତୁମର | କେବଳ ତୁମେ ଜ୍ଞାତା ତା'ର || ସେ ଦିବ୍ୟ ବିଭୂତି ବଳରେ | ବ୍ୟାପ୍ତ ହୋଇଛ ଚରାଚରେ || ୧୬ ||

କେଉଁ ଭାବେ ତୁମ ଚିନ୍ତନ | କରିବ ସଦା ମୋରମନ || କିପରି ଭାବେ ଧ୍ୟାନକରି | ଜାଣିଵି ତୁମକୁ ମୂରାରି || ୧୭ ||

ତୁମ ଵିଭୁତି ଜନାର୍ଦ୍ଦନ | ଵିସ୍ତାରେ କରନ୍ତୁ ବର୍ଣ୍ଣନ || ମୋ କର୍ଣ୍ଣ ତୃପ୍ତ ନ ହୁଅଇ | ପୁଣି ଶୁଣିବା ଆଶାନେଇ || ୧୮ ||

ଶ୍ରୀଭଗବାନ ଉଵାଚ ଅର୍ଜୁନ ପ୍ରିୟ କୁରୁଵର | ରଖି ଅନୁରୋଧ ତୁମର || ମୁଖ୍ୟ ବିଭୁତି କିଛି ମୋର | ବର୍ଣ୍ଣନା କରିବି ତାହାର || ଯେତେ ଵି କଲେ ତା ଵର୍ଣ୍ଣନା | ପ୍ରାଧାନ୍ୟ ହେବ ନାହିଁ ଉଣା || ୧୯ ||

ସର୍ଵ ଜୀଵ ହୃଦେ ନିହିତ | ଅନ୍ତର ଆତ୍ମା ରୂପେ ସ୍ଥିତ || ମୁହିଁ ଆରମ୍ଭ ମୁହିଁ ଶେଷ | ମଧ୍ୟ ଵି ମୁହିଁ ଗୁଢ଼ାକେଶ || ୨୦ ||

ଆଦିତ୍ୟ ମଧ୍ୟେ ବିଷ୍ଣୁ ମୁହିଁ | ଜ୍ୟୋତିଷେ ରବି ମୁଁ ଅଟଇ || ମରୁତେ ମରୀଚି ମୁଁ ହୋଇ | ନକ୍ଷତ୍ରେ ଶଶୀ ହୋଇଥାଇ || ୨୧ ||

ବେଦରେ ସାମବେଦ ସ୍ୱର | ଦେବତା ମଧ୍ୟେ ଶଚିଵର || ଇନ୍ଦ୍ରିୟ ମଧ୍ୟେ ମନ ମୁହିଁ | ଜୀବେ ଚେତନା ମୁଁ ଅଟଇ || ୨୨ ||

ରୁଦ୍ରଙ୍କ ମଧ୍ୟେ ମୁଁ ଶଙ୍କର | ଯକ୍ଷ ରାକ୍ଷସେ ମୁଁ କୁବେର || ବସୁଙ୍କ ମଧ୍ୟେ ମେରୁ ମୁହିଁ | ଶିଖରେ ସୁମେରୁ ଅଟଇ || ୨୩ ||

ପୁରୋଧା ମଧ୍ୟେ ବୃହସ୍ପତି | ସ୍କନ୍ଦ ମୁଁ ଦେବ ସେନାପତି || ଜଳାଶୟ ମଧ୍ୟେ ସାଗର | ଜାଣ ମୁଁ ବ୍ରହ୍ମାଣ୍ଡ ଈଶ୍ବର || ୨୪ ||

ମହର୍ଷି ମଧ୍ୟେ ଭୃଗୁଵର | ଶବ୍ଦ ମଧ୍ୟେ ଓଁ ଏକାକ୍ଷର || ଯଜ୍ଞରେ ଜପ ଯଜ୍ଞ ମୁହିଁ | ସ୍ଥାଵରେ ହିମାଳୟ ହୋଇ || ୨୫ ||

ସର୍ଵ ବୃକ୍ଷରେ ମୁଁ ଅଶ୍ୱତ୍ଥ | ଗନ୍ଧର୍ବ ମଧ୍ୟେ ଚିତ୍ରରଥ || ନାରଦ ଦେବର୍ଷୀ ଗଣରେ | କପିଳ ମୁଁ ସିଦ୍ଧ ମଧ୍ୟରେ || ୨୬ ||

ଅଶ୍ୱ ମଧ୍ୟେ ମୁଁ ଉଚ୍ଚଶ୍ରବ | ଅମୃତରୁ ଯା'ର ଉଦ୍ଭବ || ହସ୍ତିରେ ଐରାଵତ ହସ୍ତି | ନରମଧ୍ୟେ ମୁଁ ନରପତି || ୨୭ ||

ଆୟୁଧ ମଧ୍ୟେ ବଜ୍ର ମୁହିଁ | ସର୍ପେ ବସୁକି ମୁଁ ଅଟଇ || ସୁନ୍ଦର ଜନେ ମୁଁ କନ୍ଦର୍ପ | କାମାକର୍ଷଣ ହୃଦତାପ ||  ଧେନୁ ମଧ୍ୟେ ମୁଁ କାମଧେନୁ | ଉତ୍ପନ ସମୁଦ୍ର ମନ୍ଥନୁ || ୨୮ ||

ନାଗମଧ୍ୟେ ଅନନ୍ତ ମୁହିଁ | ନିୟାମକେ ଯମ ଅଟଇ | ଜଳଦେବ ମଧ୍ୟେ ବରୁଣ | ଆର୍ୟାମା ଶ୍ରେଷ୍ଠ ପିତୃଗଣ || ୨୯ ||

ପ୍ରହ୍ଲାଦ ମୁଁ ଦୈତ୍ୟ ମଧ୍ୟରେ | ଗରୁଡ଼ ମୁଁ ପକ୍ଷୀ ମେଳରେ || ମାପଦଣ୍ଡ ମଧ୍ୟେ ମୁଁ କାଳ | ପଶୁ ମଧ୍ୟେ ସିଂହ କରାଳ || ୩୦ ||

ପବିତ୍ର କାରକେ ପବନ | ନଦୀ ମଧ୍ୟେ ମୁଁ ଗଙ୍ଗା ଜାଣ || ରାମ ଶସ୍ତ୍ରଧାରୀ ମଧ୍ୟରେ | ମଗର ମୁଁ ଜଳଜୀବରେ || ୩୧ ||

ସୃଷ୍ଟିରେ ଆଦି ଅନ୍ତ ମୁହିଁ | ମଧ୍ୟରେ ମଧ୍ୟ ମୁଁ ରୁହଇ || ପ୍ରବାଦ ମଧ୍ୟେ ବାଦ ମୁହିଁ | ଆଧ୍ୟାତ୍ମ ବିଦ୍ୟା ମୁଁ ଅଟଇ || ୩୨ ||

ଅଣଚାଶ ବର୍ଣ୍ଣ ରହିଥାଇ | ତନ୍ମଧ୍ୟେ ଅ କାର ମୁଁ ହୋଇ || କାଳ ମଧ୍ୟେ ମୁଁ ଅକ୍ଷୟ | ଅନନ୍ତ ଶାଶ୍ୱତ ସମୟ || ସମାସେ ମୁଁ ଦ୍ୱନ୍ଦ ସମାସ | ମୋହର ମହିମା ଅଶେଷ || ସୃଷ୍ଟିକର୍ତ୍ତା ସର୍ଵ ମଧ୍ୟରେ | ଵ୍ରହ୍ମାରୂପେ ମୁଁ ସୃଷ୍ଟିକରେ || ୩୩ ||

ଅଭୁଦୟ ହେବା ତତ୍ତ୍ୱରେ | ମୁହିଁ ଭବିଷ୍ୟ ରୁପଧରେ || ମୁଁ ଅଟେ ମୃତ୍ୟୁ ସର୍ଵହର | ଗ୍ରାସେ ମୁଁ ସମଗ୍ର ସଂସାର || ନାରୀଗୁଣେ ମୁଁ ବାଣୀ କୀର୍ତ୍ତି | ମେଧା ଶ୍ରୀ ସ୍ମୃତି କ୍ଷମା ଧୃତି || ୩୪ ||

ବେଦୋକ୍ତ ମନ୍ତ୍ର ସମୂହରେ | ମୁଁ ବୃହତ ମନ୍ତ୍ର ସାମରେ | ସମସ୍ତ ଗୀତ ଛନ୍ଦ ମଧ୍ୟେ | ଗାୟତ୍ରୀ ଛନ୍ଦ ମୁଁ ତନ୍ମଧ୍ୟେ || ମାସ ମଧ୍ୟେ ମୁଁ ମାର୍ଗଶୀର | ଋତୁ ମଧ୍ୟେ କୁସୁମାକର || ୩୫ ||

ଛଳନାକାରୀଙ୍କ ଛଳନା | କରୁଣାମୟ ମୁଁ କରୁଣା || ତେଜସ୍ୱିଙ୍କ ତେଜ ଅଟଇ | ଜ୍ଞାନୀଙ୍କ ଜ୍ଞାନ ଅଟେ ମୁହିଁ || ବିଜୟୀଙ୍କର ମୁହିଁ ଜୟ | ମୁହିଁ ଅଟେ ଅଧ୍ୟାଵସାୟ || ସତ୍ତ୍ୱବତା ଙ୍କ ସତ୍ତ୍ୱ ଗୁଣ | ମୁଁ ହିଁ ପରମ ଭଗବାନ || ୩୬ ||

ବୃଶ୍ନିବଂଶେ ମୁଁ ବାସୁଦେବ | ଅର୍ଜୁନ ମୁଁ ଶ୍ରେଷ୍ଠ ପାଣ୍ଡବ || ମୁନିଙ୍କ ମଧ୍ୟେ ବ୍ୟାସଦେଵ | ମୁଁ ସର୍ଵଶ୍ରେଷ୍ଠ ମାଧଵ || କବିଙ୍କ ମଧ୍ୟେ ମୁଁ ଉଷନା | ମୋର ବିଭୂତି ମୋତେ ଜଣା || ୩୭ ||

ଜୟାଭିଳାଷି ନୀତି ମୁହିଁ | ତାଡନାରେ ଶ୍ରେଷ୍ଠ ଦଣ୍ଡ ହୋଇ || ଗୁହ୍ୟ ବିଷୟେ ମୁହିଁ ମୋୖନ | ଜ୍ଞାନୀଙ୍କ ଅଟଇ ମୁଁ ଜ୍ଞାନ || ୩୮ ||

ଜୀଵଙ୍କ ଉତ୍ପତ୍ତି କାରଣ | ସମସ୍ତ ମୁହିଁ ବୋଲି ଜାଣ || ମୋ ଵିନା ସର୍ଵ ଚରାଚର | ନହେଵ ଅସ୍ତିତ୍ୱ କାହାର ||  ସକଳ ସୃଷ୍ଟିର ଆଧାର | ମୁଁ ଅଟେ ପରମ ଈଶ୍ବର || ୩୯ ||

ଅନ୍ତ ନାହିଁ ମୋ ବିଭୁତିର | ସଂକ୍ଷେପେ କଲି ମୁଁ ବିସ୍ତାର || ପ୍ରିୟ ପରନ୍ତପ ଅର୍ଜୁନ | ମୁହିଁ ସର୍ବାଧିପତି ଜାଣ || ୪୦ ||

ଶକ୍ତି ସମ୍ପନ୍ନ ଯାହା କିଛି | ଶ୍ରୀ ସମ୍ପନ ବସ୍ତୁ ରହିଛି || ମୋ ତେଜ ଅଂଶରୁ ସମ୍ଭୁତ | ଜାଣିବ ଏହାକୁ ନିଶ୍ଚିତ || ୪୧ ||

ଏତେ ସବୁ ମୋର ବିସ୍ତାର | ଜାଣି କଣ ଲାଭ ତୁମର || କେଵଳ ଏହା ତୁମେ ଜାଣ | ହେ କୁନ୍ତି ନନ୍ଦନ ଅର୍ଜୁନ || ସମଗ୍ର ଜଗତ ଧାରଣ | ମୋ କ୍ଷୁଦ୍ର ଅଂଶେ ଅଛି ଜାଣ || ୪୨ ||

ଏମନ୍ତ ଦିବ୍ୟ ବ୍ରହ୍ମଜ୍ଞାନ | କୃପେ କହିଲେ ଭଗବାନ || ଭଗବାନଙ୍କ ଏ ବିଭୁତି | କରଇ ଯେଉଁ ଭକ୍ତ ଶୃତି || ସକଳ ପାର୍ଥିବ ପିପାସା | କାମନା ବାସନା ଲାଳସା || ଅଚିରେ ହୁଏ ନାଶ ତାର | କୃପା କରନ୍ତି ଯେ ଈଶ୍ବର || ଏମନ୍ତ କହେ କୃଷ୍ଣଦାସ | ସଂସାରୁ ହୋଇଣ ଉଦାସ || ଦଶମ ଖଣ୍ଡ କୃଷ୍ଣଗୀତ | ପଢ଼ିହୁଅ ସବୁ ସୁକୃତ || ୪୩ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ବିଭୂତିୟୋଗୋ ନାମ ଦଶମ ଅଧ୍ୟାୟଃ || ୧୦||

ନବମ ଅଧ୍ୟାୟ – ରାଜବିଦ୍ୟା ରାଜଗୁହ୍ୟ ଯୋଗ

ଶ୍ରୀଭଗବାନ ଉଵାଚ

ଏହି ଗୁହ୍ୟତମ ତତ୍ତ୍ୱକୁ | କହିବି ଅର୍ଜୁନ ତୁମକୁ || କାରଣ ଜାଣିଅଛି ମୁହିଁ | ଅସୂୟା ତୁମଠାରେ ନାହିଁ || ଜ୍ଞାନ ବିଜ୍ଞାନ ତତ୍ତ୍ୱ ଏହି | ଶୁଣି ଅଶୁଭୁ ମୋକ୍ଷ ହୋଇ || ୧ ||

ରାଜବିଦ୍ୟା ଏ ରାଜଗୁହ୍ୟ | ପବିତ୍ର ଅତି ଗୋପନୀୟ || ଉତ୍ତମ ଶ୍ରେଷ୍ଠ ଧର୍ମମୟ | ପ୍ରତ୍ୟକ୍ଷ ସରଳ ଅଵ୍ୟୟ || ୨ ||

ଧର୍ମରେ ଅଶ୍ରଦ୍ଧା ପୁରୁଷ | ନକରି ମୋ ଠାରେ ନିବାସ || ମୃତ୍ୟୁ ଲୋକେ ପ୍ରତ୍ୟାବର୍ତ୍ତନ | କରନ୍ତି ପରନ୍ତପ ଜାଣ || ୩ ||

ଅବ୍ୟକ୍ତ ସ୍ୱରୂପେ ମୋହର | ବ୍ୟାପୃତ୍ତ ସମଗ୍ର ସଂସାର || ମୋ'ମଧ୍ୟେ ସର୍ଵ ଜୀଵବାସ | ତନ୍ମଧ୍ୟେ ନାହିଁ ମୋ ନିବାସ ||୪||

ଦିବ୍ୟ ମୋର ଯୋଗ ଐଶ୍ବର୍ୟ | ଜାଣି ହେବ ତୁମେ ଆଶ୍ଚର୍ୟ || ସଭିଁଙ୍କୁ ସୃଷ୍ଟି କରେ ମୁହିଁ | ପାଳନ କର୍ତ୍ତା ହୋଇଥାଇ || ଜୀଵଙ୍କ ଶରୀର ମଧ୍ୟରେ | କଦାପି ବାସ ମୁଁ ନ କରେ ||୫||

ଯେମନ୍ତ ଆକାଶରେ ସ୍ଥିତ | ସକଳ ଦିଗେ ପ୍ରବାହିତ || ସେହି ଶକ୍ତିଶଳୀ ପବନ | ଆକାଶେ ଶ୍ରୀତ ଥାଏ ଜାଣ || ସେହିପରି ମୋର ମଧ୍ୟରେ | ଆଶ୍ରିତ ସମସ୍ତେ ସଂସାରେ ||୬||

ଯେମନ୍ତ କଳ୍ପ ଶେଷ ହୁଏ | ମୋ' ପ୍ରକୃତି ଳୀଳା ଦେଖାଏ || ସକଳ ଭୁତ ଯାନ୍ତି ନାଶ | ମୋର ପ୍ରକୃତି ରେ ପ୍ରବେଶ || ପୁନଶ୍ଚ ସୃଷ୍ଟି ଆରମ୍ଭରେ | ଉତ୍ପନ୍ନ ସେମାନଙ୍କୁ କରେ || ୭ ||

ସମସ୍ତ ପ୍ରକୃତି ଅର୍ଜୁନ | ଅଟଇ ମୋହର ଅଧୀନ || ପ୍ରକୃତି ବଶେ ଜୀବ ଥାଇ | ବାରମ୍ବାର ସୃଷ୍ଟି ହୁଅଇ || ୮ ||

ସମସ୍ତ କର୍ମ ଠାରୁ ମୁହିଁ | ପୃଥକ ଅନାସକ୍ତ ଥାଇ || ତେଣୁ କର୍ମଫଳ ବନ୍ଧନ | ବାନ୍ଧି ନପାରେ ମୋତେ ଜାଣ ||୯||

ମୋର ଅଧ୍ୟକ୍ଷତାରେ ଥାଇ | ପ୍ରକୃତି ଉତ୍ପନ କରଇ || ଚର ଓ ଅଚର ସମସ୍ତ | ବିସ୍ତୃତ ସକଳ ଜଗତ || ସୃଷ୍ଟି ପାଳନ ଅଵସାନ | ଚକ୍ର ପରି ଏହି ଘୁର୍ଣ୍ଣନ ||୧୦||

ଶରୀରଧାରୀ ଭାବିଥାଇ | ହତାଦର ମୋତେ କରଇ || ଜାଣି ନ ପାରେ ମୁଢ଼ ନର | ମୁଁ ସର୍ଵଭୂତ ମହେଶ୍ଵର || ୧୧ ||

ରାକ୍ଷାସୀ ଆସୁରୀ ମୋହିନୀ | ଆଶ୍ରୟ ନିଏ ଯେଉଁ ପ୍ରାଣୀ || ଆଶା କର୍ମ ଜ୍ଞାନ ତାହାର | ବୃଥା ଅଟଇ ଧନୁର୍ଦ୍ଧର || ୧୨ ||

ସଚରାଚର ଯେତେ ପ୍ରାଣୀ | ଭୂତାଦି ଅବ୍ୟୟ ମୁଁ ଜାଣି || ଅନନ୍ୟ ଚିତ୍ତେ ମୋର ଧ୍ୟାନ | କରନ୍ତି ମୋହର ଭଜନ || ମୋ' ଦୈବୀ ପ୍ରକୃତି ଆଶ୍ରୟ | ମହାତ୍ମା ନିଏ ଧନଞ୍ଜୟ || ୧୩ ||

ସର୍ବଦା ମୋ ଗୁଣ କୀର୍ତ୍ତନ | ଯତ୍ନରେ ଦୃଢ଼ବ୍ରତୀ ଜନ || ସଦା ମୋ'ଠାରେ ରଖି ଚିତ୍ତ | ଭକ୍ତିର ସହ ପ୍ରଣିପାତ || ମୋ ସହ ନିତ୍ୟ ଯୁକ୍ତହୋଇ | ମୋ ଉପାସନା କରିଥାଇ || ୧୪ ||

ଏକତ୍ଵରେ ଵା ପୃଥକରେ | ଏମନ୍ତ ବହୁଳ ବିଧିରେ || ଜ୍ଞାନଯୋଗ ବ୍ରତୀ ସାଧକ | ମୋ'ସହ ଚିନ୍ତୁ ଥାଇ ଏକ || ଅନ୍ୟ କିଛି ଭକ୍ତ ସାଧକ | ନିଜକୁ ମୋ'ଠାରୁ ପୃଥକ || ଏମନ୍ତ ମନେ ଚିନ୍ତୁଥାଇ | ମୋ' ବିଶ୍ବରୂପକୁ ପୂଜଇ || ୧୫ ||

କ୍ରତୁ ଯଜ୍ଞ ମୁଁ ବନସ୍ପତି | ଶ୍ରାଦ୍ଧ ମନ୍ତ୍ର ଘୃତ ଆହୁତି || ହୋମାଗ୍ନି ହୋମକ୍ରିୟା ମୁହିଁ | ସବୁର ମୁଳ ମୁଁ ଅଟଇ || ୧୬ ||

ପିତା ମାତା ମୁଁ ଜଗତର | ଧାତା ପିତାମହ ପ୍ରାଣୀର || ବେଦର ଓଁକାର ଅଟଇ | ୠକ୍ ସାମ୍ ଯାଦୁବେଦ ମୁହିଁ || ୧୭ ||

ସକଳ ଜଗତର ଭର୍ତ୍ତା | ପାଳକ ମୁହିଁ ଅନ୍ନ ଦାତା ||  ସାକ୍ଷୀ ମୁଁ ନିବାସ ଆଶ୍ରୟ | ଵିନାଶକର୍ତ୍ତା ମୁଁ ଅବ୍ୟୟ || ଅନ୍ତିମ ଲକ୍ଷ୍ୟ ଜୀଵଙ୍କର | ଅବିନାଶୀ ବୀଜ ଆଧାର || ୧୮ ||

ସୂର୍ଯ୍ୟ ରୂପରେ ମୁଁ ଅର୍ଜୁନ | ଉତ୍ତାପାଲୋକ ଦିଏ ଜାଣ || ଜଳ ନିଗ୍ରହ ମୁଁ କରଇ | ବର୍ଷାର କାରଣ ଅଟଇ || ଅମୃତ ମୃତ୍ୟୁ ମୁଁ ଅଟଇ | ସତ୍ ଅସତ୍ ମଧ୍ୟ ମୁଁ ହୁଅଇ || ୧୯ ||

ତିନି ବେଦରେ ବିଜ୍ଞଜନ | ଯେ'କରେ ସୋମ ରସପାନ || ଯଜ୍ଞାଦି ଅନୁଷ୍ଠାନ କରି | ନିଷ୍ପାପ ମୋ'ର ପୂଜାକରି || ସ୍ୱର୍ଗଲୋକ ପ୍ରାପ୍ତି ନିମନ୍ତେ | ପ୍ରାର୍ଥ୍ବନା କରିଥାନ୍ତି ମୋତେ || ଇନ୍ଦ୍ର ଲୋକ ପ୍ରାପ୍ତ କରିଣ | ଭୋଗିଥାନ୍ତି ସୁଖ ଅର୍ଜୁନ || ୨୦ ||

ପୁଣ୍ୟ ଫଳର ଅନୁଯାୟୀ | ସ୍ୱର୍ଗରେ ସୁଖ ଭୋଗିଥାଇ || ଅର୍ଜିତ ପୁଣ୍ୟ ଅନ୍ତପରେ | ସେ ନର ମୃତ୍ୟୁଲୋକ ଫେରେ || ବେଦ ବର୍ଣ୍ଣିତ କର୍ମ କରି | ସକାମ ଧର୍ମକୁ ଆଚରି || ସ୍ଵର୍ଗକୁ ଗମନାଗମନ | ଚାଲି ରହିଥାଏ ଅର୍ଜୁନ || ୨୧ ||

ମୋ'ଠାରେ ଅନନ୍ୟ ଚିନ୍ତନ | ସର୍ବଦା କରେ ଯେଉଁ ଜନ || ମୋ'ଠାରେ ସଦା ମନ ଦେଇ | ମୋ'ର ଉପାସନା କରଇ || ଅପ୍ରାପ୍ତ ବସ୍ତୁ ତା'କୁ ପ୍ରାପ୍ତ | କରାଇ ଥାଏ ମୁହିଁ ପାର୍ଥ || ତା' ପ୍ରାପ୍ତ ବସ୍ତୁ ଯାହା ଥାଇ | ତା'ର ସୁରକ୍ଷା ମୁଁ କରଇ ||୨୨||

ଅନ୍ୟ ଦେବାଦେବି ପୂଜନ | ଶ୍ରଦ୍ଧାରେ କରେ ଯେଉଁ ଜନ || ପ୍ରକୃତରେ ମୋତେ ପୂଜଇ | ସେ ମାର୍ଗ ବିଧିଯୁକ୍ତ ନୋହି ||୨୩||

ସର୍ଵ ଯଜ୍ଞର ପ୍ରଭୁ ମୁହିଁ | ଭୋକ୍ତା ମଧ୍ୟ ମୁହିଁ ଅଟଇ || ତତ୍ତ୍ୱେ ମୋତେ କେ ନଜାଣନ୍ତି | ମୃତ୍ୟୁଲୋକକୁ ଫେରିଥାନ୍ତି ||୨୪||

ଦେବ ପୂଜକ ଦେବ ପାଏ | ପିତୃ ପୂଜକ ପିତୃ ଯାଏ || ଭୂତ ପ୍ରେତକୁ ଯେ ପୂଜନ୍ତି | ଭୂତ ପ୍ରେତ ଯୋନି ପାଆନ୍ତି || ମୋ' ପୂଜକ କିନ୍ତୁ ଅର୍ଜୁନ | ନିଶ୍ଚୟ ମୋତେ ପ୍ରାପ୍ତ ଜାଣ || ୨୫ ||

ପତ୍ର ପୁଷ୍ପରେ କେ ପୂଜଇ | ଫଳ ବା ଜଳ ଦେଇଥାଇ || ଭକ୍ତି ନିମଗ୍ନ ଚିତ୍ତ ହୋଇ | ଯେ' ଭକ୍ତ ମୋତେ ଯାହା ଦେଇ || ତା'ର ଉପହାର ଗ୍ରହଣ | କରିଥାଏ ମୁହିଁ ଅର୍ଜୁନ || ୨୬ ||

ପ୍ରତି କର୍ମ ତୁମ ଅର୍ଜୁନ | ଯାହା କର ତୁମେ ଭକ୍ଷଣ || ତୁମର ସର୍ଵ ଯଜ୍ଞ ଦାନ | କର ମୋତେ ତୁମେ ଅର୍ପଣ || ୨୭ ||

କର୍ମ କର୍ମଫଳ ଅର୍ପଣ | ଯଦି କର ତୁମେ ଅର୍ଜୁନ || ଶୁଭ ଓ ଅଶୁଭ ଫଳରୁ | ସମସ୍ତ କର୍ମ ବନ୍ଧନରୁ || ମୁକ୍ତ ହେବ ତୁମେ ନିଶ୍ଚୟ | ମୋତେ ହିଁ ପ୍ରାପ୍ତ ଧନଞ୍ଜୟ || ୨୮ ||

ସକଳ ଜୀଵଙ୍କୁ ଅର୍ଜୁନ | ସମଭାବେ କରେ ଦର୍ଶନ || ନା କେହି ପ୍ରିୟ ନାହିଁ ଘୁର୍ଣ୍ୟ | ସମସ୍ତେ ମୋ ପାଈଁ ସମାନ || ଯେ ଭକ୍ତ ମୋତେ ଆରାଧଇ | ତାଙ୍କପାଶେ ମୁଁ ନିବାସଇ || ମୋ' ପାଶରେ ତାଙ୍କ ନିବାଶ | ଲଭି ଥାନ୍ତି ଦିବ୍ୟ ସନ୍ତୋଷ ||୨୯||

ଅତ୍ୟନ୍ତ ଦୂରାଚାରୀ ଜନ | ଅନନ୍ୟ ଚିତ୍ତରେ ଅର୍ଜୁନ || ଯଦି କରଇ ମୋ ଭଜନ | ହୁଅଇ ଧର୍ମ ପରାୟଣ || ସାଧୁ ରୂପେ ପରିବର୍ତ୍ତନ | ନିରାଟ ସତ୍ୟ ଏ ଵଚନ || ୩୦ ||

ଅଵିଳମ୍ବେ ଧର୍ମାତ୍ମା ହୋଇ | ଶାଶ୍ୱତ ସୁଖକୁ ଲଭଇ || ନିଷ୍ଠାରେ ମୋତେ ଯେ ପୂଜଇ | ବିନାଶ ତା'ର ନ ହୁଅଇ || ୩୧ ||

ପାପ ଯୋନିରୁ ଜାତ ଜୀଵ | ନାରୀ ବୈଶ୍ୟ ଶୁଦ୍ର ମାନବ || ଯଦି ହୁଏ ମୋ'ର ଆଶ୍ରିତ | ପରମ ଗତି ତାକୁ ପ୍ରାପ୍ତ || ୩୨ ||

ଭକ୍ତ ରାଜର୍ଷି ଓ ବ୍ରାହ୍ମଣ | ପୁଣ୍ୟାତ୍ମା ତଥା ଜ୍ଞାନୀ ଜନ || ସେମାନଙ୍କ କଥା ଅର୍ଜୁନ | ନ କହିବା ହିଁ ଭଲ ଜାଣ || ଅନିତ୍ୟ ଲୋକେ ତୁମ ଜନ୍ମ | ଭଜନ କର ମୋ'ର ନାମ || ୩୩ ||

ମୋ'ଠାରେ ତୁମେ ଦେଇ ମନ | ମୋ'ର ଭକ୍ତ ହୁଅ ଅର୍ଜୁନ || ସଦା ମୋହର ପୂଜା କର | ହସ୍ତ ଯୋଡ଼ିଣ ନମସ୍କାର || ମୋ'ଠାରେ ଆତ୍ମା ଯୁକ୍ତ କର | ମୁଁ ତୁମ ଲକ୍ଷ୍ୟ ଜୀଵନର || ଏମନ୍ତ କରିଣ ଅର୍ଜୁନ | ନିଶ୍ଚୟ ମୋତେ ପ୍ରାପ୍ତ ଜାଣ || ୩୪ ||

ଅମୂଲ୍ୟ ଧାର ଜ୍ଞାନବାଣୀ | କୃପେ କହନ୍ତି ଚକ୍ରପାଣି || ମୁଁ ଅଟଇ ମୁଢ ମାନବ | କିଛି ନ ବୁଝଇ ମାଧବ || ତୁମ କୃପାରୁ ଚକ୍ରଧର | ଲେଖନୀ ଚାଲୁଛି ମୋହର || କବି ଯୋଗ୍ୟତା ମୋର ନାହିଁ | ତୁମ ଆଦେଶେ ଲେଖେ ମୁହିଁ || ପଢ଼ିଣ ଏହା ଭକ୍ତ ଜନ | କ୍ଷମା କରିବ ତ୍ରୁଟିମାନ || ଏମନ୍ତ କହେ କୃଷ୍ଣଦାସ | ଶ୍ରୀଚରଣରେ ରଖି ଆଶ || ନବମ ଖଣ୍ଡ କୃଷ୍ଣଗୀତ | କରଇ ଏଠାରେ ସମାପ୍ତ || ୩୫ ||

ଓଁ ତତ୍ସଦିତି ଶ୍ରୀମଦ୍ଭଗବଦ୍ଗୀତାସୂପନିଷତ୍ସୁ ଵ୍ରହ୍ମବିଦ୍ୟାୟାଂ ଯୋଗ ଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ରାଜବିଦ୍ୟା ରାଜଗୁହ୍ୟ ୟୋଗୋ ନାମ ନବମ ଅଧ୍ୟାୟଃ || ୯ ||